ନୂଆଦିଲ୍ଲୀ,୧୮।୪: ପାକିସ୍ତାନ ଭିତରେ ଆତଙ୍କୀ ନେଟଓ୍ବର୍କରେ ଫାଟ ଖବର ସାମନାକୁ ଆସିଛି। ଗୁଇନ୍ଦା ସୁତ୍ର ଅନୁସାରେ, ଲସ୍କର-ଇ-ତୋଇବା ଭିତରେ ନେତୃତ୍ବକୁ ନେଇ ଚାଲିଛି ବଡ଼ ଧରଣର ସଂଘର୍ଷ। ଯାହାର କେନ୍ଦ୍ରରେ ରହିଛି ହାଫିଜ୍ ସଇଦ। କେବଳ ସେତିକି ନୁହେଁ ପାକିସ୍ତାନର ସେନା ଓ ଗୁଇନ୍ଦା ଏଜେନ୍ସି ଭିତରେ ମତଭେଦ ଗଭୀର ହେବାରେ ଲାଗିଛି। କୁହାଯାଉଛି ଯେ, ସେନା ମୁଖ୍ୟ ଅସୀମ ମୁନୀର ଏବେ ଆଇଏସଆଇର କାର୍ଯ୍ୟରେସନ୍ତୁଷ୍ଟ ନୁହଁନ୍ତି। ବିଶେଷ ଭାବରେ ୨୦୨୩ ପରେ ପାକିସ୍ତାନରେ ଭାରତ ପ୍ରତି ଶତ୍ରୁତା କରୁଥିବା ଆତଙ୍କବାଦୀଙ୍କ ରହସ୍ୟମୟ ହତ୍ୟା ଏବଂ ଟିଟିପି ଏବଂ ବିଏଲ୍ କାର୍ଯ୍ୟକଳାପକୁ ରୋକିବାରେ ବିଫଳତା ପରେ ଅସନ୍ତୁଷ୍ଟ ଅଛନ୍ତି ମୁନୀର। କିନ୍ତୁ ସବୁଠାରୁ ବଡ଼ ସଙ୍କଟ ଲସ୍କର-ଇ-ତୋଇବା ଭିତରେ ଚାଲିଛି। କୁହାଯାଉଛି ଯେ, ପାକିସ୍ତାନ ପାଇଁ ଏହା ମୁଣ୍ଡବିଧାର କାରଣ ପାଲଟିଛି। କାରଣ ଲସ୍କର ହେଉଛି ପାକିସ୍ତାନର ସବୁଠାରୁ ଖାସ୍ ଆତଙ୍କବାଦୀ ସଂଗଠନ। ଜୈଶ-ଇ-ମହମ୍ମଦଠାରୁ ଲସ୍କର ଉପରେ ଅଧିକ ବିଶ୍ବାସ ପରେ ପାକିସ୍ତାନ।
ଲସ୍କର ସଂଗଠନ ଭିତରେ ବହୁ ଲୋକ ହାଫିଜ ସଇଦର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ ୭୬ବର୍ଷୀୟ ହାଫିଜ ସଇଦ ଏବେ ଦୁର୍ବଳ ହୋଇପହିଛି। ତାକୁ ନୂଆ ନେତୃତ୍ବଙ୍କ ପାଇଁ ବାଟ ଛାଡି ଦେବା ଦରକାର। ସଂଗଠନ ଭିତରେ ନମ୍ବର ୨ ସ୍ଥାନରେ ଥିବା ସୈଫୁଲାହ କସୁରୀ ବର୍ତ୍ତମାନ ସବୁଠାରୁ ମଜବୁଜ ଦାବିଦାର ରହିଛି। ୫୮ ବର୍ଷୀୟ କସୁରୀ ଖୋଲାଖୋଲି ଭାବରେ ନେତୃତ୍ବ ପରିବର୍ତ୍ତନର ଦାବି କରୁଛି। ସବୁଠାରୁ ଖାସ୍ କଥା ଏହା ଯେ, ଯୁବ କ୍ୟାଡର ମଧ୍ୟ କସୁରୀକୁ ସମର୍ଥନ ଦେଉଛନ୍ତି। ସେଭଳି ଅନ୍ୟପକ୍ଷେ ପୁରୁଣା ଓ ଅନୁଭବୀ ସଦସ୍ୟ ଏବେ ବି ହାଫିଜ୍ ସଇଦ ସହିତ ଅଛନ୍ତି। ଏହି କାରଣରୁ ଆତଙ୍କୀ ସଂଗଠନ ଭିଭାଜନ ଦେଖାଦେଇଛି।
ଗୁଇନ୍ଦା ଅଧିକାରୀଙ୍କ ଅନୁଯାୟୀ, ଏହି ଉତ୍ତେଜନା ପ୍ରାୟ ଦୁଇ ବର୍ଷ ଧରି ଲାଗି ରହିଥିଲା। କିନ୍ତୁ ଗତ ବର୍ଷ ଅପରେସନ ସିନ୍ଦୁରରେ ଭାରତର ବଡ଼ ଧରଣର ଆକ୍ରମଣ ପରେ ଏହା ସାମ୍ନାକୁ ଆସିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ନିଆଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ଆତଙ୍କବାଦୀ ସଂଗଠନ ଭିତରେ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଥିଲା। ସୂତ୍ର ଅନୁସାରେ ଅନେକ ସଦସ୍ୟ ଆଶା କରିଥିଲେ ଯେ ହାଫିଜ୍ ସଇଦ ପାକିସ୍ତାନୀ ବ୍ୟବସ୍ଥା ବିରୋଧରେ ସ୍ବର ଉଠାଇବ, କିନ୍ତୁ ତାହା ହୋଇନଥିଲା। ମୁରିଦକେରେ ଏକ ପ୍ରମୁଖ ଆତଙ୍କବାଦୀ ଟ୍ରେନିଂ ସେଣ୍ଟର ନଷ୍ଟ ହେବାପରେ ହାଫିଜ୍ ସଇଦର ନୀରବତାକୁ ନେଇ ପ୍ରଶ୍ନ ଉଠାଯାଇଥିଲା।
କୁହାଯାଉଛି ଯେ, ପାକିସ୍ତାନ ସେନା ଓ ଗୁଇନ୍ଦା ଏଜେନ୍ସି ଆଇଏସଆଇ ମଧ୍ୟ ଏହି ପ୍ରସଙ୍ଗ ଉପରେ ଏକମତ ନୁହେଁ। ସେନା କସୁରୀକୁ ଆଗକୁ ଆଣିବାକୁ ଚାହୁଁଛି, ସେଭଳି ଆଇଏସଆଇ ମଧ୍ୟ ହାଫିଜ୍ ଉପରେ ଭରସା ପ୍ରକାଶ କରିଛି। ଆଇଏସ୍ଆଇ ମତରେ ସଇଦ ‘ଟ୍ରାଏଡ୍ ଆଣ୍ଡ ଟ୍ରଷ୍ଟେଡ୍’। ସେଭଳି କସୁରୀକୁ ନେଇ ମଧ୍ୟ ଆଶାଙ୍କା ରହିଛି ଯେ, ସେ କେବେ ବି ନିୟନ୍ତ୍ରଣରୁ ବାହାରକୁ ଯାଇପାରେ। ଏହି କାରଣରୁ କେବଳ ଲସ୍କର ଭିତରେ ନୁହେଁ ,ବରଂ ପାକିସ୍ତାନ ସରକାର ଓ ଆଇଏସଆଇ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି।