ଏସସିଓ ବୈଠକ: ବିଲାୱଲ ଭୁଟ୍ଟୋ ଜରଦାରୀଙ୍କୁ ଭାରତ ପଠାଇଲା ନିମନ୍ତ୍ରଣ, ଆସିବେ କି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ?

ନୂଆଦିଲ୍ଲୀ,୨୫।୧: ପାକିସ୍ତାନ ଓ ଚୀନ୍ ସହିତ ସଙ୍ଘାଇ ସହଯୋଗ ସଂଗଠନ(ଏସସିଓ)ର ସବୁ ସଦସ୍ୟଙ୍କୁ ଭାରତ ଔପଚାରିକ ଭାବରେ ଆଗାମୀ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପାଇଁ ନିମନ୍ତ୍ରଣ ପଠାଇଛି। ବୈଠକ ୪-୫ ମଇରେ ଗୋଆରେ ଆୟୋଜିତ କରାଯିବ। ନିମନ୍ତ୍ରିତ ଅତିଥିଙ୍କ ଭିତରେ ଚୀନ୍ର ନୂତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀ ରହିଛନ୍ତି। ଭାରତ ଗତ ବର୍ଷ ସେପ୍ଟେମ୍ବରରେ ୯ ସଦସୀୟ ମେଗା ଗ୍ରୁପ୍ର ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ପ୍ରମୁଖ ମନ୍ତ୍ରୀ ସ୍ତରୀୟ ବୈଠକ ଓ ଶିଖର ସମ୍ମିଳନୀ ଭାରତରେ ଆୟୋଜିତ କରାଯିବ। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି ଯେ, ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ବୈଠକରେ ସାମିଲ ହେବେ କି ନାହିଁ।’

ପାକିସ୍ତାନ ଚଳିତ ବର୍ଷ ଶେଷରେ ମୁମ୍ବାଇରେ ହେବାକୁ ଥିବା ଏସସିଓ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବନି। ସେଭଳି ସବୁ ଦେଶର ନିଜର ଫିଲ୍ମ ପଠାଇଛନ୍ତି, ପାକିସ୍ତାନ ଏକମାତ୍ର ଦେଶ ଯିଏକି ସଂଗଠନର ତୃତୀୟ ଏଭଳି ଫିଲ୍ମ ସମାରୋହରେ ସ୍କ୍ରିନିଂ ପାଇଁ କୌଣସି ଫିଲ୍ମ ପଠାଇ ନାହାନ୍ତି।
ସୂଚନା ଏବଂ ପ୍ରସାରଣର ଅତିରିକ୍ତ ସଚିବ ନୀରଜା ଶେଖର ସୋମବାର କହିଛନ୍ତି, କେବଳ ଏକ ଏସସିଓ ସଦସ୍ୟ ଦେଶ ରହିଛି, ଯେଉଁଠୁ ଫିଲ୍ମ କିମ୍ବା କୌଣସି ପ୍ରତିକ୍ରିୟା ମିଳିନାହିଁ। ୨୦ ବର୍ଷ ପୁରୁଣା ଏହି ସଂଗଠନରେ ଋଷ, ଭାରତ, ଚୀନ୍, ପାକିସ୍ତାନ ଓ ଚାରି ମଧ୍ୟ ଏସୀୟ ଦେଶ, କଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ଏହାର ସଦସ୍ୟ ରହିଛି। ଇରାନ ସଦସ୍ୟ ହୋଇଥିବା ନୂତନ ଦେଶ ଓ ଭାରତୀୟ ଅଧ୍ୟକ୍ଷତାରେ ପ୍ରଥମ ଥର ପୂର୍ଣ୍ଣ ସଦସ୍ୟ ରୂପରେ ବୈଠକରେ ଭାଗ ନେବ। ସଙ୍ଘାଇ ସହଯୋଗ ସଂଗଠନ ଗତ ବୈଠକରେ ଉଜବେକିସ୍ତାନର ସମରକନ୍ଦରେ ହୋଇଥିଲା।