ନୂଆଦିଲ୍ଲୀ,୩୦/୫ :  ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଆରମ୍ଭ ହୋଇଛି । ଏହାର ପ୍ରଥମ ମ୍ୟାଚରେ ଇତିହାସ ସୃଷ୍ଟି ହୋଇଛି । ରାୱଲପିଣ୍ଡିରେ ସିରିଜର ପ୍ରଥମ ମ୍ୟାଚ୍ ସହିତ ପାକିସ୍ତାନ କ୍ରିକେଟ୍ ଟିମ୍ ODI ଫର୍ମାଟରେ ୧୦୦୦ମ୍ୟାଚ୍ ପୂରଣ କରିଛି । ଏହି ୧୦୦୦ତମ ଓ୍ବାନଡେ ମ୍ୟାଚରେ ପାକିସ୍ତାନ ଲାଗି ସ୍ପିନର ଅରାଫତ ମିହ୍ନାସ ଡେବ୍ୟୁ କରିଥିଲେ ଏବଂ ନିଜର ପ୍ରଥମ ମ୍ୟାଚରେ ୫ଓ୍ବିକେଟ ନେଇଛନ୍ତି । ଏହିଭଳି ଭାବେ ପାକିସ୍ତାନର ODI କ୍ରିକେଟ ଇତିହାସରେ ଏପରି କରିବାରେ ଅରାଫତ ପ୍ରଥମ ବୋଲର ହୋଇଯାଇଛନ୍ତି ।

ଶନିବାର ପିଣ୍ଡି କ୍ରିକେଟ ଷ୍ଟାଡିୟମରେ ସିରିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନୀ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ସିରିଜ୍‌ରେ ଅଷ୍ଟ୍ରେଲିଆ ଏହାର ଅନେକ ପ୍ରମୁଖ ଖେଳାଳିଙ୍କ ବିନା ଖେଳୁଛି । ଯାହାକି ପାକିସ୍ତାନୀ ଦଳ ପ୍ରାୟ ପୂର୍ଣ୍ଣ ଶକ୍ତି ସହ ଖେଳୁଛି। ତଥାପି ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନୀ ଦଳ ୨୧ବର୍ଷୀୟ ସ୍ପିନର ଅରାଫତ ମିହ୍ନାସଙ୍କୁ ଏକଦିବସୀୟ ଡେବ୍ୟୁର ସୁଯୋଗ ଦେଇଥିଲା ଏବଂ ଏହି ନିଷ୍ପତ୍ତି ଏକ ବୁଦ୍ଧିମାନ ନିଷ୍ପତ୍ତି ବୋଲି ପ୍ରମାଣିତ ହୋଇଛି ।

ବାମହାତୀ ଆର୍ଥୋଡକ୍ସ ସ୍ପିନର ମିହ୍ନାସ ୮ମ ଓଭରରେ ପ୍ରଥମ ଥର ପାଇଁ ବୋଲିଂ କରିବାକୁ ଆସିଥିଲେ। ତାଙ୍କର ପ୍ରଥମ ଦୁଇଟି ଓଭରରେ ଦୁଇଟି ଚୌକା ଲାଗିଥିଲା କିନ୍ତୁ ପରବର୍ତ୍ତୀ ଆଠଟିରେ ଅଷ୍ଟ୍ରେଲୀୟ ବ୍ୟାଟରମାନେ ଗୋଟିଏ ମଧ୍ୟ ଚୌକା ମାରିପାରି ନ ଥିଲେ। ତା’ପରେ ଆରମ୍ଭ ହୋଇଥିଲା ଅରାଫତଙ୍କ ଅସଲ ଖେଳ । ସେ ୧୪ତମ ଏବଂ ୧୬ତମ ଓଭର ମଧ୍ୟରେ ମାତ୍ର ୬ଟି ବଲ୍‌ରେ ୩ଟି ୱିକେଟ୍ ନେଇଥିଲେ। ତାଙ୍କର ପ୍ରଥମ ୱିକେଟ୍ ଅଷ୍ଟ୍ରେଲୀୟ ଅଧିନାୟକ ଜୋଶ ଇଂଲିସ୍ ଥିଲେ । ତା’ପରେ ସେ ମାର୍ନସ୍ ଲାବୁଶେନ ଏବଂ କ୍ୟାମରନ୍ ଗ୍ରୀନଙ୍କୁ ଆଉଟ୍ କରିଥିଲେ।

ତାଙ୍କର ପରବର୍ତ୍ତୀ ଶିକାର ଥିଲେ ମାଥ୍ୟୁ ସର୍ଟ । ତା’ପରେ ତାଙ୍କର ଶେଷ ଓଭରରେ ଅରାଫତ ନାଥନ ଏଲିସଙ୍କୁ ଆଉଟ୍ କରି ତାଙ୍କର ପାଞ୍ଚ ୱିକେଟ୍ ହାସଲ କରିଥିଲେ । ୧୦ଓଭର ସ୍ପେଲରେ ଏହି ସ୍ପିନର ମାତ୍ର ୩୨ ରନ୍ ଦେଇଥିଲେ ଏବଂ ୫ବ୍ୟାଟରଙ୍କୁ ଆଉଟ୍ କରିଥିଲେ। ଏହିପରି ସେ ପାକିସ୍ତାନର ୧୦୦୦ଦିନିକିଆରେ ପ୍ରଥମ ବୋଲର ହୋଇଯାଇଛନ୍ତି । ଯିଏ ଡେବ୍ୟୁରେ ପାଞ୍ଚ ୱିକେଟ୍ ନେଇଛନ୍ତି । ଏହି ଶକ୍ତିଶାଳୀ ପ୍ରଦର୍ଶନ ଫଳରେ ପାକିସ୍ତାନ ୪୪.୧ ଓଭରରେ ମାତ୍ର ୨୦୦ ରନରେ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିବାରେ ସାହାଯ୍ୟ କରିଥିଲା।