ବିଶ୍ୱକପ୍ ଅଭ୍ୟାସ୍ ମ୍ୟାଚ୍; ପାକିସ୍ତାନକୁ ୩ ୱିକେଟ୍ରେ ହରାଇଲା ଆଫଗାନିସ୍ତାନ

ବ୍ରିଷ୍ଟଲ, ୨୪ା୫ (ଏଜେନ୍ସି): ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ୍ର ପ୍ରଥମ ଅଭ୍ୟାସ୍ ମ୍ୟାଚ୍ରେ ଆଫଗାନିସ୍ତାନ ୩ ୱିକେଟ୍ରେ ବିଜୟୀ ହୋଇଛି । ଏଥିସହ ଆଫଗାନିସ୍ତାନ ପ୍ରତିପକ୍ଷ ଦଳମାନଙ୍କ ପାଇଁ ବିପଦ ଘଣ୍ଟି ବଜାଇଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ବାବର ଆଜମଙ୍କ ଶତକ ସତ୍ତେ୍ୱ ୪୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬୨ ରନ୍ କରିଥିଲା । ଜବାବରେ ଆଫଗାନିସ୍ତାନ ୪୯.୪ ଓଭରରେ ୭ ୱିକେଟ୍ ହରାଇ ବିଜୟୀ ହୋଇଥିଲା ।
ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬୩ ରନ୍ରେ ଦୁଇ ଓପନର ଫକର ଜମାନ (୧୯) ଓ ଇମାମ ଉଲ-ହକ୍ଙ୍କୁ (୩୨) ହରାଇଥିଲା । ୩ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବାବର ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିଥିଲେ ହେଁ ମଧ୍ୟ ଭାଗ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ । ବାବରଙ୍କ ୧୧୨ (୧୦୮ ବଲ୍, ୧୦ ଚୌକା, ୧ ଛକା) ଓ ବରିଷ୍ଠ ବ୍ୟାଟ୍ସମ୍ୟାନ୍ ସୋଏବ ମଲିକଙ୍କ ୪୪ ରନ୍ ବଳରେ ପାକିସ୍ତାନ ୨୬୨ ରନ୍ର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବି ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ ।
ଜବାବରେ ୨୬୩ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ଭଲ ଆରମ୍ଭ କରିଥିଲା । ଓପନର ମହମ୍ମଦ ଶାହଜାଦ ୨୩ ରନ୍ କରି ରିଟାୟର୍ଡ଼ ହର୍ଟ ହୋଇ ପାଭିଲିୟନ ଫେରିଥିବା ବେଳେ ହଜରତୁଲ୍ଲା ଜାଜାଇ ୪୯ ଓ ରହମତ ଶାହ ୩୨ ରନ୍ର ଉପଯୋଗୀ ଇନିଂସ୍ ଖେଳିଥିଲେ । ୪ନଂ ସ୍ଥାନରେ ଖେଳିଥିବା ହସମୁତୁଲ୍ଲା ସାହିଦି ଦମ୍ଦାର ବ୍ୟାଟିଂ କରିବା ସହ ମଧ୍ୟ ଭାଗ ଓ ନିମ୍ନଭାଗ ବ୍ୟାଟ୍ସମ୍ୟାନ୍ଙ୍କୁ ସାଥି କରି ଦଳକୁ ବିଜୟୀ କରାଇଥିଲେ । ହସମୁତୁଲ୍ଲା ଅପରାଜିତ ୭୪, ସାମିଉଲ୍ଲା ଶିନୱାରି ୨୨ ଓ ମହମ୍ମଦ ନବି ୩୪ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ୱାହାବ ରିୟାଜ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ ।