ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଉପସ୍ଥାପିତ ଗାଜା ଶାନ୍ତି ଯୋଜନାରୁ ପାକିସ୍ତାନ ନିଜକୁ ଦୂରେଇ ରଖିଛି। ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ମଙ୍ଗଳବାର କହିଛନ୍ତି ଯେ, ଏହି ଯୋଜନା ୮ଟି ମୁସଲିମ ଦେଶ ଦ୍ୱାରା ପ୍ରସ୍ତାବିତ ପଏଣ୍ଟଠାରୁ ଭିନ୍ନ । ଦାରଙ୍କ ଅନୁଯାୟୀ, ଟ୍ରମ୍ପଙ୍କ ଯୋଜନାରେ ଯୁଦ୍ଧବିରତି, ମାନବିକ ସହାୟତା ପ୍ରଦାନ ଏବଂ ବଳପୂର୍ବକ ବିସ୍ଥାପନ ବନ୍ଦ କରିବା ଭଳି ପ୍ରମୁଖ ପଏଣ୍ଟ ଅନ୍ତର୍ଭୁକ୍ତ ନାହିଁ। ତେଣୁ, ପାକିସ୍ତାନ ଏହାକୁ ସମର୍ଥନ କରେ ନାହିଁ।  ସେପଟେ ହ୍ୱାଇଟ୍ ହାଉସରେ ଟ୍ରମ୍ପ-ନେତାନ୍ୟାହୁ ବୈଠକର ମାତ୍ର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲେ। 

ଶାହବାଜ କହିଥିଲେ, ‘ମୁଁ ଟ୍ରମ୍ପଙ୍କ ୨୦-ସୂତ୍ରୀ ଯୋଜନାକୁ ସ୍ୱାଗତ କରୁଛି ।  ଗାଜା ଯୁଦ୍ଧ ବନ୍ଦ କରିବା ଏହାର ଲକ୍ଷ୍ୟ।’ ଟ୍ରମ୍ପ ସେପ୍ଟେମ୍ବର ୨୯ ତାରିଖରେ ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଶାନ୍ତି ଯୋଜନା ଘୋଷଣା କରିଥିଲେ। ସେହି ସମୟରେ ଟ୍ରମ୍ପ ଦାବି କରିଥିଲେ ଯେ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଫିଲ୍ଡ ମାର୍ଶଲ ଅସୀମ ମୁନିର ଏହି ଯୋଜନାର ୧୦୦% ସମର୍ଥକ।  ହ୍ୱାଇଟ୍ ହାଉସ୍ ୱେବସାଇଟରେ ଯୋଜନାର ବିବରଣୀ ପ୍ରକାଶ ପାଇବା ମାତ୍ରେ ପାକିସ୍ତାନର ଚିନ୍ତା ବଢ଼ିଥିଲା। ପରଦିନ ବୈଦେଶିକ ମନ୍ତ୍ରୀ ଇସାକ ଦାର୍ ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାରୁ ନିଜକୁ ଦୂରେଇ ରଖିଲେ। ଏବେ ପ୍ରଶ୍ନ ଉଠୁଛି ଯେ, ହଠାତ୍ ଏହି ପରିବର୍ତ୍ତନ କାହିଁକି ହେଲା ? 

ପାକିସ୍ତାନ କ'ଣ ଟ୍ରମ୍ପଙ୍କ ଯୋଜନାକୁ ସମର୍ଥନ କରିବାରେ ଶୀଘ୍ରତା କରିଥିଲା, ନା ନେତାନ୍ୟାହୁଙ୍କ ଆବେଦନ ପରେ ସଂଶୋଧନ ଯୋଗୁଁ ଏହି ପରିବର୍ତ୍ତନ ହୋଇଥିଲା ? ଆଉ ଏକ ପ୍ରଶ୍ନ ହେଉଛି ଯେ, ପାକିସ୍ତାନ ଭିତରେ ଆଭ୍ୟନ୍ତରୀଣ ରାଜନୈତିକ ଚାପ ଏହାର ପ୍ରକୃତ କାରଣ କି ? ପ୍ରକୃତରେ, ଟ୍ରମ୍ପଙ୍କ ଗାଜା ଯୋଜନା ଏବଂ ଏହାର ସମର୍ଥନକୁ ପାକିସ୍ତାନୀ ନେତା ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଖୋଲାଖୋଲି ସମାଲୋଚନା କରିଥିଲେ। ଟାଇମ୍ସ ଅଫ୍ ଇସ୍ରାଏଲର ଏକ ରିପୋର୍ଟ ଅନୁଯାୟୀ, ନେତାନ୍ୟାହୁ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ ଚୁକ୍ତିନାମାରେ କିଛି ପରିବର୍ତ୍ତନ କରିଥିଲେ। ଏହି ସଂଶୋଧନ ଅନୁଯାୟୀ, ଗାଜାରୁ ଇସ୍ରାଏଲୀ ସୈନ୍ୟଙ୍କ ପ୍ରତ୍ୟାହାର ଏବେ ବିଶେଷ ପରିସ୍ଥିତିରେ ହେବ। ପରେ ଏକ ସୁରକ୍ଷା କ୍ଷେତ୍ର ସୃଷ୍ଟି କରିବାର ପ୍ରସ୍ତାବ ମଧ୍ୟ ଯୋଡା ଯାଇଥିଲା। 

ମଙ୍ଗଳବାର ଦିନ ଇସଲାମାବାଦରେ ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର କହିଥିଲେ ଯେ, ନେତାନ୍ୟାହୁଙ୍କ ହସ୍ତକ୍ଷେପ ପରେ ଆମେରିକା ଯୋଜନାକୁ ପରିବର୍ତ୍ତନ କରିଛି । କତାର ସମେତ ଦୁଇଟି ଆରବ ଦେଶ ଆଶ୍ୱାସନା ଦେଇଛନ୍ତି ଯେ, ହମାସ ଚୁକ୍ତିନାମାକୁ ଗ୍ରହଣ କରିବ। ଦାର କହିଛନ୍ତି, ‘ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ପାକିସ୍ତାନ କୌଣସି ଚୁକ୍ତିର ଅଂଶ ହେବ ନାହିଁ। ଆମର ନୀତି ସମାନ ରହିଛି । ଇସ୍ରାଏଲକୁ ସେହିପରି ରହିବାକୁ ଦିଅ । ଆମେ ଏହାକୁ ସ୍ୱୀକୃତି ଦେବୁ ନାହିଁ। ଆମର ଲକ୍ଷ୍ୟ କେବଳ ମାନବୀୟ ସହାୟତା ଯୋଗାଇବା, ରକ୍ତପାତ ବନ୍ଦ କରିବା ।’