ନୂଆଦିଲ୍ଲୀ,୧୮/୦୯: ଏବେ ପାକିସ୍ତାନ ଉପରେ ଆକ୍ରମଣ ସାଉଦି ଆରବ ଉପରେ ହମଲା ସହ ସମାନ ହେବ । ପାକିସ୍ତାନକୁ ସାଉଦିଠୁ ସୁରକ୍ଷା ଗ୍ୟାରେଣ୍ଟି ମିଳିଛି । ଦୁଇ ଦେଶ ମଧ୍ୟରେ ବଡ ପ୍ରତିରକ୍ଷା ଚୁକ୍ତି ହୋଇଛି । ନାଟୋ ଦେଶ ଭଳି ଉଭୟ ଦେଶ ମଧ୍ୟରେ ଡିଫେନ୍ସ ଡିଲ ହୋଇଛି । ଦୁଇ ଦେଶ ମଧ୍ୟରେ 'ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମା' ସ୍ୱାକ୍ଷରିତ ହୋଇଛି । ରିଆଦରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି ସାଉଦି ପ୍ରିନ୍ସ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ । ଚୁକ୍ତି ଅନୁସାରେ ଜଣଙ୍କ ଉପରେ ଆକ୍ରମଣ ଉଭୟଙ୍କ ବିରୋଧରେ ଆକ୍ରମଣ ଭାବେ ବିବେଚନା କରାଯିବ ।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି କି, ଚୁକ୍ତିନାମାରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଗୋଟିଏ ଦେଶ ଉପରେ ଆକ୍ରମଣ ଉଭୟଙ୍କ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ। ପ୍ରାୟ ଆଠ ଦଶନ୍ଧି ଧରି ସହଭାଗୀତା, ଭାଇଚାରା, ଇସଲାମିକ୍ ସଂହତି ଏବଂ ସମାନ ରଣନୈତିକ ସ୍ୱାର୍ଥ ଉପରେ ଉଭୟ ପକ୍ଷ ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଦର୍ଶାଉଛି ଯେ ପାକିସ୍ତାନ ଏବଂ ସାଉଦି ଆରବ ଏବେ ସେମାନଙ୍କର ସୁରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିଛନ୍ତି । ଉଭୟ ଦେଶ ଯେକୌଣସି ଆକ୍ରମଣର ଜବାବ ଦେବାରେ ପରସ୍ପରକୁ ସମର୍ଥନ କରିବା ପାଇଁ ଏକାଠି କାମ କରିବେ । ଏହି ଚୁକ୍ତିନାମାର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ଅଞ୍ଚଳ ଏବଂ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ।
ଏହା ବ୍ୟତୀତ, ଏହି ଚୁକ୍ତିନାମା ନୂଆ ଅସ୍ତ୍ରଶସ୍ତ୍ର, ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା ଯୋଜନା ଉପରେ ମିଳିତ କାର୍ଯ୍ୟ ସମେତ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି ବଢ଼ାଇବ । ଉଭୟ ଦେଶର ଶକ୍ତି ଏବଂ ସୁରକ୍ଷାକୁ ଆହୁରି ମଜବୁତ କରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋଟିଏ ଦେଶ ଉପରେ ଆକ୍ରମଣକୁ ଆଉ କେବଳ ସେହି ଦେଶ ଉପରେ ଆକ୍ରମଣ ଭାବରେ ବିବେଚନା କରାଯିବ ନାହିଁ, ବରଂ ଉଭୟଙ୍କ ଉପରେ ଆକ୍ରମଣ ଭାବରେ ବିବେଚନା କରାଯିବ। ଏହାର ଅର୍ଥ ହେଉଛି ଉଭୟ ଦେଶ ଏକାଠି ଶତ୍ରୁର ମୁକାବିଲା କରିବେ ।
କଣ କହିଲା ଭାରତ ? ପଡୋଶୀ ପାକିସ୍ତାନ ଓ ସାଉଦି ମଧ୍ୟରେ ହୋଥିବା ପ୍ରତିରକ୍ଷା ଚୁକ୍ତି ଉପରେ ନଜର ରଖିଛି ଭାରତ । ଦୁଇ ଦେଶ ମଧ୍ୟରେ ହୋଇଥିବା ଡିଫେନ୍ସ ଡିଲକୁ ନେଇ ଭାରତର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି, '' ପାକ୍-ସାଉଦି ପ୍ରତିରକ୍ଷା ଚୁକ୍ତି, ଜାତୀୟ ସୁରକ୍ଷା ସହିତ ଆଞ୍ଚଳିକ ଏବଂ ବିଶ୍ୱ ସ୍ଥିରତା ପାଇଁ ତଦାରଖ କରାଯିବ । ଭାରତ ସରକାର ଏ ଦିଗରେ ସଚେତନ ଅଛନ୍ତି । ଏହା ଦୀର୍ଘ ଦିନ ଧରି ବିଚାରଧୀନ ଥିଲା । ଆମେ ଆମ ରାଷ୍ଟ୍ରୀୟ ସୁରକ୍ଷା ସହିତ କ୍ଷେତ୍ରୀୟ ଓ ବୈଶ୍ୱିକ ସ୍ଥିରତା ଉପରେ ଏହାର ପ୍ରଭାବକୁ ଅଧ୍ୟୟନ କରିବୁ । ଭାରତର ସ୍ୱାର୍ଥ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ଉପରେ ମଧ୍ୟ ଆମେ ନଜର ରଖିବୁ । ''