ଭୁବନେଶ୍ୱର, ୦୧/୦୪: ଆଜିକାଲି ‘ୟୁଜ୍ ଏଣ୍ଡ୍ ଥ୍ରୋ’ ସଂସ୍କୃତି ଆମ ଦୈନନ୍ଦିନ ଜୀବନର ଅଂଶ ହୋଇପଡିଛ । ଆଧୁନିକ ଜୀବନଶୈଳୀ ସହିତ ଏବେ କାଗଜ କପ୍ର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ଚା, କଫି, ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟପଦାର୍ଥ ପର୍ଯ୍ୟନ୍ତ ସବୁଠି କାଗଜ କପ୍ ପ୍ରାୟ ଏକାନ୍ତ ଅନିର୍ବାଯ୍ୟ ହୋଇପଡିଛି । କିନ୍ତୁ ଏହି କାଗଜ କପ୍ରେ ଲୁଚି ରହିଛି ବିଷ । ଯାହା ଧୀରେ ଧୀରେ ଲୋକଙ୍କୁ ମାରିବାରେ ଲାଗିଛି। ଏପରି ଭାବେ ବିଷ ରହିଛି ଯେ ଲୋକମାନେ ଏହାକୁ ପିଉଛନ୍ତି କିନ୍ତୁ ଜାଣିପାରୁ ନାହାଁନ୍ତି ଯେ ସେମାନେ ବିଷ ପିଇ ମୃତ୍ୟୁ ଆଡକୁ ଦୌଡୁଛନ୍ତି । ଏହା ହେଉଛି ମାଇକ୍ରୋପ୍ଲାଷ୍ଟିକ ବିଷ । ଯାହାକୁ ବ୍ୟବହାର କରିବା ଦ୍ୱାରା ଲୋକେ କ୍ୟାନସର ଭଳି ବିଭିନ୍ନ ମାରାତ୍ମକ ରୋଗରେ ଶିକାର ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଏହାର ବଢୁଥିବା ବ୍ୟବହାର ନେଇ ଏବେ ବିଶେଷଜ୍ଞମାନଙ୍କ ମୁଣ୍ଡବ୍ୟଥା ବଢାଇଛି ।
ବିଶେଷଜ୍ଞଙ୍କ କହିବାନୁଯାୟୀ , ଅଧିକାଂଶ କାଗଜ କପ୍ ଭିତରେ ପଲିଥିନ୍ କିମ୍ବା ପ୍ଲାଷ୍ଟିକ ଲେୟର ଲାଗିଥାଏ, ଯାହା ତାପମାନ ବଢିଲେ କେମିକାଲ ମୁକ୍ତ କରିପାରେ । ଗରମ ଚା, କିମ୍ବା କଫି ଏହି କପରେ ପରିବେଶନ କରାଗଲେ, ସେହି କେମିକାଲ ଦ୍ରବ୍ୟ ପାନୀୟରେ ମିଶି ଶରୀରକୁ ପ୍ରବେଶ କରିବାର ସମ୍ଭାବନା ରହେ । ଅଧିକାଂଶ କାଗଜ କପ୍ ଭିତରେ ପଲିଏଥିଲିନ୍ କିମ୍ବା କେତେକ ସମୟରେ ମୋମ ଲେୟର ଲଗାଯାଇଥାଏ । ଏହା ତରଳ ପଦାର୍ଥ ଲିକ୍ ହେବାକୁ ରୋକେ । କିନ୍ତୁ ଗରମ ପାନୀୟ ସହିତ ସଂସ୍ପର୍ଶ ହେଲେ ଏହି ଲେୟର ଧୀରେ ଧୀରେ ଭାଙ୍ଗି ସୂକ୍ଷ୍ମ ପ୍ଲାଷ୍ଟିକ କଣା (ମାଇକ୍ରୋପ୍ଲାଷ୍ଟିକ) ଓ କେମିକାଲ ଛାଡିଥାଏ । ଏହି କପ୍ରେ ୧୫ମିନିଟରୁ ଅଧିକ କୌଣସି ଗରମ ଦ୍ରବ୍ୟ ରହିଲେ ୨୫୦୦୦ ମାଇକ୍ରୋପ୍ଲାଷ୍ଟିକ ସୃଷ୍ଟି କରିଥାଏ । ଏପରି କେମିକାଲ ଦୀର୍ଘମିଆଦି ଧରି ଶରୀରକୁ କ୍ଷତି ପହଞ୍ଚାଇପାରେ । ପାଚନ ତନ୍ତ୍ର ସମସ୍ୟା, ହରମୋନର ଅସନ୍ତୁଳନ, ଜି.ଆଇ କର୍କଟ(ଗ୍ୟାସଷ୍ଟ୍ରୋଇନଟେଷ୍ଟିନାଲ),ସ୍ତନ କର୍କଟ, ଅନ୍ତନଳୀ କର୍କଟ, ହୃଦ ରୋଗ ଭଳି ଅନ୍ୟାନ୍ୟ ଗୁରୁତର ରୋଗ ହେବାର ଆଶଙ୍କା ରହିଛି ।
ଏହା ସହିତ, ପରିବେଶ ପ୍ରତି ମଧ୍ୟ ଏହା ଏକ ଚିନ୍ତାଜନକ ପ୍ରସଙ୍ଗ । ଏହି କାଗଜ କପ୍କୁ ବ୍ୟବହାର ପରେ ଅଧିକାଂଶ ସମୟରେ ଏଣେତେଣେ ଫୋପାଡି ଦିଆଯାଉଥିବା ଯୋଗୁଁ କାଗଜ କପ୍କୁ ଖାଇ ରାସ୍ତାରେ ବୁଲୁଥିବା ଗାଈଗୋରୁ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସେହିଭଳି ଏହି କପ୍ ଗୁଡିକରେ ଏହାର ନିର୍ମାତା, କେବେ ତିଆରି, ବ୍ୟବହାର ଅବଧି, କେତେ ଦିନ, କ’ଣ ପାଇଁ ବ୍ୟବହାର ଯୋଗ୍ୟ, କେଉଁଥିରୁ ତିଆରି ଆଦି ସବିଶେଷ ତଥ୍ୟ ଦର୍ଶାଯାଇନଥାଏ । କାଗଜ କପ୍କୁ ସାଧାରଣତଃ ପରିବେଶବନ୍ଧୁ ବୋଲି ପ୍ରଚାର କରାଯାଏ, କିନ୍ତୁ ପ୍ଲାଷ୍ଟିକ ଲେୟର ଥିବାରୁ ଏହାକୁ ପୁନଃଚକ୍ରାୟନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ଫଳରେ ଏହା ଭୂମି ଓ ଜଳ ପ୍ରଦୂଷଣର କାରଣ ହେଉଛି । ସମ୍ ହସ୍ପିଟାଲର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଶ୍ରୀକାନ୍ତ କୁମାର ଧରଙ୍କ ପରାମର୍ଶ ଅନୁସାରେ, କାଚ, ଷ୍ଟିଲ କିମ୍ବା ମାଟି ପାତ୍ରର ବ୍ୟବହାର କରିବା ଉଚିତ୍ । ସହଜ ଓ ଶସ୍ତା ବିକଳ୍ପ ଭାବେ କାଗଜ କପ୍ର ବ୍ୟବହାର ଅତି ସାଧାରଣ ହୋଇପଡିଥିଲେ ମଧ୍ୟ ,ଏଥିରେ ଲୁଚିଥିବା ବିପଦକୁ ଅଣଦେଖା କରିହେବ ନାହିଁ । ଏହାର ଭୟାବହତା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ ।
ଆହୁରି ପଢ଼ନ୍ତୁ...ଆଇଏମ୍ଏଫ୍ର ଚେତାବନୀ: ଯୁଦ୍ଧ ବଢିଲେ କ୍ଷତିଗ୍ରସ୍ତ ହେବ ଅର୍ଥନୀତି, ଏହି ସବୁ ଦେଶର ହେବ ପ୍ରବଳ କ୍ଷତି