ନୂଆଦିଲ୍ଲୀ, ୧୮।୪: ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣ ଓ ରଣକୌଶଳ ଆଗରେ ଏବେ ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ଭୟଭୀତ । ବିଶେଷ କରି ଭାରତର 'ଅପରେସନ୍ ସିନ୍ଦୂର' ପରଠାରୁ ପାକିସ୍ତାନ ନିଜର ସାମରିକ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛି । ଏହି କ୍ରମରେ ପାକିସ୍ତାନ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ 'ନୂର ଖାନ ଏୟାରବେସ୍'କୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିବା ପାଇଁ ଦିନରାତି ଏକ କରିଦେଇଛି । ସାମ୍ନାକୁ ଆସିଥିବା ସଦ୍ୟତମ ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଭାରତର ପରବର୍ତ୍ତୀ ଆକ୍ରମଣକୁ ନେଇ ଏତେ ଡରିଯାଇଛନ୍ତି ଯେ ସେ ଏୟାରବେସର ଚେହେରା ବଦଳାଇବାରେ ଲାଗିଛନ୍ତି ।
ନୂର ଖାନ ଏୟାରବେସରେ କ’ଣ କରୁଛି ପାକିସ୍ତାନ ?
ସାଟେଲାଇଟ୍ ଚିତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଓଲପିଣ୍ଡି ସ୍ଥିତ ଏହି ଏୟାରବେସରେ ବ୍ୟାପକ ନିର୍ମାଣ କାର୍ଯ୍ୟ ଚାଲିଛି । ଭୂ-ତତ୍ତ୍ୱ ବିଶେଷଜ୍ଞ ଡେମିୟନ ସାଇମନଙ୍କ ଦ୍ୱାରା ଜାରି କରାଯାଇଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ପାକିସ୍ତାନ ଏଠାରେ ନୂତନ ଏବଂ ଅତ୍ୟନ୍ତ ମଜବୁତ 'ହ୍ୟାଙ୍ଗର' ନିର୍ମାଣ କରୁଛି । ଏହି ମଜବୁତ ହ୍ୟାଙ୍ଗରଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜର ଫାଇଟର୍ ଜେଟ୍ ଏବଂ ଅନ୍ୟାନ୍ୟ ସାମରିକ ବିମାନଗୁଡ଼ିକୁ ଭାରତର ନଜରରୁ ଦୂରେଇ ରଖିବା । ପାକିସ୍ତାନ ଭୟ କରୁଛି ଯେ, ଭାରତୀୟ ସାଟେଲାଇଟ୍ ଏବଂ ଡ୍ରୋନ୍ ସବୁବେଳେ ଏହି ଏୟାରବେସ ଉପରେ ନଜର ରଖୁଛନ୍ତି । ତେଣୁ ଏହି ଗୁପ୍ତ ନିର୍ମାଣ କାର୍ଯ୍ୟ ଜରିଆରେ ସେ ଭାରତର ସୂଚନା ସଂଗ୍ରହ କରିବାର କ୍ଷମତାକୁ ସୀମିତ କରିବାକୁ ଚାହୁଁଛି ।
ପାକିସ୍ତାନର ଅଣ୍ଟା ଭାଙ୍ଗିଦେଲା 'ଅପରେସନ୍ ସିନ୍ଦୂର'
ମେ ୨୦୨୫ରେ ଭାରତ ଦ୍ୱାରା ପରିଚାଳିତ 'ଅପରେସନ୍ ସିନ୍ଦୂର' ପାକିସ୍ତାନ ପାଇଁ ଏକ କାଳରାତ୍ରି ସଦୃଶ ଥିଲା । ଏହି ଅପରେସନ୍ ସମୟରେ ଭାରତୀୟ ବାୟୁସେନା ନୂର ଖାନ ଏୟାରବେସ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା । ପାକିସ୍ତାନର ତତ୍କାଳୀନ ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସାକ ଡାର ମଧ୍ୟ ଏହି ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ୱୀକାର କରିଥିଲେ । ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ପାକିସ୍ତାନ ବାଧ୍ୟ ହୋଇ ଭାରତ ପାଖରେ ଯୁଦ୍ଧବିରତି ପାଇଁ ଗୁହାରି କରିଥିଲା ।
ନୂର ଖାନ ଏୟାରବେସ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ?
ନୂର ଖାନ କେବଳ ଏକ ସାଧାରଣ ବାୟୁସେନା ଆଡ୍ଡା ନୁହେଁ, ବରଂ ଏହା ପାକିସ୍ତାନର ଅସ୍ତିତ୍ୱ ସହ ଜଡ଼ିତ । ଏହା ପାକିସ୍ତାନୀ ସେନା ମୁଖ୍ୟାଳୟର ଅତି ନିକଟରେ ଅବସ୍ଥିତ । ଇସଲାମାବାଦ ଆସୁଥିବା ସମସ୍ତ ବିଦେଶୀ ରାଷ୍ଟ୍ରମୁଖ୍ୟ ଏବଂ ପ୍ରତିନିଧିମଣ୍ଡଳୀ ଏହି ଏୟାରବେସରେ ଅବତରଣ କରନ୍ତି । ପାକିସ୍ତାନର ପରମାଣୁ ଭଣ୍ଡାରର ତଦାରଖ କରୁଥିବା 'ଷ୍ଟ୍ରାଟେଜିକ୍ ପ୍ଲାନିଂ ଡିଭିଜନ'ର ଏହା ହେଉଛି ମୁଖ୍ୟ କେନ୍ଦ୍ର । ସାରା ଦେଶକୁ ସାମରିକ ସାମଗ୍ରୀ ପଠାଇବା ପାଇଁ ଏହାକୁ ମୁଖ୍ୟ କେନ୍ଦ୍ର ଭାବେ ବ୍ୟବହାର କରାଯାଏ ।
କହିରଖୁଛୁ ଯେ, ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଏବେ ବିଶେଷ କରି ଦୁଇଟି ବଡ଼ ଭୟ ଘାରୁଛି । ଯଦି ଭାରତ ପୁଣିଥରେ ନୂର ଖାନ ଏୟାରବେସକୁ ଟାର୍ଗେଟ୍ କରେ, ତେବେ ପାକିସ୍ତାନୀ ସେନାର ମୁଖ୍ୟାଳୟ ସହ ବାକି ୟୁନିଟଗୁଡ଼ିକର ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ । ଏହାଦ୍ୱାରା ପାକିସ୍ତାନୀ ସେନା ସମ୍ପୂର୍ଣ୍ଣ ଅକାମୀ ହୋଇପଡ଼ିବ । ଅନ୍ୟ ଭୟଟି ହେଉଛି ଭାରତର ସଠିକ୍ ଆକ୍ରମଣ ପାକିସ୍ତାନର ପରମାଣୁ କ୍ଷମତାକୁ ଧ୍ୱଂସ କରିଦେବାର କ୍ଷମତା ରଖୁଛି । ନୂର ଖାନ ଏୟାରବେସକୁ କିଲେବନ୍ଦୀ କରି ପାକିସ୍ତାନ ନିଜକୁ ସୁରକ୍ଷିତ ମଣୁଥିଲେ ମଧ୍ୟ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ଆଧୁନିକ ଯୁଦ୍ଧକଳାରେ କୌଣସି କାନ୍ଥ ବା ହ୍ୟାଙ୍ଗର ଭାରତର ମିସାଇଲ ଆକ୍ରମଣକୁ ଅଟକାଇବା ପାଇଁ ଯଥେଷ୍ଟ ନୁହେଁ । ପାକିସ୍ତାନର ଏହି ପଦକ୍ଷେପ କେବଳ ତା’ର ଭୟ ଏବଂ ଦୁର୍ବଳତାକୁ ହିଁ ପ୍ରତିଫଳିତ କରୁଛି ।
ଆହୁରି ପଢ଼ନ୍ତୁ... War Effect : ଆଉ ମାତ୍ର ୬ ସପ୍ତାହ ପାଇଁ ମହଜୁଦ ଅଛି ଜେଟ୍ ଇନ୍ଧନ, ସରିଗଲେ ବିଶ୍ୱବ୍ୟାପୀ ଠପ୍ ହୋଇଯିବ ବିମାନ ସେବା