ପକୁଡ଼ି ଖାଇ ପରିବାରର ୩ ଗୁରୁତର, କର୍ନଫ୍ଲୋର୍ ଭାବି କୀଟନାଶକ ପାଉଡର୍ ମିଶାଇ ଦେଇଥିଲେ..

କେନ୍ଦ୍ରାପଡ଼ା,୨୭/୦୫: କୀଟନାଶକ ଔଷଧ ପାଉଡର୍ ମିଶା ପକୁଡ଼ି ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି ଏକ ପରିବାରର ୩ଜଣ ସଦସ୍ୟ । କୀଟନାଶକ ପାଉଡର୍କୁ କର୍ନଫ୍ଲୋର୍ ଭାବି ସେମାନେ ପକୁଡ଼ିରେ ମିଶାଇ ଦେଇଥିଲେ । ଯାହାକୁ ଖାଇବା ପରେ ଅସୁସ୍ଥ ହୋଇଥିଲେ । ସେମାନଙ୍କ ଶରୀରରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲା । କେନ୍ଦ୍ରାପଡ଼ା ବ୍ଲକ୍ ଅଧୀନ ପଳସିଂହା ପଞ୍ଚାୟତ ତେଲିପାଟଣା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅସୁସ୍ଥ ବାପା, ମା’ ଓ ପୁଅଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତେଲିପାଟଣା ଗ୍ରାମର ଭାସ୍କର ସାହୁ (୬୦), ପତ୍ନୀ ସାବିତ୍ରୀ(୫୫) ଓ ପୁଅ (୨୫) ଗତକାଲି ରାତିରେ ଘରେ ପକୁଡ଼ି ଛାଣି ଖାଇଥିଲେ । ପକୁଡ଼ି ପ୍ରସ୍ତୁତି ବେଳେ ସେମାନେ ବେସନରେ କର୍ନଫ୍ଲୋର୍ ବଦଳରେ ଭୁଲ୍ରେ ଚାଷ ପାଇଁ ରଖାଯାଇଥିବା କୀଟନାଶକ ପାଉଡ୍ରକୁ ପକାଇ ଦେଇଥିଲେ । ଆଜି ସକାଳୁ ସେମାନଙ୍କ ମୁଣ୍ଡ ବୁଲାଇବା ସହ ୩ଜଣ ବାନ୍ତି କରି ଅଚେତ ହୋଇ ପଡ଼ିଥିଲେ । ପଡ଼ୋଶୀଙ୍କ ସହାୟତାରେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ସମସ୍ତେ ସୁସ୍ଥ ଅଛନ୍ତି ।