ନୂଆଦିଲ୍ଲୀ,୧୮/୦୪ : ଆମେରିକା-ଇରାନ ଯୁଦ୍ଧ ଯୋଗୁ ୟୁରୋପ ଏବଂ ଏସିଆରେ ଜେଟ୍‌ ଇନ୍ଧନର ଭୟଙ୍କର ଅଭାବ ସ୍ଥିତି ଉପୁଜିପାରେ । ଅନ୍ତରାଷ୍ଟ୍ରୀୟ ଶକ୍ତି ଏଜେନ୍ସି(ଆଇଇଏ) ଅନୁସାରେ, ୟୁରୋପ ପାଖରେ ଏବେ ମାତ୍ର ୬ ସପ୍ତାହର ତେଲ ମହଜୁଦ ଅଛି । ଯଦି ଶୀଘ୍ର ଯୋଗାଣ ଆରମ୍ଭ ନ ହୁଏ ତେବେ ଗ୍ରୀଷ୍ମ ଛୁଟିରେ ବହୁ ସଂଖ୍ୟାରେ ବିମାନ ରଦ୍ଦ ହେବ ଏବଂ ଟିକଟ ଦାମ ବି ବଢ଼ିବ । ଆଇଇଏର ନିର୍ଦ୍ଦେଶକ ଫାତିହ ବିରୋଲ ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି ଯେ, ବିଶ୍ୱ ଅର୍ଥନୀତି ଏଯାବତ ସବୁଠୁ ବଡ଼ ଶକ୍ତି ସଂକଟର ସାମ୍ନା କରୁଛି । ୟୁରୋପର କେତେକ ଦେଶ ନିକଟରେ ସାଧାରଣତଃ ଅନେକ ମାସର ଜେଟ୍‌ ଇନ୍ଧନ ମହଜୁଦ ରହିଥାଏ । କିନ୍ତୁ ଯୁଦ୍ଧ ଯୋଗୁ ଏବେ ତାହା ଦ୍ରୁତ ବେଗରେ ଶେଷ ହୋଇଚାଲିଛି ।

ଆଇଇଏ ରିପୋର୍ଟ ଅନୁସାରେ, ୟୁରୋପର କିଛି ଦେଶରେ ଏବେ ୨୦ ଦିନରୁ ବି କମ୍‌ ଇନ୍ଧନ ଷ୍ଟକ୍‌ ଅଛି । ଯଦି ଏହା ୨୩ ଦିନରୁ ତଳକୁ ଖସେ ତେବେ ବିମାନ ବନ୍ଦରଗୁଡ଼ିକରେ ଇନ୍ଧନର ଅଭାବ ପରିସ୍ଥିତି ଉପୁଜିଥାଏ, ଯାହା ଦ୍ୱାରା ବଡ଼ ମାତ୍ରାରେ ବିମାନ ରଦ୍ଧ ହୋଇଯାଏ । ୟୁରୋପ ଏହାର ଆବଶ୍ୟକତାର ପ୍ରାୟ ୨୦ରୁ ୨୫% ଜେଟ୍‌ ଇନ୍ଧନ ଆମଦାନି କରିଥାଏ । ଏଥିମଧ୍ୟରୁ ୪୦% ଭାଗ ହୋର୍ମୁଜ ବାଟ ଦେଇ ଆସିଥାଏ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଯେବେଠାରୁ ଇରାନ ଯୁଦ୍ଧ ଆରମ୍ଭ ହୋଇଛି, ଏହି ରାସ୍ତା ଦେଇ ଗୋଟିଏ ବି ଇନ୍ଧନ ଜାହାଜ ବାହାରି ନାହିଁ । ବିଶ୍ୱରେ ପ୍ରତିଦିନ ୧ କୋଟିରୁ ୧.୫ କୋଟି ବ୍ୟାରେଲ ତେଲ ଯୋଗାଣ ଏହି ରାସ୍ତା ବନ୍ଦ ଯୋଗୁ ଠପ୍‌ ହୋଇଯାଇଛି ।

ଅନ୍ତରାଷ୍ଟ୍ରୀୟ ବିମାନ ପରିବହନ ସଂଘ(ଆଇଏଟିଏ) ଅନୁସାରେ, କୌଣସି ବିମାନ କମ୍ପାନିର ମୋଟ ଖର୍ଚ୍ଚରେ ଜେଟ୍‌ ଇନ୍ଧନର ଅଂଶ ୩୦% ହୋଇଥାଏ । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଜେଟ୍‌ ଇନ୍ଧନ ଦର ପ୍ରାୟ ଦୁଇ ଗୁଣା ହୋଇଯାଇଛି । ଏହାର ସିଧା ପ୍ରଭାବ ଏୟାର୍‌ଲାଇନ୍ସଗୁଡ଼ିକର ଲାଭ ଉପରେ ପଡୁଛି । ଏହି କାରଣରୁ ଏୟାର୍‌ଲାଇନ୍ସ ଏବେ କିଛି ବୋଝ ଯାତ୍ରୀଙ୍କ ଉପରେ ପକାଇବା ଆରମ୍ଭ କରିଦେଇଛନ୍ତି । କେତେକ କମ୍ପାନି ଟିକଟ ଦାମ ବଢ଼ାଇବା ସହ ବ୍ୟାଗେଜ୍‌ ଫି’ ଏବଂ ଅନ୍ୟ ଆଡ୍‌ ଅନ୍‌ ସେବା ଦେୟ ବଢ଼ାଇଦେଇଛନ୍ତି । ଇନ୍ଧନ ଅଭାବ ଯୋଗୁ କେତେକ ବିମାନ କମ୍ପାନି କଡ଼ା ପଦକ୍ଷେପ ନେଉଛନ୍ତି । କେଏଲ୍‌ଏମ୍‌ ଏୟାର୍‌ଲାଇନ୍ସ ଆସନ୍ତା ମାସ ପାଇଁ ଏହାର ୧୬୦ ବିମାନ ରଦ୍ଧ କରିବାର ନିଷ୍ପତ୍ତି ନେଇଛି । କମ୍ପାନିର କହିବାନୁସାରେ, ବର୍ଦ୍ଧିତ ଦର କାରଣରୁ ଏହି ରୁଟ୍‌ଗୁଡ଼ିକ ଆଉ ଲାଭଦାୟକ ରହିନାହିଁ । ଜର୍ମାନିଭିତ୍ତିକ ଏୟାର୍‌ଲାଇନ୍ସ ଲୁଫ୍‌ଥାନ୍ସା ଏହାର ଫିଡର ଏୟାର୍‌ଲାଇନ୍‌ ‘ସିଟିଲାଇନ୍‌’କୁ ଆଗୁଆ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହାର ୨୭ ପୁରୁଣା ଏବଂ ଅଧିକ ତେଲ ଖର୍ଚ୍ଚ କରୁଥିବା ବିମାନଗୁଡ଼ିକର ସେବାକୁ ହଟାଇ ଦିଆଯାଇଛି । ଇଜିଜେଟ୍‌କୁ ୨୦୨୬ର ପ୍ରଥମ ୬ ମାସରେ ପ୍ରାୟ ୫୬୦ ନିୟୁତ ପାଉଣ୍ଡ୍‌ର କ୍ଷତି ଆଶଙ୍କା ରହିଛି । କ୍ୟାଥେ ପାସିଫିକ୍‌ ଇନ୍ଧନ ସର୍‌ଚାର୍ଜକୁ ୩୪% ପର୍ଯ୍ୟନ୍ତ ବଢ଼ାଇଦେଇଛି । ସେହିଭଳି ଏୟାର୍‌ ଇଣ୍ଡିଆ କିଛି ବିମାନଗୁଡ଼ିକ ଉପରେ ୨୮୦ ଡଲାର ପର୍ଯ୍ୟନ୍ତ ଫି’ ଯୋଡ଼ିଛି ।

ବିଶେଷଜ୍ଞଙ୍କ ଅନୁସାରେ, ମଧ୍ୟପ୍ରାଚ୍ୟ ତୈଳ ଉପରେ ଏସିଆ- ପାସିଫିକ୍‌ ଦେଶଗୁଡ଼ିକ ସବୁଠୁ ଅଧିକ ନିର୍ଭର କରନ୍ତି । ଏହା ପରେ ରହିଛି ୟୁରୋପ । ଆମେରିକା ଏକ ବଡ଼ ତୈଳ ଉତ୍ପାଦକ, ଯେଉଁଥିପାଇଁ ସେଠାରେ ଇନ୍ଧନର ଅଭାବ କମ୍‌ । ୟୁରୋପକୁ ସାହାଯ୍ୟ କରିବା ପାଇଁ ଆମେରିକା ଏପ୍ରିଲରେ ଏହାର ଯୋଗାଣକୁ ୬ ଗୁଣା ବଢ଼ାଇ ୧.୫ ଲକ୍ଷ ବ୍ୟାରେଲ/ଦୈନିକ କରିଦେଇଛି କିନ୍ତୁ ଏହା ସମ୍ପୂର୍ଣ୍ଣ ଅଭାବ ଦୂର କରିବା ପାଇଁ ଯଥେଷ୍ଟ ନୁହେଁ । ସାମ୍ପ୍ରତିକ ସମସ୍ୟା ଯୋଗୁ କେବଳ ଟିକଟ ମହଙ୍ଗା ହେବ ନାହିଁ । ବିଶେଷଜ୍ଞଙ୍କ କହିବାନୁସାରେ, ଯାତ୍ରୀଙ୍କୁ ଲମ୍ବା ଦୂର ରୁଟ୍‌, କମ୍‌ ବିମାନ ବିକଳ୍ପ ଏବଂ ଅନ୍ତିମ ସମୟରେ ସୂଚୀ ପରିବର୍ତ୍ତନ ଭଳି ସମସ୍ୟାର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।

ଏହି ଖବରଟିକୁ ପଢନ୍ତୁ- ଆମେରିକା ସାମରିକ ମୁଖ୍ୟଙ୍କ ଚାଞ୍ଚଲ୍ୟକର ଦାବି, ମହାକାଶରେ ପର୍ଲ ହାର୍ବର ଭଳି ଆକ୍ରମଣ ଯୋଜନାରେ ରୁଷ୍ !