ନୂଆଦିଲ୍ଲୀ,୧୦/୦୨; ମୁହଁଫୁଟାଣି ଛାଡ଼ିଗଲା । ଭାଉ ଖାଉଥିଲା ସବୁ ରଙ୍ଗ ଏକାଥରେ ଶେଷ । ବିନା କାରଣରେ ମ୍ୟାଚ୍ ଖେଳିବାକୁ ମନା କରୁଥିଲା । ୯ ଦିନରେ ଭାଙ୍ଗିଗଲା ଅହଂକାର । ଭାରତ ସହ ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚ ବୟକର କରିବାକୁ କହି ଆସୁଥିଲା । ହେଲେ ୟୁଟର୍ଣ୍ଣ ନେବାକୁ ବାଧ୍ୟ ହେବା । ଚାରିପଟୁ ଘେରିଗଲା ଆଇସିସି । ଶେଷ ମୁଣ୍ଡ ନୁଆଁଇ ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତ ସହ ଖେଳିବାକୁ ରାଜି ହୋଇଛି ପାକିସ୍ତାନ । ମ୍ୟାଚ୍ ଖେଳିବାକୁ ପିସିବିକୁ ଅନୁମତି ଦେଇଛନ୍ତି ପାକିସ୍ତାନ ସରକାର । ଗୋଟିଏ ଦିନରେ ଅଲଟିମେଟମ୍ ନୁହେଁ ମାତ୍ର କିଛି ଘଣ୍ଟାରେ ବୟକଟ ନିଷ୍ପତ୍ତି ବଦଳାଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ଆସନ୍ତା ୧୫ ତାରିଖରେ କଲମ୍ବୋରେ ଖେଳାଯିବ ଭାରତ-ପାକିସ୍ତାନ ହାଇଭୋଲ୍ଟଜ ମ୍ୟାଚ୍ ।

ଆଇସିସି ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟରେ ଆଲୋଚନା ସଫଳ ହୋଇଛି । ଶେଷରେ ପାକିସ୍ତାନ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ ବୟକଟ୍ ନିଷ୍ପତ୍ତିରୁ ଓହରି ଯାଇଛି । ଆସନ୍ତା ୧୫ ତାରିଖରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏ ବିଷୟ ନେଇ ଆଇସିସି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି । ପାକିସ୍ତାନ ସରକାର ମଧ୍ୟ ଏକ୍ସରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବା ନେଇ ପିସିବିକୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନ ସରକାର ହିଁ ଏକ୍ସରେ ପ୍ରଥମେ ମ୍ୟାଚ ବୟକଟ ଘୋଷଣା କରି ବିବାଦର ସୂତ୍ରପାତ କରିଥିଲେ । ଏହାପରେ ଆଇସିସି ଓ ପିସିବି ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲା । ଆଜି ଅନ୍ତିମ ପର୍ଯ୍ୟାୟ ଆଲୋଚନା ପରେ ପିସିବି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଥିଲା । ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚ ଖେଳିବା ନେଇ ପାକିସ୍ତାନକୁ ଅନୁରୋଧ ଜଣାଇଥିଲେ । ୟୁଏଇ ମଧ୍ୟ ପିସିବିକୁ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲା । ଶେଷରେ ଆଇସିସିର ଚାପ୍ ଏବଂ ବିସିସିଆଇର ନିରବତା ଆଗରେ ପାକିସ୍ତାନକୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି ।

ଏହା ବି ପଢନ୍ତୁ...ପାକିସ୍ତାନର କୌଣସି ବି ଦାବି ରଖିଲାନି ଆଇସିସି, ଦେଲା ଗୋଟିଏ ଦିନର ଅଲ୍ଟିମେଟ୍

କିପରି ବାଧ୍ୟ ହେଲା ୟୁଟର୍ଣ୍ଣ  ନେବାକୁ- ​​​​​​​ ଆଇସିସି ଜାଣି ସାରିଥିଲା ପାକିସ୍ତାନ କେବଳ ନାଟକ ରାଜନୀତି ଜାଣିଛି । ବାଂଲାଦେଶ ପ୍ରତି ଗଭୀର ସମର୍ଥନ ଦେଖାଉଥିଲା । ବାସ୍ତବରେ ସେ ଭାରତକୁ ଅପମାନ କରିବାକୁ ଚେଷ୍ଟା କରୁଥିଲା । ବିସିସିଆଇ ଏହି ବିବାଦରେ କୌଣସି ପଦକ୍ଷେପ ନେଇନଥିଲା । ପାକିସ୍ତାନକୁ ଘେରିବା ପାଇଁ ଆଇସିସି ନିଜର ରଣନୀତି ଆପଣେଇଥିଲା । ପାକିସ୍ତାନ ଯାହାକୁ ସମର୍ଥନ କରୁଥିଲା ତାକୁ ସାମ୍ନାକୁ ଆଣିଲା । ଏହି ବିବାଦର ସମାଧାନ ପାଇଁ ପାକିସ୍ତାନକୁ ଚେତାଇବାକୁ ଆଇସିସି ବାଂଲାଦେଶ, ଶ୍ରୀଲଙ୍କା ଏବଂ ୟୁଏଇର ସାହାଯ୍ୟ ନେଇଥିଲା । 

ପ୍ରଥମେ ଶ୍ରୀଲଙ୍କା-ଏହି ବିଶ୍ୱକପ୍ ଭାରତ ସହ  ଶ୍ରୀଲଙ୍କା ଆୟୋଜନ କରୁଛି । ଭାରତ-ପାକିସ୍ତାନ ମ୍ୟାଚ୍ ମଧ୍ୟ କଲମ୍ବୋରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଅଛି । ଯଦି ଏହି ମ୍ୟାଚ୍ ହୋଇନଥାନ୍ତା, ତେବେ ଶ୍ରୀଲଙ୍କାକୁ ବହୁତ କ୍ଷତି ସହିବାକୁ ପଡ଼ିଥାନ୍ତା । ଏପରି ସ୍ଥିତିରେ ଆଇସିସି ଶ୍ରୀଲଙ୍କା ସହ ଯୋଗଯୋଗ କରିଥିଲା । ଶ୍ରୀଲଙ୍କା ରାଷ୍ଟ୍ରପତି ଦିଶାନାୟକେ ବ୍ୟକ୍ତିଗତ ଭାବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ଫୋନରେ କଥା ହୋଇଥିଲେ । ଭାରତ-ପାକିସ୍ତାନ ମ୍ୟାଚ ବର୍ଜନ ପୁନର୍ବିଚାର କରିବାକୁ କହିଥିଲେ ।

ପାକିସ୍ତାନକୁ ୟୁଏଇର ସମାଲୋଚନା- ଏହା ପରେ ୟୁଏଇରୁ ଚାପ ପଡିଥିଲା । ଏମିରେଟ୍ସ କ୍ରିକେଟ ବୋର୍ଡ ପିସିବିକୁ ଚିଠି ଲେଖି ମନେ ପକାଇଥିଲା ଯେ ପାକିସ୍ତାନ କିପରି କଷ୍ଟକର ସମୟରେ ୟୁଏଇରେ ତାର ଘରୋଇ ମ୍ୟାଚ ଖେଳିଥିଲା  ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ରହିଥିଲା ।

ବାଂଲାଦେଶର ଏକ ଝଟକା- ତୃତୀୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋର୍ଚ୍ଚା ବାଂଲାଦେଶରୁ ଆସିଥିଲା । ବିସିବି ସଭାପତି ଅମିନୁଲ ଇସଲାମ ବ୍ୟକ୍ତିଗତ ଭାବରେ ଲାହୋର ଯାତ୍ରା କରି ମୋହସିନ ନକଭିଙ୍କୁ ଭେଟିଥିଲେ । ବାଂଲାଦେଶକୁ ସମର୍ଥନ କରି ପୂର୍ବରୁ ଭାରତ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ମନା କରିଥିବା ପାକିସ୍ତାନ ଏବେ କ୍ରିକେଟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପାକିସ୍ତାନକୁ ମ୍ୟାଚ ଖେଳିବାକୁ ସାର୍ବଜନିନ ଭାବେ ନିବେଦନ କରିଥିଲା । ଏହା ପାକିସ୍ତାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନୈତିକ ଚାପ ଥିଲା ।

​​​​​​​ଏ କଥା ପୂର୍ବରୁ ଜଣା ଥିଲା ଯେ, କୌଣସି କାରଣ ନଥାଇ ପାକିସ୍ତାନ ଯେଉଁ ଭଳି ନାଟକ କରୁଛି ମ୍ୟାଚ ନିକଟ ହୋଇ ଆସିଲେ ୟୁଟର୍ଣ୍ଣ ନେବ । ତାହା ହିଁ ହେଲା, ପାକିସ୍ତାନ ସରକାର ଶେଷରେ ନିଜ ନିଷ୍ପତ୍ତିରୁ ଓହରି ଯାଇଛନ୍ତି । ଏକ୍ସରେ ଲେଖିଛନ୍ତି ଯେ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ୟୁଏଇର ଅନୁରୋଧକୁ ରକ୍ଷା କରି ଆମେ ପୂର୍ବ ନିଷ୍ପତ୍ତିର ପୁନର୍ବିଚାର କରି ବୟକଟ୍ ଦାବିରୁ ଓହରି ଯାଉଛୁ ଏବଂ ଭାରତ ବିପକ୍ଷରେ ଖେଳିବା ପାଇଁ ପିସିବିକୁ ନିର୍ଦ୍ଦେଶ ଦେଉଛୁ । ବାଂଲାଦେଶ ବିଶ୍ୱକପ୍ ବାଦ ପଡ଼ିବା ନେଇ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଦଣ୍ଡ ବିଧାନ ହେବ ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଏହି ସମ୍ପୂର୍ଣ୍ଣ ଘଟଣା ପୁଣିଥରେ ପ୍ରମାଣିତ କରିଛି କି ଭାରତ-ପାକିସ୍ତାନ ପ୍ରତିଯୋଗିତ କେବଳ କ୍ରିକେଟ ନୁହେଁ ବିଶ୍ୱ କ୍ରିକେଟ୍ ଅର୍ଥନୀତିର ମୂଳ । ସିଧାସଳଖ ମୁକାବିଲା ବଦଳରେ ଆଇସିସି କୂଚନୈତିକ ଚାପ ପକାଇ ପାକିସ୍ତାନକୁ ଆଣ୍ଠୁମାଡ଼ି ନଇଁବାକୁ ବାଧ୍ୟ କରିଥିଲା । ଫଳରେ ବିଶ୍ୱକପର ସବୁଠାରୁ ବଡ଼ ମ୍ୟାଚ୍ ବର୍ତ୍ତିଗଲା ।

 

​​​​​​​