ଚତୁର୍ଥ ଦିନିକିଆ : ପାକିସ୍ତାନ ୮ ୱିକେଟ୍ରେ ଜିତିଲା

ଜୋହନ୍ସବର୍ଗ, ୨୭ ।୧ (ଏଜେନ୍ସି): ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ରେ ପାକିସ୍ତାନ ୮ ୱିକେଟ୍ରେ ବିଶାଳ ବିଜୟ ହାସଲ କରିଛି । ଏଥିସହ ୫ ମ୍ୟାଚ୍ ବିଶିଷ୍ଟ ସିରିଜ ୨-୨ରେ ବରାବର ହୋଇଛି । ପ୍ରଥମେ ବ୍ୟାଟିଂ କରି ଘରୋଇ ଦକ୍ଷିଣ ଆଫ୍ରିକା ୪୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୬୪ ରନ୍ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନ ୩୧.୩ ଓଭରରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।
ପାକିସ୍ତାନ ଟସ୍ ଜିତି ଘରୋଇ ଦଳକୁ ବ୍ୟାଟିଂ ଆମନ୍ତ୍ରଣ ଜଣାଇଥିଲା । ଓପନର ହାସିମ ଅମଲା ଓ କ୍ୱିଣ୍ଟନ ଡି କକ୍ ଇନିଂସ ଆରମ୍ଭ କରିଥିଲେ । ଡି କକ୍ ଖାତା ଖୋଲି ପାରି ନଥିବାବେଳେ ରିଜା ହେନଡ୍ରିକ୍ସ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ପରେ ଓପନର ଅମଲା (୫୯) ଓ ଅଧିନାୟକ ଫାଫ୍ ଡୁପ୍ଲେସିସ୍ (୫୭)ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ଏକ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭନ ଦର ଦୁସେନ ୧୮, ଅନ୍ଦିଲେ ଫେଲୁକୱାୟୋ ୧୧ ରନ୍ କରିଥିଲେ । ଉସମାନ ସିନୱାରୀ ଘାତକ ବୋଲିଂ କରି ୪ଟି ୱିକେଟ୍ ହାସଲ କରିଥିଲେ ।
ଜବାବରେ ପାକିସ୍ତାନ ଦୁଇ ଓପନର ଇମାମ ଉଲ ହକ୍ ଓ ଫଖର ଜାମନ ବେଶ ଚମତ୍କାର ବ୍ୟାଟିଂ କରିଥିଲେ । ଫଳରେ ଦଳ ପ୍ରଥମ ୱିକେଟ୍ରେ ୭୦ ରନ୍ ସଂଗ୍ରହ କରିଥିଲା । ଫଖର ୪୪ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ସ୍ଥାନ ନେଇଥିଲେ ବାବର ଆଜମ । ସେ ଓପର ଇମାମ ଉଲ ହକଙ୍କ ସହ ମିଶି ଦଳକୁ ବିଜୟ ନିକଟତର କରାଇଥିଲେ । ଇମାନ ୭୧ ରନ୍ କରି ପାଭିଲିୟନ ଫେରିଥିଲେ । ୩୧.୩ ଓଭରରେ ଦଳ ବିଜୟୀ ହୋଇଥିଲା । ବାବର ୪୧ ଓ ମହମ୍ମଦ ରିଜୱାନ ୪ ରନ୍ କରି ଅପରାଜିତ ରହିଥିଲେ । ଇମ୍ରାନ ତାହିର ଓ ଫେଲୁକୱାୟୋ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିବାରେ ସଫଳ ହୋଇଥିଲେ । ୪ଟି ୱିକେଟ୍ ହାସଲ କରିଥିବାରୁ ଉସମାନ ସିନୱାରୀ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ୪ଟି ମ୍ୟାଚ୍ରୁ ବାସନ୍ଦ ହୋଇଥିବା ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ଏହି ମ୍ୟାଚ୍ ଖେଳି ନଥିଲେ ।