ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପାକିସ୍ତାନ ଅନେକ ଦେଶ ସାମ୍ନାରେ ହାତ ପତାଇ ଭିଖ ମାଗିବାରେ ଲାଗି ପଡିଛି । ଆଉ ଏହାରି ମଧ୍ୟରେ ସାଉଦି ଆରବ ଏବେ ପାକିସ୍ତାନର ଭିକ୍ଷା ଥାଳି ଭରିବାକୁ ଆଗେଇ ଆସିଛି, ଯାହା ପାକିସ୍ତାନର ରାଜକୋଷକୁ ଯଥେଷ୍ଟ ପାଣ୍ଠି ଆଣିବ। ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ଏକ ଗୁପ୍ତ ପ୍ରତିରକ୍ଷା ଚୁକ୍ତି ପ୍ରକାଶ ପାଇଛି। ଏହି ଚୁକ୍ତି ଅନୁଯାୟୀ,ପାକିସ୍ତାନ ସାଉଦି ଆରବରେ ଏହାର ୨୫ ହଜାର ସୈନିକଙ୍କୁ ମୁତୟନ କରିବ ଏବଂ ପ୍ରତିବଦଳରେ ସାଉଦି ଆରବ ପାକିସ୍ତାନରେ ୧୦ ବିଲିୟନ ଡଲାର ନିବେଶ କରିବ।
ଗତ ମାସରେ, ଇସ୍ରାଏଲ କତାରର ରାଜଧାନୀ ଦୋହାରେ ଏକ ବିମାନ ଆକ୍ରମଣ କରିଥିଲା, ଯାହା ଆରବ ଦେଶ ଗୁଡ଼ିକରେ ଏକ ଉତ୍ତେଜନା ସୃଷ୍ଟି କରିଥିଲା। ଆକ୍ରମଣ ପରେ ତୁରନ୍ତ, ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିର ସାଉଦି ଆରବକୁ ଅଚାନକ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ, କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଏବଂ ଶାହବାଜ ସରିଫ ଏକ ପ୍ରତିରକ୍ଷା ଚୁକ୍ତିରେ ସ୍ୱାକ୍ଷର କରିଥିଲେ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସୈନ୍ୟ ମୁତୟନ ସାଉଦି ଆରବକୁ ଯେକୌଣସି ଆକ୍ରମଣରୁ ରକ୍ଷା କରିବାରେ ସହାୟକ ହେବ । ଏହି ପ୍ରତିରକ୍ଷା ଚୁକ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ସାଉଦି ଆରବ ସରକାର ଭାରତ ଏବଂ ଆଫଗାନିସ୍ତାନ ସହିତ ପାକିସ୍ତାନର ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବାରେ ସାହାଯ୍ୟ କରିବ।
ଏହି ଚୁକ୍ତି ଅନୁଯାୟୀ, ପାକିସ୍ତାନୀ ସେନା ସାଉଦି ଆରବରେ ଚାରୋଟି ବ୍ରିଗେଡ ମୁତୟନ କରିବ। ଏହା ସହିତ, ପାକିସ୍ତାନ ବାୟୁସେନା (PAF)ର ଦୁଇଟି ସ୍କ୍ୱାର୍ଡନ ଏବଂ ଦୁଇଟି ନୌସେନା ନୌବାହିନୀ ମଧ୍ୟ ସେଠାରେ ମୁତୟନ କରାଯିବ। ପାକିସ୍ତାନ ସାଉଦି ଆରବ ସହିତ ସହଯୋଗରେ ଏକ ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଏକ ରକେଟ୍ ଫୋର୍ସ କମାଣ୍ଡ ପ୍ରତିଷ୍ଠା କରିବାକୁ ଯୋଜନା କରୁଛି।
ପାକିସ୍ତାନ ସାଉଦି ଆରବକୁ ସାମରିକ ଉପକରଣ, ଗୋଳାବାରୁଦ, ମୋର୍ଟାର, ଟ୍ୟାଙ୍କ ଏବଂ କ୍ଷୁଦ୍ର ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟ ଯୋଗାଇବ। ପ୍ରାରମ୍ଭରେ, ପାକିସ୍ତାନ ବିଭିନ୍ନ ସାଉଦି ସାମରିକ ଘାଟି ଏବଂ ସହର ଗୁଡ଼ିକରେ ୨୫ ହଜାର ସୈନିକଙ୍କୁ ମୁତୟନ କରିବ। ପ୍ରତ୍ୟେକ ସୈନିକଙ୍କୁ ପ୍ରତି ମାସରେ ୬ ହଜାର ସାଉଦି ରିୟାଲ ପ୍ରଦାନ କରାଯିବ।