ନୂଆଦିଲ୍ଲୀ,୧୪/୦୧: ଖଣ୍ଡ ଖଣ୍ଡ ହେବ ପାକିସ୍ତାନ । ୪ ଭାଗରେ ହେବ ଭାଗ ଭାଗ । ପୁଣି ଦେଶରେ ରାଜ୍ୟ ସଂଖ୍ୟା ବୃଦ୍ଧି ଦାବି ତୀବ୍ର ହୋଇଛି । ବାଂଲାଦେଶ ଜନ୍ମ ସହିତ ପୂର୍ବ ପାକିସ୍ତାନ ହରାଇବା ପରେ, ବର୍ତ୍ତମାନର ସରକାରୀ ପ୍ରଶାସନିକ ସଂସ୍କାର ନାମରେ ଦେଶକୁ ଛୋଟ ଛୋଟ ପ୍ରଦେଶରେ ବିଭକ୍ତ କରିବାକୁ ପ୍ରସୁତ ହେଉଛି । ସରକାର ଯୁକ୍ତି ଦେଇଛନ୍ତି କି, ଏହା ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବ, କିନ୍ତୁ ବିଶେଷଜ୍ଞମାନେ ଏହି ପଦକ୍ଷେପକୁ ପାକିସ୍ତାନ ପାଇଁ କ୍ଷତିକାରକ ବୋଲି କହିଛନ୍ତି । ପାକିସ୍ତାନର ସଂଘୀୟ ଯୋଗାଯୋଗ ମନ୍ତ୍ରୀ ଏବଂ ଇସ୍ତେହକାମ୍-ଏ-ପାକିସ୍ତାନ ପାର୍ଟି ସଭାପତି ଅବଦୁଲ ଅଲିମ୍ ଖାନ୍ ସମ୍ପ୍ରତି ପାକିସ୍ତାନର ଛୋଟ ପ୍ରଦେଶ ଗଠନର ସମର୍ଥନ କରିଛନ୍ତି । ଦେଶର ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

​​​​​​​ଯୋଜନା କଣ ? ଅଲିମ୍ ଖାନଙ୍କ ଅନୁସାରେ, ପଞ୍ଜାବ, ସିନ୍ଧ, ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱା ପ୍ରତ୍ୟେକକୁ ୩ କିମ୍ବା ୪ଟି ପ୍ରଶାସନିକ ୟୁନିଟରେ ବିଭକ୍ତ କରାଯିବ । ଏହା ଫଳରେ ପାକିସ୍ତାନରେ ମୋଟ୍ ୧୨ଟୁ ୧୬ଟି ପ୍ରଦେଶ ହୋଇପାରେ । ସରକାର ଯୁକ୍ତି ଦେଉଛନ୍ତି କି, ବର୍ତ୍ତମାନର ପ୍ରଦେଶଗୁଡିକ ଜନସଂଖ୍ୟା ଦୃଷ୍ଟିରୁ ବହୁତ ବଡ଼, ଯାହା ବିକାଶକୁ ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିବାରେ ବାଧା ସୃଷ୍ଟି କରୁଛି । ଛୋଟ ପ୍ରଦେଶଗୁଡିକ ଲୋକହ୍କୁ ସେମାନଙ୍କ ଦ୍ୱାରଦେଶରେ ସରକାରୀ ସେବା ପାଇବାକୁ ଅନୁମତି ଦେବ ।

କିଏ କରୁଛି ସମର୍ଥନ, କିଏ କରୁଛି ବିରୋଧ ? ଏହି ପ୍ରସ୍ତାବ ପାକିସ୍ତାନର ମିଳିତ ସରକାର ଭିତରେ ମଧ୍ୟ ଫାଟ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସରକାରଙ୍କ ଅଂଶବିଶେଷ ଆଇପିପି ଏବଂ ସିନ୍ଧ-ଭିତ୍ତିକ ଏମକ୍ୟୁଏମ-ପି ଯୋଜନାର ଦୃଢ ସମର୍ଥକ । ଏମକ୍ୟୁଏମ୍ ପି ୨୯ ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ନୂଆ ପ୍ରଦେଶ ଗଠନ ପାଇଁ ଆହ୍ୱାନ ଦେଇଛି । ଏହି ସମୟରେ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି ଏହି ବିଭାଜନ ବିରୋଧରେ । ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହ ଚେତାବନୀ ଦେଇଛନ୍ତି ଯେ, ସିନ୍ଧର କୌଣସି ବିଭାଜନକୁ ଗ୍ରହଣ କରିବେ ନାହିଁ । ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ୱାଇ ଜାତୀୟତାବାଦୀ ସଂଗଠନଗୁଡିକ ବିଶ୍ୱାସ କରନ୍ତି ଯେ ଏହା ସେମାନଙ୍କର ସାଂସ୍କୃତିକ ପରିଚୟକୁ ନଷ୍ଟ କରିବାର ଏକ ଷଡ଼ଯନ୍ତ୍ର ।

ସମାଧାନ ନାହିଁ, ନୂଆ ସମସ୍ୟା;

ରାଜନୈତିକ ଏବଂ ପ୍ରଶାସନିକ ବିଶେଷଜ୍ଞମାନେ ଏହି ପଦକ୍ଷେପକୁ ବଡ଼ ବିପଦ ବୋଲି କହିଛନ୍ତି । ପୂର୍ବତନ ପୁଲିସ୍ ମୁଖ୍ୟ ସୟଦ ଅଖତର ଅଲ୍ଲୀ ଶାହ ଯୁକ୍ତିରେ କହିଛନ୍ତି, ପାକିସ୍ତାନ ସମସ୍ୟା ପ୍ରଦେଶ ସଂଖ୍ୟା ନୁହେଁ ବରଂ ଦୁର୍ବଳ ପ୍ରତିଷ୍ଠାନ ଏବଂ ଦାୟିତ୍ୱହୀନତା । ମୌଳିକ ସଂସ୍କାର ବିନା ନୂଆ ପ୍ରଦେଶ ଗଠନ କରିବା କେବଳ ଅରଜକତା ବୃଦ୍ଧି କରିବ । ଏହି ସମୟରେ ପିଆଇଏଲଡିଏଟି ମୁଖ୍ୟ ଅହମ୍ମଦ ବିଲାଲ ମେହବୁବ ଚେତାବନୀ ଦେଇଛନ୍ତି ଯେ, ନୂଆ ପ୍ରଦେଶ ସୃଷ୍ଟି କରିବା ଏକ ବ୍ୟୟବହୁଳ ଏବଂ ଜଟିଳ ପ୍ରକ୍ରିୟା । ଅତୀତରେ ଏପରି ପରୀକ୍ଷଣ ଜନସାଧାରଣଙ୍କ ଅଭିଯୋଗକୁ ଦୂର କରିବା ପରିବର୍ତ୍ତେ ଏହାକୁ ଆହୁରି ବଢାଇଛି ।

୧୯୪୭ରେ ସ୍ୱାଧୀନତା ସମୟରେ ପାକିସ୍ତାନରେ ୫ଟି ପ୍ରଦେଶକୁ ନେଇ ଗଠିତ ହୋଇଥିଲା । ପୂର୍ବ ବଙ୍ଗ, ପଶ୍ଚିମ ପଞ୍ଜାବ, ସିନ୍ଧ, ଉତ୍ତର ପଶ୍ଚିମ ପ୍ରଦେଶ (ଏନଡବ୍ଲୁଏଫପି) ଏବଂ ବେଲୁଚିସ୍ତାନ । ୧୯୭୧ ଯୁଦ୍ଧ ପରେ, ପୂର୍ବ ବଙ୍ଗ ଅଲଗା ହୋଇ ବାଂଲାଦେଶ ଗଠନ କରିଥିଲା । ବିଶେଷଜ୍ଞମାନଙ୍କ ଅନୁସାରେ ପ୍ରଦେଶଗୁଡ଼ିକ ବିଭାଜନ ବେଲୁଚିସ୍ତାନ ଏବଂ ଖ୍ୱାଇବର ପଖତୁନଖ୍ୱାରେ ପୂର୍ବରୁ ଚାଲିଥିବା ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ନିଆଁରେ ଘିଅ ଢାଳିପାରେ ।