ବାଲକୋଟରେ ଭାରତୀୟ ପାଇଲଟ ଗଛ ଭାଙ୍ଗିଥିବା ଅଭିଯୋଗ କଲା ପାକ୍, ଦେଲା ଏଫଆଇଆର

ନୂଆଦିଲ୍ଲୀ,୮।୩: ଜୈଶ-ଏ-ମହମ୍ମଦର ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକୁ ପାକିସ୍ତାନ ଭୁଲରେ ମଧ୍ୟ ଭୁଲିବାକୁ ଚାହୁଁନାହିଁ। ଏୟାର ଷ୍ଟ୍ରାଇକ ପରେ ଏବେ ପାକିସ୍ତାନର ହାସ୍ୟସ୍ପଦ ଅଭିଯୋଗ ଅନେକଙ୍କ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନ ଏବେ ଭାରତୀୟ ବାୟୁସେନାର ଜଣେ ପାଇଲଟଙ୍କ ବିରୋଧରେ ଏଫଆଇଆର ଦେଇଛି । ଏହି ଏଫଆଇଆର ଏୟାରଷ୍ଟ୍ରାଇକ ବେଳେ ଭାଙ୍ଗି ଯାଇଥିବା ଗଛକୁ ନେଇ କରିଛି। ପାକିସ୍ତାନର ବାଲକୋଟରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ବୋମା ବର୍ଷଣ କରିବା ଘଟଣାରେ ପାକିସ୍ତାନ ବନ ବିଭାଗ ପକ୍ଷରୁ ଏକ ଏଫ୍ଆଇଆର ରୁଜୁ କରାଯାଇଛି।
ଏହି ଏଫ୍ଆଇଆର ପଛର କାରଣ ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟଜନକ। ଏଥିରେ କୁହାଯାଇଛି କିଛି ଅଜଣା ପାଇଲଟ ପାକିସ୍ତାନର ୧୯ଟି ଗଛକୁ ଭାଙ୍ଗି ଦେଇଛନ୍ତି। ଏହାଛଡା ଭାରତ ନାମରେ ଇକୋ-ଟେରରିଜମର ଅଭିଯୋଗ ଆଣିଛି ପାକିସ୍ତାନ। ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ ଗଛକୁ ଛାଡ଼ି ଆଉ କାହାର କୌଣସି କ୍ଷତି ହୋଇନାହିଁ ବୋଲି ଦର୍ଶାଇବାକୁ ଯାଇ ଏଭଳି ହାସ୍ୟାସ୍ପଦ ପଦକ୍ଷେପ ନେଇଛି ପାକିସ୍ତାନ।
ଏହା ପୂର୍ବରୁ ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମାଲିକ୍ ଆମିନ୍ ଅସଲାମ ଗତ ସପ୍ତାହରେ କହିଥିଲେ ‘ସେଠାରେ ଯାହା ଘଟିଲା, ତାହା ପରିବେଶ ଆତଙ୍କବାଦ। ଅନେକ ପାଇନ୍ ଗଛ ନଷ୍ଟ ହୋଇଥିବାରୁ ପରିବେଶ ଉପରେ ଖରାପ ପ୍ରଭାବ ପକାଇବ। ଉଲ୍ଳେଖନୀୟ ଯେ ଗତ ୧୪ ଫେବୃଆରୀରେ ପୁଲଓ୍ବାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ୪୦ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ। ଏହାର ପ୍ରତିଶୋଧ ନେବାକୁ ଭାରତୀୟ ବାୟୁସେନା ବାଲକୋଟରେ ଥିବା ଆତଙ୍କବାଦୀଙ୍କ କ୍ୟାମ୍ପ ଉପରକୁ ଏୟାର ଷ୍ଟ୍ରାଇକ୍ କରିଥିଲା। ଯାହାଫଳରେ ପାଖା ପାଖି ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ରହିଛି।