ମୋଦିଙ୍କ ବିଜୟ ସମ୍ଭାବନାକୁ ନେଇ ପାକ୍ର ହୃତ୍କମ୍ପ

ନୂଆଦିଲ୍ଲୀ,୨୨ ।୫(ଏଜେନ୍ସି): ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଭାରତରେ ଯେତିକି ଉତ୍କଣ୍ଠା ଓ ଚର୍ଚ୍ଚା ଲାଗି ରହିଛି ସେତିକି ଉତ୍କଣ୍ଠା ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି । ଭାରତ ଭଳି ପାକିସ୍ତାନ ମଧ୍ୟ ନିର୍ବାଚନ ଫଳ ଉପରେ ତୀକ୍ଷ୍ଣ ନଜର ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର କ୍ଷମତାକୁ ଫେରିବେ ବୋଲି ଏକ୍ଜିଟ ପୋଲରେ ପୂର୍ବାନୁମାନ କରିବା ପରେ ତାକୁ ନେଇ ପାକିସ୍ତାନ ଗଣମାଧ୍ୟମରେ ଜୋର୍ଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ପାକିସ୍ତାନରୁ ପ୍ରକାଶିତ ଖବରକାଗଜ ‘ଡନ୍’ର ସମ୍ପାଦକୀୟରେ କୁହାଯାଇଛି ଯେ ଯଦି ଏକ୍ଜିଟ ପୋଲକୁ ବିଶ୍ୱାସ କରାଯାଏ ତେବେ ନରେନ୍ଦ୍ର ମୋଦି ପୁନର୍ବାର ୫ ବର୍ଷ ପାଇଁ ଶାସନ କରିବା ଦିଗରେ ଅଗ୍ରସର ହେଉଛନ୍ତି । ହିନ୍ଦୁ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗ ଆଧାରରେ ମୋଦି ପୂର୍ଣ୍ଣ ବହୁମତ ହାସଲ କରିବାର ସମ୍ଭାବନା ମଧ୍ୟ ରହିଛି । ମୋଦିଙ୍କ ଦ୍ୱିତୀୟ ପାଳିରେ ପାକିସ୍ତାନ ସହିତ ଉତ୍ତେଜନା ଥମିବାର କୌଣସି ସମ୍ଭାବନା ନାହିଁ । କ୍ଷମତାକୁ ମୋଦିଙ୍କର ପୁନର୍ବାର ପ୍ରତ୍ୟାବର୍ତ୍ତନ ତାଙ୍କର ପାକିସ୍ତାନ ପ୍ରତି ରହିଥିବା ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଘଟିବ । ମୋଦିଙ୍କ ଦ୍ୱିତୀୟ ପାଳିରେ ପାକିସ୍ତାନ ସହିତ ସମ୍ପର୍କ ସୁଧୁରିବ ବୋଲି ସେଠାକାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆଶା ପ୍ରକାଶ କରିଥିଲା ବେଳେ ତାକୁ କିନ୍ତୁ ଦେଶର ରାଜନୈତିକ ବିଶ୍ଳେଷକମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ମୋଦି ତାଙ୍କ ଦ୍ୱିତୀୟ ପାଳିରେ ପାକିସ୍ତାନ ପ୍ରତି ଆକ୍ରମଣାତ୍ମକ ମନୋଭାବକୁ ଆହୁରି କଠୋର କରିବେ ନା ନାହିଁ ତାହା ଅଧିକାଂଶ ପାକିସ୍ତାନୀ ରାଜନେତା ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
‘ମୋଦି ଯଦି ଫେରନ୍ତି’ ଶୀର୍ଷକ ଲେଖାରେ ପାକିସ୍ତାନର ବିଶିଷ୍ଟ ସ୍ତମ୍ଭକାର ଜାହିଦ ହୁସେନ ଲେଖିଛନ୍ତି ଯେ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନୁହନ୍ତି । ବାଜପେୟୀଙ୍କ ସହ ମୋଦିଙ୍କୁ ତୁଳନା କରିବା ସବୁଠାରୁ ବଡ ଭୁଲ ହେବ । ମୋଦି ଦୁଇଦେଶ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ ଶକ୍ତି ପ୍ରୟୋଗ ମାଧ୍ୟମରେ କରିବାକୁ ଚାହୁଁଛନ୍ତି । ଇମ୍ରାନଙ୍କ ଶାନ୍ତି ଆଲୋଚନାର ଜବାବ କ’ଣ ମୋଦି ସକରାତ୍ମକ ଭାବେ ଦେବେ? ମୋଦିଙ୍କ ଦ୍ୱିତୀୟ ପାଳି ତାଙ୍କର ପ୍ରଥମ ପାଳି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ କି? ଏଭଳି ଅନେକ ପ୍ରଶ୍ନ ପାକିସ୍ତାନ ମିଡିଆରେ ଦେଖିବାକୁ ମିଳିଛି । କାଶ୍ମୀର ପ୍ରସଙ୍ଗକୁ ନେଇ ମଧ୍ୟ ପାକିସ୍ତାନ ମିଡିଆରେ ଖବର ଛାଇ ହୋଇଯାଇଛି । ସେଥିରେ କୁହାଯାଇଛି କି ନିର୍ବାଚନ ପ୍ରଚାର ସମୟରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବାକୁ ବିଜେପି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛି । ‘ଏକ୍ସପ୍ରେସ ଟ୍ରିବ୍ୟୁନ’ ରେ ପ୍ରକାଶିତ ଖବର ଅନୁସାରେ ମୋଦି କାଶ୍ମୀର ପ୍ରସଙ୍ଗରେ ନିଜର ରଣନୀତି ବଦଳାଇବେ ବୋଲି କୌଣସି ସଙ୍କେତ ଦେଖିବାକୁ ମିଳୁନି । ମୋଦିଙ୍କ ଦ୍ୱିତୀୟ ପାଳିରେ କାଶ୍ମୀରରେ ହିଂସା ଆହୁରି ବଢ଼ିପାରେ । ଯାହାର ସିଧାସଳଖ ପ୍ରଭାବ ନୂଆଦିଲ୍ଲୀ ଓ ଇସ୍ଲାମାବାଦର ସମ୍ପର୍କ ଉପରେ ପଡିବ ।
ପାକିସ୍ତାନର ଅନ୍ୟ ଏକ ଖବରକାଗଜ ‘ଦି ନ୍ୟୁଜ ଇଣ୍ଟରନ୍ୟାସନାଲ’ ଲେଖିଛି ଯେ ମୋଦିଙ୍କ ବିଜୟ ସମ୍ଭାବନାକୁ ନେଇ ଏକ୍ଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇବା ପରେ ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ ଓ ଏହା ସହିତ ଜଡିତ ଅଫିସରମାନେ ଆଗାମୀ ରଣନୀତି ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।