PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ପାକ୍‌ ଆଣବିକ ତଥ୍ୟ ଲିକ୍‌: ସିଆଇଏ ପାଇଁ ଗୁଇନ୍ଦାଗିରି କରୁଥିଲେ ବରିଷ୍ଠ ସେନା ଅଧିକାରୀ

ନୂଆଦିଲ୍ଲୀ/ଇସଲାମାବାଦ,୨ ।୬(ଏଜେନ୍ସି): ପାକିସ୍ତାନରେ ଏକ ଗୁପ୍ତଚର କାଣ୍ଡକୁ ନେଇ ଏବେ ଝଡ଼ ଉଠିଛି । ଯେଉଁ ଦିନ ଭାରତରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରୁଥିଲା, ଠିକ୍‌ ସେଇଦିନ ପାକ୍‌ ଗଣମାଧ୍ୟମରେ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ସେଥିରେ କୁହାଯାଇଥିଲା କି ଏକ ବିଦେଶୀ ରାଷ୍ଟ୍ର ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଜଣେ ଅବସରପ୍ରାପ୍ତ ବ୍ରିଗେଡିୟର ଏବଂ ଜଣେ ଡାକ୍ତରଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲାବେଳେ ଆଉ ଜଣେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ର‌୍ୟାଙ୍କର ଅଧିକାରୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ପାକ୍‌ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଉକ୍ତ ଅଧିକାରୀମାନଙ୍କୁ ଦିଆଯାଇଥିବା ଦଣ୍ଡାଦେଶକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ତେବେ ସେଇ ଅଧିକାରୀମାନେ କେଉଁ ଦେଶ ପାଇଁ ଗୁପ୍ତଚର ବୃତ୍ତି କରୁଥିଲେ ଏବଂ କି ପ୍ରକାର ତଥ୍ୟ ହସ୍ତାନ୍ତର କରୁଥିଲେ, ସେବିଷୟରେ ଉକ୍ତ ରିପୋର୍ଟରେ କିଛି ସୂଚନା ଦିଆଯାଇନଥିଲା । ଭାରତୀୟ ଗଣମାଧ୍ୟମ ସେତେବେଳେ ନୂଆ ସରକାରଙ୍କ ଦାୟିତ୍ୱ ଗହଣ କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିଥିବାରୁ ଭାରତରେ ବହୁ ଲୋକଙ୍କର ଏହି ଘଟଣା ଉପରେ ନଜର ନଥିଲା । ହେଲେ ଏବେ ଏହି ଘଟଣାକୁ ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ପାକ୍‌ ସେନା ଏନେଇ ଗୋପନୀୟତା ବଜାୟ ରଖୁଥିଲେ ବି କେତେକ ବିଶ୍ୱସ୍ତ ସୂତ୍ରରୁ ଦାବି କରାଯାଇଛି ଯେ ଯେଉଁ ପାକିସ୍ତାନୀ ସେନା ଅଧିକାରୀ ଓ ଡାକ୍ତରଙ୍କୁ ଦଣ୍ଡିତ କରାଯାଇଛି, ସେମାନେ ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏ ପାଇଁ କାମ କରୁଥିଲେ । ସେମାନେ ଅର୍ଥ ବଦଳରେ ଆମେରିକାକୁ ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କିତ ଅନେକ ଗୋପନୀୟ ଓ ସମ୍ବେଦନଶୀଳ ତଥ୍ୟ ହସ୍ତାନ୍ତର କରିଥିଲେ । ଏହି ଘଟଣାରେ ପାକ୍‌ ସେନାର ଦୁଇ ଜଣ ବରିଷ୍ଠ ଅଧିକାରୀ ସାମିଲ ହେବାଯୋଗୁ ପାକିସ୍ତାନର ସେନା ଖୁବ ବଦନାମ ହେଉଛି । ଯେଉଁମାନଙ୍କୁ ଦଣ୍ଡ ଦିଆଯାଇଛି, ସେମାନଙ୍କ ମଧ୍ୟରେ ସେନାର ଜଣେ ଥ୍ରି ଷ୍ଟାର ଧାରୀ ଅଧିକାରୀ ବି ଅଛନ୍ତି । ସେ ହେଉଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଜାଭେଦ ଇକବାଲ । ସେ ୨୦୧୫ରେ ଅବସର ନେବା ପୂର୍ବରୁ ପାକ୍‌ ସେନାର କର୍ପସ କମାଣ୍ଡର, ସାମରିକ କାର୍ଯ୍ୟାନୁଷ୍ଠାନ ବିଭାଗର ମହାନିର୍ଦ୍ଦେଶକ(ଡିଜିଏମଓ) ଏବଂ ଆଡଜୁଟାଣ୍ଟ ଜେନେରାଲ ଭାବେ କାମ କରିସାରିଛନ୍ତି । ଡିଜିଏମଓ ପଦବିରେ ଥିବା ଜଣେ ବ୍ୟକ୍ତି ଏକ ବିଦେଶୀ ରାଷ୍ଟ୍ର ପାଇଁ ଗୁଇନ୍ଦାଗିରି କରିବା ହେଉଛି ଏକ କ୍ୱଚିତ ଘଟଣା । ଇକବାଲଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ସେହିପରି ବ୍ରିଗେଡିୟର ର‌୍ୟାଙ୍କର ଅଧିକାରୀ ରାଜା ରିଜୱାନ ହାଇଦରଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । ସେ ବି ପାକ୍‌ ସେନାରେ ଅନେକ ବଡ଼ ବଡ଼ ପଦବିରେ କାର୍ଯ୍ୟ କରିସାରିଛନ୍ତି । ଅବସର ନେବା ପୂର୍ବରୁ ସେ ଜର୍ମାନୀ ସ୍ଥିତ ପାକ୍‌ ଦୂତାବାସରେ ବି ଅବସ୍ଥାପିତ ହୋଇଥିଲେ । ଆକ୍ରମ ନାମକ ଯେଉଁ ଡାକ୍ତରଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି ସେ କାହୁଟା ସ୍ଥିତ ପାକିସ୍ତାନର ପ୍ରମୁଖ ଆଣବିକ ଗବେଷଣା କେନ୍ଦ୍ରରେ ନିୟୋଜିତ ଥିଲେ ।

କୁହାଯାଉଛି କି ଏସବୁ ଅଧିକାରୀମାନଙ୍କ ଜରିଆରେ ସିଆଇଏ ପାକିସ୍ତାନର ଆଣବିକ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସମ୍ପର୍କିତ ବହୁ ଗୋପନୀୟ ତଥ୍ୟ ହାତେଇ ନେଇଛି । ପାକିସ୍ତାନର ଅନେକ ଗୋପନୀୟ ଆଣବିକ କେନ୍ଦ୍ର, ମିସାଇଲ ଓ ପରମାଣୁ ବୋମାର ସଂଖ୍ୟା ଏବଂ କେଉଁ ସୂତ୍ରରୁ ପାକିସ୍ତାନ ଏଥିପାଇଁ ବିଭିନ୍ନ ଉପକରଣ ଓ ଜ୍ଞାନକୌଶଳ ହାସଲ କରୁଛି, ସେସବୁ ତଥ୍ୟ ଏବେ ଆମେରିକା ପାଖରେ ପହଞ୍ଚିଯାଇଛି । ତେଣୁ ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମ ଆଉ ଗୋପନୀୟ ହୋଇରହିନାହିଁ । ଏହାଯୋଗୁ ପାକ୍‌ ସେନା ଖୁବ ଚିନ୍ତିତ ହୋଇପଡିଛି ।
ଭାରତ ପାଇଁ ଗୁପ୍ତଚର ବୃତ୍ତି କରୁଥିଲେ କି!
ଆଉ କେତେକ ରିପୋର୍ଟରେ ଦାବି କରାଯାଇଛି ଯେ ଗୁପ୍ତଚର ବୃତ୍ତି ଅଭିଯୋଗରେ ଦଣ୍ଡିତ ପାକ୍‌ ସେନାଧିକାରୀମାନେ ଭାରତ ପାଇଁ କାମ କରୁଥିଲେ । ସେମାନେ ଭାରତର ଗୁଇନ୍ଦା ସଂସ୍ଥା ‘ର’କୁ ଏସବୁ ତଥ୍ୟ ହସ୍ତାନ୍ତର କରୁଥିଲେ । ପାକ୍‌ ସେନା ସେମାନଙ୍କୁ ଯେଉଁ ପ୍ରକାର କଠୋର ଦଣ୍ଡ ଦେଇଛି, ସେଥିରୁ ସେମାନେ ଭାରତ ପାଇଁ କାମ କରୁଥିଲେ ବୋଲି ଅନେକ ସନ୍ଦେହ କରୁଛନ୍ତି । ଯଦି ଏହା ସତ ହୋଇଥାଏ, ତାହାହେଲେ ‘ର’ ପାକ୍‌ ସେନା ଭିତରେ କେତେ ଉଚ୍ଚ ସ୍ତର ଯାଏଁ ନିଜର ନେଟୱର୍କ ବିସ୍ତାର କରିଛି, ତାହା ଜଣାପଡୁଛି ।