ନୂଆଦିଲ୍ଲୀ, ୧୯/୧୦: ତୁର୍କି ଓ କତାରର ମଧ୍ୟସ୍ଥତାରେ ବଡ଼ ସଫଳତା । ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି । ଦୋହାରେ ତୁର୍କୀ ଓ କତାରର ମଧ୍ୟସ୍ଥତାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ଦୁଇ ଦେଶ । ଏ ନେଇ ଘୋଷଣା କରିଛି କତାର । ଆଗାମୀ ଦିନରେ ଆହୁରି ଅଧିକ ବୈଠକ ସହ ଆଲୋଚନା ପାଇଁ ମଧ୍ୟ ରାଜି ହୋଇଛନ୍ତି ପାକିସ୍ତାନ-ଆଫଗାନିସ୍ତାନ । ବୈଠକରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ ।

ସ୍ଥାୟୀ ଯୁଦ୍ଧବିରତି ସୁନିଶ୍ଚିତ କରିବା ପାଇଁ ଅଧିକ ବୈଠକ- କତାର କହିଛି ଯେ, ଅସ୍ତ୍ରବିରତି ସ୍ଥାୟୀ ଏବଂ ସଠିକ୍ ଭାବରେ କାର୍ଯ୍ୟକାରୀ ହେବା ନିଶ୍ଚିତ କରିବା ପାଇଁ ଉଭୟ ପକ୍ଷ ଆଗାମୀ ଦିନରେ ଅଧିକ ବୈଠକ କରିବାକୁ ରାଜି ହୋଇଛନ୍ତି । ଏହି ଶାନ୍ତି ଆଲୋଚନା ସମ୍ପ୍ରତି ସଂଘର୍ଷ ପରେ ହୋଇଛି ଯେଉଁଥିରେ ଉଭୟ ଦେଶର ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଆହତ ହୋଇଛନ୍ତି । ୨୦୨୧ ମସିହାରେ ତାଲିବାନ କ୍ଷମତାକୁ ଫେରିବା ପରେ ଏହା ଦୁଇ ଦେଶ ମଧ୍ୟରେ ସବୁଠାରୁ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଆଫଗାନ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ମହମ୍ମଦ ୟାକୁବ ନେଇଥିଲେ, ଯେତେବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍‌ ତାଲିବାନ ପ୍ରତିନିଧିମାନଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

୪ ବର୍ଷରେ ଆଫଗାନିସ୍ତାନ ସୀମା ୧୨୦୦ ରୁ  ଉଲ୍ଲଂଘନ କରିଛି- ବିଗତ ଚାରି ବର୍ଷ ମଧ୍ୟରେ ପାକିସ୍ତାନୀ ସେନା ଆଫଗାନିସ୍ତାନର ସୀମା ୧୨୦୦ ରୁ ଅଧିକ ଥର ଏବଂ ଏହାର ବାୟୁସୀମା ୭୧୦ ଥର ଉଲ୍ଲଂଘନ କରିଛି ବୋଲି ଆଫଗାନିସ୍ତାନ ସୂତ୍ରରୁ ଜଣାପଡ଼ିଛି । କାବୁଲରେ ପାକିସ୍ତାନୀ ବିମାନ ଆକ୍ରମଣ ପରେ ଗତ ସପ୍ତାହରେ ସାମରିକ ସଂଘର୍ଷ ଆରମ୍ଭ ହୋଇଥିଲା । ଅକ୍ଟୋବର ୧୧ ​​ତାରିଖରେ ଡୁରାଣ୍ଡ ରେଖାରେ ପାକିସ୍ତାନୀ ସେନା ପୋଷ୍ଟ ବିରୁଦ୍ଧରେ ପ୍ରତିଶୋଧମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ କରିଥିଲା ଆଫଗାନିସ୍ତାନ ।

ଆଫଗାନିସ୍ତାନର ପକ୍ତିଆ ପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ଶୁକ୍ରବାର ରାତିରେ ଏୟାର ଷ୍ଟ୍ରାଇକ୍‌ କରିଥିଲା । ଏଥିରେ ୩ ଜଣ ଆଫଗାନୀ କ୍ରିକେଟର ଓ ୧୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏଥିସହ ଅନ୍ୟ ୧୬ ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଦୁଇଦେଶ ଭିତରେ ଉତ୍ତେଜନା ଲାଗି ରହିଛି । ଏହି ଆକ୍ରମଣ ପରେ ପାକିସ୍ତାନ ସହ ହେବାକୁ ଥିବା ଟି-୨୦ ମ୍ୟାଚ୍‌ରୁ ଆଫଗାନିସ୍ତାନ ଓହରିବାକୁ ନିଷ୍ପତ୍ତି ନେଇଛି ଆଫଗାନ କ୍ରିକେଟ ବୋର୍ଡ ।