ନୂଆଦିଲ୍ଲୀ,୧୮।୧୦:ପାକିସ୍ତାନ ଓ ଆଫଗାନିସ୍ତାନ ଭିତରେ ବିବାଦ ନୂଆ ମୋଡ ଆଣିଛି। ପାକିସ୍ତାନ ବାୟୁସେନା ଦ୍ବାରା ଅଫଗାନିସ୍ତାନର ପଙ୍କତିକା ପ୍ରଦେଶରେ ହୋଇଥିବା ଏୟାରଷ୍ଟ୍ରାଇରେ ୧୦ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ଆଫଗାନିସ୍ତାନର ତିନି କ୍ରିକେଟରଙ୍କ  ମଧ୍ୟ ମୃତ୍ୟୁ ହୋଇଛି। ଏହି ଘଟଣାର ପ୍ରତିଶୋଧ ନେବ ବୋଲି କହିଛି ଆଫଗାନିସ୍ତାନ। ଏହାପରେ ଦୁଇପକ୍ଷ ଭିତରେ କାତାରର ରାଜଧାନୀ ଦୋହାରେ ଜରୁରୀ ଶାନ୍ତିବାର୍ତ୍ତା ଡକାଇବାର ନିଷ୍ପତ୍ତି ନିଆଯାଇଛି। ଏବେ ତାଲିବାନ ସହ ଆଲୋଚନା ପାଇଁ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ବାଜା ଆସିଫ୍ ଏବଂ ଗୁଇନ୍ଦା ମୁଖ୍ୟ ଜେନେରାଲ ଅସିମ୍ ମଲିକ୍‌ଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀଙ୍କୁ ଦୋହା ପଠାଯାଇଛି। ସେଭଳି ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ମୌଲବୀ ମହମ୍ମଦ ୟାକୁବ ମୁଜାହିଦଙ୍କ ନେତୃତ୍ବରେ ଗଠିତ ପ୍ରତିନିଧିମଣ୍ଡଳୀ ଶନିବାର ପହଁଞ୍ଚିବାକୁ ଯାଉଛନ୍ତି।

ଏହି ଘଟଣା ୪୮ ଘଣ୍ଟାର ଅସ୍ତ୍ରବିରତିର ଠିକ୍ ପରେ ଘଟିଥିଲା। ଯାହାକି ବୁଧବାର ସନ୍ଧ୍ୟାରେ ଲାଗୁ କରାଯାଇଥିଲା। ନିକଟରେ ଦୋହା ବାର୍ତ୍ତା ଶେଷ ହେବା ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା। ତାଲିବାନ ଅଧିକାରୀଙ୍କ ଆକ୍ରମଣକୁ ‘ଅସ୍ତ୍ରବିରତି ଉଲଂଘନ’ ଘୋଷଣ କରି ପ୍ରତିଶୋଧର ଚେତାବନୀ ଦେଇଥିଲେ। ସେଭଳି ପାକିସ୍ତାନର କହିବା ଅନୁସାରେ ଏହି ଆକ୍ରମଣ ଆତଙ୍କୀ ଗୋଷ୍ଠୀ ତହରିକ୍-ଇ-ତାଲିବାନର ଆଡ୍ଡା ଉପରେ କରାଯାଇଥିଲା।

ଉଲ୍ଲେଖନୀୟ ଯେ, ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ସଂଘର୍ଷ କିଛି ନୂଆ ନୁହେଁ। ବହୁ ବର୍ଷ ପୂବର୍ରୁ ଚାଲି ଆସୁଛି।। କିନ୍ତୁ ନିକଟରେ ୧୧ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ବିବାଦ କୁରର୍ମ ଜିଲ୍ଲାରେ ପାକିସ୍ତାନ ସେନା ଆଡ୍ଡାରେ ଗୁଳିମାଡ଼ ହୋଇଥିଲା।  ପାକିସ୍ତାନ ପାଲଟା ଆକ୍ରମଣରେ ଆଫଗାନିସ୍ତାନର କାନ୍ଦାହାର ଓ ହେଲମନ୍ଦ ପ୍ରଦେଶରେ ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ୧୯ ତାଲିବାନ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା। ତାଲିବାନ ଏହାକୁ ସୀମା ଉଲଂଘନ ବୋଲି କହି ପାକିସ୍ତାନ ସେନା ଆଡ୍ଡା ଉପରକୁ ଆକ୍ରମଣ କରିଥିଲା। ଏଥିରେ ୫୮ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା।