ପାଣ୍ଡ୍ୟା ବ୍ରଦର୍ସ ଚମତ୍କାର

ମୁମ୍ବାଇ,୩ା୪(ଏଜେନ୍ସି): ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟକୁ ଫେରିଛି । ଘରୋଇ ଗ୍ରାଉଣ୍ଡ୍ରେ ମୁମ୍ବାଇ ଇଣ୍ଡଅିାନ୍ସ ୩୭ ରନ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗସକୁ ପରାସ୍ତ କରିଛି । ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ୫/୧୭୦ ରନ୍ ସଂଗ୍ରହ କରିଥିଲା । ଜବାବରେ ସୁପରକିଙ୍ଗ୍ସ ୮ ୱିକେଟ୍ ହରାଇ ୧୩୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ୮ଟି ବଲ୍ରୁ ୨୫ ରନ୍ ସଂଗ୍ରହ କରିବା ସହ ୩ଟି ୱିକେଟ୍ ଅକ୍ତିଆର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।
ଏହି ମ୍ୟାଚ୍ରେ ଟସ୍ ଜିତି ସୁପରକିଙ୍ଗ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୮ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା । ଓପନର କ୍ୱିଣ୍ଟନ ଡି କକ୍ ୪ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟ କୁମାର ଯାଦବ ଅପରାଜିତ ରୋହିତଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଦଳୀୟ ସ୍କୋରକୁ ୪୫ରେ ପହଞ୍ଚାଇଥିଲେ । ଅଷ୍ଟମ ଓଭରରେ ରୋହିତ(୧୩) ପାଭିଲିୟନ ଫେରିଥିଲେ । ଯୁବରାଜ ସିଂହ ମଧ୍ୟ କ୍ରିଜ୍ରେ ତିଷ୍ଠି ପାରି ନଥିଲେ । ସେ ମାତ୍ର ୪ ରନ୍ କରିଥିଲେ । ୫୦ ରନ୍ରେ ଦଳ ୩ଟି ୱିକେଟ୍ ହରାଇ ସଂକଟରେ ପଡ଼ିଯାଇଥିଲା । ସୂର୍ଯ୍ୟକୁମାର ଗୋଟିଏ ପଟେ ଦୃଢ ବ୍ୟାଟିଂ ଜାରି ରଖିଥିବାବେଳେ ତାଙ୍କ ସହ କୃନାଲ୍ ପାଣ୍ଡ୍ୟା କ୍ରିଜ୍ରେ ଯୋଗ ଦେଇ ସ୍ଥିତି ସୁଧାରି ଥିଲେ । ଚତୁର୍ଥ ୱିକଟ୍ରେ ୬୨ ରନ୍ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୧୧୨ ବେଳେ ବ୍ୟକ୍ତିଗତ ୪୨(୫ଚୌକା, ୧ଛକା) ରନ୍ କରି କୃନାଲ ଆଉଟ୍ ହୋଇଥିଲେ । ପରେ ପରେ ଦଳ ସୂର୍ଯ୍ୟକୁମାର(୫୯,୮ଚୌକା, ୧ଛକା)ଙ୍କ ୱିକେଟ୍ ହରାଇଥିଲା । ୧୮ ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର ଥିଲା ୧୨୫ ।
ଶେଷ ୨ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରେନ ପୋଲାର୍ଡ ୪୫ ରନ୍ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୧୭୦ରେ ପହଞ୍ଚି ଯାଇଥିଲା । ହାର୍ଦ୍ଦିକ ୮ଟି ବଲ୍ରୁ ୨୫(୧ଚୌକା, ୩ଛକା)ଓ ପୋଲାର୍ଡ ୭ଟି ବଲ୍ରୁ ୧୭(୨ଛକା) ରନ୍ କରି ଅପରାଜିତ ରହିଥିଲେ । କ୍ରମାଗତ ୩ଟି ମ୍ୟାଚ୍ ଜିତି ସାରିଥିବା ସୁପରକିଙ୍ଗ୍ସ ପାଇଁ ୧୭୧ ରନ୍ର ବିଜୟ ଲକ୍ଷ୍ୟ କଷ୍ଟକର ନଥିଲା । ହେଲେ ଜାସନ ବେହରନଡ୍ରଫଙ୍କ ଉପସ୍ଥିତି ମୁମ୍ବାଇର ବୋଲିଂ ବିଭାଗକୁ ସୁଦୃଢ କରିଦେଇଥିଲା । ସୁପରକିଙ୍ଗ୍ସ ୬ ରନ୍ରେ ଉଭୟ ଓପନରଙ୍କୁ ହରାଇଥିଲା । ଅମ୍ବାତି ରାୟୁଡୁ ଖାତା ଖୋଲି ପାରି ନଥିବାବେଳେ ସେନ ୱାଟସନ୍ ୫ ରନ୍ କରି ଆଉଟ୍ ହୋଇଥିଲେ । ସୁରେଶ ରାଇନା(୧୬) ମଧ୍ୟ ସହଳ ପାଭିଲିୟନ ଫେରିଥିଲେ । ୩୩ ରନ୍ରେ ଦଳ ୩ଟି ୱିକେଟ୍ ହରାଇ ସାରିଥିଲା ।
କେଦାର ଯାଦବ ଓ ମହେନ୍ଦ୍ର ସିଂ ଧୋନି ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଅନ୍ୟ ପଟରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ଦ୍ରୁତ ରନ୍ ସଂଗହ୍ର କରବିାକୁ ସୁଯୋଗ ଦେଇ ନଥିଲେ । ଉଭୟ ଦଳୀୟ ସ୍କୋରକୁ ୮୭ରେ ପହଞ୍ଚାଇଥିଲେ । ୧୫ତମ ଓଭରରେ ଧୋନି(୧୨)ଙ୍କୁ ଆଉଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ବିଜୟ ଆଶା ସଞ୍ଚାର କରିଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ କ୍ରିଜରେ ତିଷ୍ଠି ପାରି ନଥିଲେ । କେଦାର ଲଢୁଆ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେ ୫୮ ରନ୍ କରି ଆଉଟ୍ ହେବା ପରେ ମୁମ୍ବାଇର ବିଜୟ ନିଶ୍ଚିତ ହୋଇ ଯାଇଥିଲା । ରବିନ୍ଦ୍ର ଜାଡେଜା, ଡ୍ୱେନ ବ୍ରାଭୋ ସଫଳ ହୋଇପାରି ନଥିଲେ । ସୁପରକିଙ୍ଗ୍ସ ୮/୧୩୩ ରନ୍ କରିଥିଲା । ମୁମ୍ବାଇ ପକ୍ଷରୁ ଲସିଥ ମାଲିଙ୍ଗା ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ବେହରନଡ୍ରଫ ୨ଟି ୱିକେଟ୍ ନେଇଥିଲେ ।