ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପାକିସ୍ତାନୀ ବ୍ୟକ୍ତି,  ତାଙ୍କକ ଦୁଇ ପିଲାଙ୍କ ଚିକିତ୍ସା ପାଇଁ ଭାରତକୁ ଆସିଛନ୍ତି। କିନ୍ତୁ ପହଲଗାମ ଆକ୍ରମମ ପରେ ଉଭୟ ଦେଶର ସରକାର ଭିସା ରଦ୍ଧ କରିବା ପରେ ସେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି। ଏଣୁ ତାଙ୍କ ପିଲାଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ତାଙ୍କୁ ଭାରତରେ ରହିବାକୁ ଅନୁମତି ଦିଆଯାଉ ବୋଲି ସେ ଭାରତ ଓ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି। ତେବେ ଭାରତ ପାକିସ୍ତାନୀ ନାଗରିକମାନଙ୍କ ପାଇଁ ସମସ୍ତ ଭିସା ରଦ୍ଦ କରିବା ସହ ଏପ୍ରିଲ ୨୯ ତାରିଖ ସୁଦ୍ଧା ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ ବାହାରିଥିବା ରିପୋର୍ଟ ମୁତାବକ, ଜଣେ ପାକିସ୍ତାନୀ ବ୍ୟକ୍ତି ତାଙ୍କ ପିଲାଙ୍କ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଭାରତରେ ଚିକିତ୍ସା କରାଉଛନ୍ତି। ସେ କହିଛନ୍ତି, “ଭାରତୀୟମାନଙ୍କର ହୃଦୟ ଅଛି... ମୋ ପିଲାମାନଙ୍କୁ ବଞ୍ଚାଇବା ପାଇଁ ମୋତେ ଏଠାରେ ରହିବାକୁ ଦିଅନ୍ତୁ।” ତାଙ୍କ ଏହି ଆବେଦନ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଛି। ଯେଉଁଠାରେ ଅନେକ ୟୁଜର୍ସ ତାଙ୍କ ପାଇଁ ସମର୍ଥନ ଜଣାଇଛନ୍ତି।

ଏକାଧିକ ଏକ୍ସ ପୋଷ୍ଟରେ ଏହି ଘଟଣାକୁ ଏକ ମାନବୀୟ ଦୃଷ୍ଟିକୋଣରୁ ଉପସ୍ଥାପନ କରାଯାଇଛି। ଯେଉଁଠାରେ ଲୋକେ ଭାରତ ସରକାରଙ୍କୁ ଏହି ମାମଲାରେ ବିଚାର କରିବାକୁ ଅନୁରୋଧ କରିଛନ୍ତି। ତେବେ, ଏହି ଅନୁରୋଧ ଉପରେ ସରକାରୀ ନିଷ୍ପତ୍ତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାରଣ ଭାରତ-ପାକିସ୍ତାନ ମଧ୍ୟରେ ବିବାଦୀୟ ସ୍ଥିତି ଚରମ ସ୍ତରରେ ପହଞ୍ଚିଛି।

ଏହି ଘଟଣା ବିଭିନ୍ନ ମାନବୀୟ ସମସ୍ୟା ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ଏକ ଜଟିଳ ସନ୍ତୁଳନ ଉପରେ ଆଲୋକପାତ କରିଛି। ଏହି ମାମଲାରେ ଏକ ପାରସ୍ପରିକ ସମାଧାନର ଆବଶ୍ୟକତା ରହିଛି। ଯାହା ଚିକିତ୍ସା ଜନିତ ଆବଶ୍ୟକତା ଓ ଜାତୀୟ ନୀତିକୁ ଦୃଷ୍ଟିରେ ରଖି ଏକ ନୂଆ ନିୟମ ବନାଇବା ଉପରେ ଆଲୋକପାତ କରିଛି।