୧୮୨ଟି ମଦ୍ରାସା ଜବତ କରାଯିବା ସହ ୧୨୧ ଜଣଙ୍କୁ ଗିରଫ କରାଯାଇଛି:ପାକିସ୍ତାନ

ଇସଲାମାବାଦ,୭।୩: ପାକିସ୍ତାନରେ ନିଷିଧ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏପର୍ଯ୍ୟନ୍ତ ସାରାଦେଶର ୧୮୨ ଟି ମଦ୍ରାସାକୁ ଦଖଲ କରାଯାଇଥିବା ବେଳେ ୧୨୧ ଜଣଙ୍କୁ ଗିରଫ କରାଯାଇ ସାରିଛି ବୋଲି ପାକିସ୍ତାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ବସ୍ତରରୁ ଚାପ ପଡିବା ପରେ ପାକିସ୍ତାନ ସରକାର ଜୈଶ-ଏ-ମହମ୍ମଦ ସମେତ ଭାରତ ବିରୋଧରେ ସକ୍ରିୟ ଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ତେବେ ପାକିସ୍ତାନ ଅଧିକାରୀଙ୍କ କହିବା ଅନୁସାରେ ଏହି ଅଭିଯାନ ତାଙ୍କ ଦେଶରେ ଦୀର୍ଘକାଳୀନ ଯୋଜନାର ଅଂଶ। ଏହାର ଭାରତ ସହିତ କୌଣସି ସମ୍ପର୍କ ନାହିଁ। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବିଭିନ୍ନ ସଂଗଠନର ଅନ୍ୟ ସଂସ୍ଥାକୁ ମଧ୍ୟ ନିୟନ୍ତ୍ରଣରେ ନିଆଯାଇଛି। ଏଥିରେ ୩୪ ଟି ସ୍କୁଲ-କଲେଜ, ୧୬୩ଟି ଔଷଧ ଦୋକାନ, ୧୮୪ଟି ଆମ୍ବୁଲାନ୍ସ,, ୫ଟି ହସ୍ପିଟାଲ ଓ ନିଷିଧ ସଂଗଠନର ୮ଟି କାର୍ଯ୍ୟାଳୟ ରହିଛି। ଜୈଶ-ଏ-ମହମ୍ମଦ ଭଳି ନିଷିଧ ସଂଗଠନ ଦ୍ବାରା ପରିଚାଳିତ ମଦ୍ରସାର ବ୍ୟବହାର ଆତଙ୍କବାଦୀ ସଂଗଂନ ପାଇଁ ଭର୍ତ୍ତି ଶିବିର ଭଳି କରାଯାଉଥିଲା। ଅନୁମାନ କରାଯାଉଛି ଏହି ସଂଗଠନ ମଧ୍ୟ ପାକିସ୍ତାନରେ ପ୍ରାୟ ୩୦୦ ମଦ୍ରସାର ପରିଚାଳନା କରିଥାଏ।