ପାକିସ୍ତାନକୁ କହିଲା ଭାରତ, ଦାଉଦ ଓ ସଲାଉଦ୍ଦିନକୁ ହସ୍ତାନ୍ତର କର

ନୂଆଦିଲ୍ଲୀ,୧୬।୩: ଯଦି ଆତଙ୍କବାଦର ମୁକାବିଲା ପାଇଁ ପାକିସ୍ତାନ ଗମ୍ଭୀର ତେବେ ପ୍ରଥମେ ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଏବଂ ସୟିଦ୍ ସଲ୍ଲାଉଦ୍ଦିନ୍କୁ ଫେରାଉ ବୋଲି ଆହ୍ୱାନ କରିଛି ଭାରତ। ଏମାନେ ଭାରତୀୟ ନାଗରିକ ହୋଇଥିବା ବେଳେ ସେମାନେ ପାକିସ୍ତାନରେ ରହୁଛନ୍ତି। ତାଙ୍କୁ ଭାରତ ହାତରେ ହସ୍ତାନ୍ତର କରାଯାଉ ବୋଲି ଆଜି ଏକ ସରକାରୀ ସୁତ୍ରରୁ ଜଣାପଡିଛି। ଭାରତ କହିଛି ପୁଲ୍ୱାମା ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ଜୈଶ୍-ଏ-ମହମ୍ମଦ ନିଜକୁ ଦାୟୀ କରିସାରିବା ପରେ ମଧ୍ୟ ଏହା ବିରୋଧରେ ପାକିସ୍ତାନ କିଛି ମଧ୍ୟ କାର୍ଯ୍ୟାନୁଷ୍ଠାନ ନନେବା ଆଶ୍ଚର୍ଯ୍ୟଜନକ।

ଯଦି ପାକିସ୍ତାନ ଆତଙ୍କବାଦ ନିପାତ କରିବା ପାଇଁ ଭାରତର ଦାବିକୁ ସମର୍ଥନ କରୁଛି ତେବେ ଦାଉଦ୍, ସଲ୍ଲାଉଦ୍ଦିନ୍ ଏବଂ ଅନ୍ୟ ଭାରତୀୟ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରି ଏହା ପ୍ରମାଣିତ କରୁ। କେବଳ ଲୋକ ଦେଖାଣିଆ ପଦକ୍ଷେପ ନେଲେ କିଛି ପ୍ରଭାବ ପଡ଼ିବାର ନାହିଁ। ଯେଉଁମାନେ ଭାରତରେ ବିଭିନ୍ନ ସମୟରେ ଭୟଙ୍କର ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇ ୱାଣ୍ଟେଡ୍ ତାଲିକାଭୁକ୍ତ ହୋଇଛନ୍ତି।ତାଙ୍କୁ ଆଗ ଆମକୁ ହସ୍ତାନ୍ତର କରାଯାଉ।
ଏହି ଆତଙ୍କବାଦୀ ଏବଂ ସେମାନଙ୍କ ପରିଚାଳନାରେ ଥିବା ବିଭିନ୍ନ ସଂଗଠନ ସମ୍ପର୍କରେ ଭାରତ ପକ୍ଷରୁ ତଥ୍ୟ ମଧ୍ୟ ଦିଆଯାଇଛି। ସେମାନେ ପାକିସ୍ତାନ ମାଟିରୁ ହିଁ ସବୁକିଛି ନିୟନ୍ତ୍ରଣ କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ଏହି ପ୍ରମାଣକୁ ଅନ୍ୟ କୌଣସି ରାଷ୍ଟ୍ର ଅନୁସନ୍ଧାନ କରି ପ୍ରମାଣ କରିପାରିବ ବୋଲି ଭାରତ ଦାବି କରିଛି।