କଟକ,୧୩/୦୭: କିଛି  ଦିନ ହେବ ସହରରେ ବଢ଼ିଥିବା  ଲୁଟ୍‌ପାଟ୍‌ ଓ ଛିନ୍‌ତାଇକୁ କଟକ ପୁଲିସ ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଅପରାଧୀ ଗ୍ୟାଙ୍ଗ୍‌ ଧରା ପଡୁନି ଓ ଲଗାତାର ଭାବେ ଲୁଟ୍‌ ହେଉଛି । ରବିବାର ଲୁଟେରାମାନେ ସହରର ଜନଗହଳିପୂର୍ଣ୍ଣ ରାସ୍ତାରେ  ଏମିତି ଉତ୍ପାତ କରିବାର ଦୁଃସାହସ  କରିଛନ୍ତି । ଜଣେ ମହିଳା ଉଦ୍ୟୋଗୀଙ୍କୁ ରାସ୍ତାରେ ପିଛା କରି ଖଣ୍ଡାରେ ହାଣି  ପ୍ରାୟ ୩୬ ଲକ୍ଷ ଟଙ୍କା ଛଡ଼ାଇ ନେଇଛନ୍ତି । ଘଟଣାଟି ଘଟିଛି ତାଳଦଣ୍ଡା  କେନାଲ୍‌ ରାସ୍ତାର ଓଏମ୍‌ପି ଛକ ସର୍ଭିସ୍‌  ରୋଡ୍‌ରେ । ଲୁଟର ଶିକାର ମହିଳା ଅଳଙ୍କାର ତିଆରି ପାଇଁ ସୁନା କିଣିବାକୁ  ଟଙ୍କା ନେଇ ଯାଉଥିବା ବେଳେ ଏଭଳି  ଲୁଟ୍‌ପାଟ୍‌ ହୋଇଛି । ଏନେଇ ମଧୁପାଟଣା  ଥାନାରେ ଏତଲା ଦାଏର କରାଯାଇଛି । ହାଇକୋର୍ଟ ଗଣେଶ ମନ୍ଦିର ପାଖରେ ରହୁଥିବା ପିଙ୍କି ଗୁପ୍ତାଙ୍କର  ସୁନା ଅଳଙ୍କାର ତିଆରି କାରଖାନା  ଅଛି ।  

ରବିବାର ରାତି ପ୍ରାୟ ୯ଟା ହେବ । ପିଙ୍କି ଜଣେ ସମ୍ପର୍କୀୟଙ୍କ  ସହିତ ଏକ ସ୍କୁଟିରେ ବସି ଓଏମ୍‌ପି  ଅଭିମୁଖେ ଯାଉଥିଲେ । ତାଙ୍କ ପାଖରେ  ପ୍ରାୟ ୩୬ ଲକ୍ଷ ଟଙ୍କା ଥିଲା । ସେ  ଟଙ୍କା ଧରି ଓଏମ୍‌ପି ଛକରୁ ବସ୍‌ ଯୋଗେ କୋଲକାତା ଯାଇଥାନ୍ତେ ।  ସମ୍ରାଟ୍‌ ସିନେମା ହଲ୍‌ ସାମ୍ନାରେ ଥିବା  ସର୍ଭିସ୍‌ ରୋଡ୍‌ରେ ତାଙ୍କ ସ୍କୁଟି ଆଗକୁ  ଗଡ଼ୁଥାଏ । ଏହି ସମୟରେ ପଛରୁ ତିନି  ଜଣ ଯୁବକ ଏକ ବାଇକ୍‌ରେ ସେମାନଙ୍କୁ ପିଛା କରୁଥାନ୍ତି।ତାଳଦଣ୍ଡା କେନାଲ୍‌ ଉପରେ ପହଞ୍ଚିବା ମାତ୍ରେ ଉକ୍ତ ବାଇକ୍‌ରେ ଥିବା  ଯୁବକ ସ୍କୁଟି ଗାଡ଼ିକୁ ଧକ୍କା ମାରିଥିଲେ । ଫଳରେ ଗାଡ଼ି ସହିତ ପିଙ୍କି ଓ  ତାଙ୍କ ସମ୍ପର୍କୀୟ ତଳେ ପଡ଼ି ଯାଇଥିଲେ । ପରେ ଯୁବକମାନେ ତାଙ୍କଠୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇବାକୁ ଲାଗିଲେ । ମାତ୍ର ପିଙ୍କି ପ୍ରତିରୋଧ କରିବାରୁ ଦୁଇ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ଜଣେ ଯୁବକ ଏକ ଖଣ୍ଡାରେ ପିଙ୍କିଙ୍କ ହାତ, କାନ୍ଧ ଓ ପିଠିକୁ ହାଣି  ପକାଇଲେ । ସେହିପରି ଲୁହା ପାଇପ୍‌ରେ ମୁଣ୍ଡକୁ ପିଟିଲେ । ଏଭଳି  ସ୍ଥିତିରେ ପିଙ୍କି ବ୍ୟାଗ୍‌ ଛାଡ଼ିଦେଇଥିଲେ । ଦୁର୍ବୃତ୍ତ ଉକ୍ତ ଟଙ୍କା ଭର୍ତ୍ତି  ବ୍ୟାଗ୍‌ ଧରି ତାଳଦଣ୍ଡା ରାସ୍ତାରେ ଚମ୍ପଟ ମାରିଲେ । ସ୍ଥାନୀୟ ଲୋକ  ଏହା ଦେଖି ତୁରନ୍ତ ଚାଉଳିଆଗଞ୍ଜ ଥାନାକୁ ଖବର ଦେଇଥିଲେ ।  ପିସିଆର୍‌ ପହଞ୍ଚି ପିଙ୍କିଙ୍କୁ ତୁରନ୍ତ ଏସ୍‌ସିବି ନେଇଯାଇଥିଲା ।  ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । କିଛି ସମୟ ମଧ୍ୟରେ  ମଧୁପାଟଣା ଥାନା ପୁଲିସ ଆସି ସ୍ଥିତି ପରଖିଥିଲା । ପରେ  ପିଙ୍କିଙ୍କ ସମ୍ପର୍କୀୟ ଆସି ଚାଉଳିଆଗଞ୍ଜ ଥାନାରେ ପହଞ୍ଚି ଏତଲା  ଦେଇଛନ୍ତି । ମାତ୍ର ଉକ୍ତ ଅଞ୍ଚଳଟି ମଧୁପାଟଣା ଥାନାରେ ଆସୁଥିବା  ଜଣାପଡ଼ିବା ପରେ ଏତଲାକାରୀ ମଧୁପାଟଣା ଥାନାକୁ ଯାଇ ଲିଖିତ  ଅଭିଯୋଗ କରିଛନ୍ତି ।  

ଅଧିକ ପଢ଼ନ୍ତୁ:-  Weather Forecast: ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ, ୧୫ ତାରିଖରୁ ବଢ଼ିବ ବର୍ଷାର ପରିମାଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ପୁଲିସ ଅଭିଯୋଗ ପାଇ ନିକଟ ଅଞ୍ଚଳର ସିସିଟିଭି ଦେଖିବା  ଆରମ୍ଭ କରିଛି । ଗଲା ସପ୍ତାହେ ହେବ କଟକ ସହରରେ ଲୁଟ୍‌ପାଟ୍‌  ବଢ଼ିଛି । କ୍ୟାଣ୍ଟନ୍‌ମେଣ୍ଟ୍‌, ବିଡ଼ାନାସୀ, ସିଡିଏ ଓ ଚାଉଳିଆଗଞ୍ଜ  ଅଞ୍ଚଳରେ ସୁନା ଅଳଙ୍କାର ସିରିଜ୍‌ ଲୁଟ୍‌ ନେଇ ଏତଲା ହୋଇଛି ।  ମାତ୍ର ଲୁଟେରାଙ୍କର ଏଯାବତ କୌଣସି ଟେର୍‌ ପୁଲିସ ପାଇପାରିନି ।  ଜଣେ ମହିଳା ଉଦ୍ୟୋଗୀଙ୍କୁ ହାଣି ଦରମରା କରି ୩୬  ଲକ୍ଷ ଟଙ୍କା ଲୁଟି ନେବା ଘଟଣା ଅପରାଧୀମାନେ ପୁଲିସକୁ  ଚାଲେଞ୍ଜ୍‌ ଦେଲାଭଳି ହୋଇଛି । ପିଙ୍କିଙ୍କ ପାଖରେ ଟଙ୍କା ଥିବା  କଥା ଲୁଟେରାମାନେ କେମିତି ଜାଣିଲେ ସେ ନେଇ ସନ୍ଦେହ ବି  କରାଯାଉଛି । ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି।

​​​​​​​