ନୂଆଦିଲ୍ଲୀ,୧୫।୨: ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀର ଏବେ ଜର୍ମାନୀର ମ୍ୟୁନିଚ୍ ଗସ୍ତରେ ଅଛନ୍ତି। ଏହି ସମୟରେ ଏଭଳି କିଛି ଘଟିଥିଲା ଯାହା ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ପହଞ୍ଚିବା ସମୟରେ ପ୍ରବେଶ ପଥରେ ସୁରକ୍ଷା ଅଧିକାରୀ ତାଙ୍କୁ ଅଟକାଇଥିଲେ। ଏକ ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ମହିଳା ସୁରକ୍ଷା ଅଧିକାରୀ ତାଙ୍କୁ ଅଟକାଇ ତାଙ୍କର ପରିଚୟପତ୍ର ଦେଖାଇବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏହି ଘଟଣା ବିଶ୍ୱ ସୁରକ୍ଷା ସମ୍ମିଳନୀର କଠୋର ପ୍ରୋଟୋକଲ ଏବଂ ନିୟମାବଳୀର ଗମ୍ଭୀରତାକୁ ଦର୍ଶାଉଛି।

ଭିଡିଓରେ ଦେଖିବାକୁ ମିଳୁଛି କାର୍ଯ୍ୟକ୍ରମ ସ୍ଥଳକୁ ମୁନୀର ଯିବା ପୂର୍ବରୁ ସୁରକ୍ଷା ଅଧିକାରୀ ତାଙ୍କ ପରିଚୟ ଜାଣିବାକୁ ନେମ୍ ବ୍ୟାଜ୍ ମାଗିଥିଲେ। ଫୁଟେଜ୍‌ରେ ଜଣେ ସୁରକ୍ଷା ଅଧିକାରୀ ଏହା ମଧ୍ୟ କହୁଛନ୍ତି ଯେ,ରୁହନ୍ତୁ ଆପଣଙ୍କ ଆଇଡି କାର୍ଡ କେଉଁଠି ? ଦୟାକରି ନିଜର ଆଇଡି କାର୍ଡ ଓଲଟାଇ ଦେଖାଇବେ।’ ୧୩-୧୫ ଫେବୃଆରୀ ଭିତରେ ଅନୁଷ୍ଠିତ ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ, ମୁନିରଙ୍କୁ ଜଣେ ସାଧାରଣ ନାଗରିକ ପରି ବ୍ୟବହାର କରାଯାଇଥିଲା ଏବଂ ମାନକ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ତାଙ୍କର ପରିଚୟପତ୍ର ଦେଖାଇବାକୁ କୁହାଯାଇଥିଲା। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଲୋକେ ଏହାକୁ ପାକିସ୍ତାନ କୁଟନୈତିକ ଲଜ୍ଜା ବୋଲି କହିଛନ୍ତି। ୟୁଜର ଲେଖିଛନ୍ତି, ଦୁନିଆରେ ମୁନୀରଙ୍କୁ କେହି ବି ଜାଣିନାହାନ୍ତି। ଅନ୍ତର୍ଜାତୀୟ ମଞ୍ଚରେ ତାଙ୍କୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଛି। ତେବେ କିଛି ଲୋକ କହିଛନ୍ତି ହାଇ ଲେବଲ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ସୁରକ୍ଷା ଯାଞ୍ଚ ଏକ ସାଧାରଣ ପ୍ରକ୍ରିୟା ରହିଥାଏ।

ଏହି ଘଟଣା ଉପରେ ମତ ଦେଇ ପୂର୍ବତନ ପାକିସ୍ତାନୀ ସାମରିକ ଅଧିକାରୀ ଆଦିଲ ରାଜା କହିଛନ୍ତି, ବିଶ୍ୱରେ ମୁନୀରଙ୍କୁ କେହି ଚିହ୍ନି ନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଗେଟ୍ରେ ଥିବା ଜଣେ ସୁରକ୍ଷାକର୍ମୀ ମୁନିରଙ୍କୁ ପଚାରନ୍ତି, ତେବେ ସେ ନିଜର ପରିଚୟ ଦିଅନ୍ତି। ଉଲ୍ଲେଖନୀୟ ଯେ, ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀ ପ୍ରତିବର୍ଷ ଅନୁଷ୍ଠିତ ହୁଏ ଯେଉଁଠାରେ ବିଶ୍ୱ ନେତା, ପ୍ରତିରକ୍ଷା ଅଧିକାରୀ, କୂଟନୀତିଜ୍ଞ ଏବଂ ନୀତି ବିଶେଷଜ୍ଞମାନେ ଆନ୍ତର୍ଜାତୀୟ ସୁରକ୍ଷା ଚ୍ୟାଲେଞ୍ଜ ଉପରେ ଆଲୋଚନା କରିବା ପାଇଁ ଏକାଠି ହୁଅନ୍ତି।

ଆହୁରି ପଢନ୍ତୁ: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ତାରିକ ରହମାନ, ଏହିଦିନ ନେବେ ଶପଥ...