PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପେପର୍‌ ଡକ୍ୟୁମେଣ୍ଟ୍‌ ବନ୍ଦ, ଆଉ ଗଣିବାକୁ ପଡିବନି ଟଙ୍କା

source:www.mycarhelpline.com

କଟକ,୨ା୨(ବ୍ୟୁରୋ): ଗାଡ଼ି ଫିଟ୍‌ନେସ୍‌, ଡ୍ରାଇଭିଂ ଲର୍ନିଂ ଲାଇସେନ୍ସ, ରୁଟ୍‌ ପରମିଟ୍‌ ଭଳି ରେକର୍ଡପତ୍ର ଆଉ ଛାପା କାଗଜରେ ନେବାକୁ ପଡ଼ିବ ନାହିଁ । ଏଥିପାଇଁ ଗାଡ଼ି ମାଲିକ, ଗାଡ଼ି ଚାଳକଙ୍କୁ ଟଙ୍କା ମଧ୍ୟ ଦେବାକୁ ପଡ଼ିବ ନାହିଁ । ଏଭଳି ସମସ୍ତ ରେକର୍ଡପତ୍ର ଏଣିକି କେବଳ ଇଣ୍ଟରନେଟ୍‌ ଜରିଆରେ ଉପଲବ୍‌ଧ ହେବ । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଏଣିକି କାଗଜଛପା ରେକର୍ଡପତ୍ର ବନ୍ଦ ହୋଇଗଲା । କାଗଜ ପ୍ରିଣ୍ଟିଂ ରେକର୍ଡପତ୍ର (ପେପର୍‌ ଡକ୍ୟୁମେଣ୍ଟ) ବନ୍ଦ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) କମିସନ୍‌ଙ୍କ ପ୍ରସ୍ତାବ ଉପରେ ରାଜ୍ୟ ସରକାର ମୋହର ମାରିଛନ୍ତି । ଏଭଳି କାଗଜପତ୍ର ପାଇଁ ପ୍ରତି ବର୍ଷ ଲୋକଙ୍କ ପକେଟରୁ ପ୍ରାୟ ୨୬ କୋଟି ଟଙ୍କା ଯାଉଥିଲା । ଏହି ସେବା ଯୋଗାଇ ଦେଉଥିବାରୁ ଏକ ଘରୋଇ ସଂସ୍ଥା ପକେଟ୍‌କୁ ଏତକ ଟଙ୍କା ଯାଉଥିଲା । ପୂର୍ବରୁ ପରମିଟ୍‌, ଫିଟ୍‌ନେସ୍‌ ଏବଂ ଲର୍ନିଂ ଲାଇସେନ୍ସ ଆଦି ପେପର ଡକ୍ୟୁମେଣ୍ଟ ଲାଗି ୨୦ ଟଙ୍କା ଲେଖାଏଁ ନିଆଯାଇଥାଏ । କିନ୍ତୁ ରାଜ୍ୟ ସରକାର ଏହିସବୁ ଗାଡ଼ି କାଗଜପତ୍ରକୁ ଆସନ୍ତା ୪ ତାରିଖଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଛନ୍ତି । କୌଣସି ଗାଡ଼ି ଚାଳକଙ୍କୁ ଏହି କାଗଜପତ୍ର ନେବାଲାଗି କେହି ବାଧ୍ୟ କରିପାରିବେ ନାହିଁ । ଗାଡି଼ ଚାଳକ ଯଦି ଚାହାନ୍ତି ତେବେ ଏହି କାଗଜପତ୍ରକୁ ଇଣ୍ଟରନେଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ । ତେବେ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‌ (ଆର୍‌ସି) ଓ ଡ୍ରାଇଭିଂ ଲାଇସେନ୍ସ ପୂର୍ବ ଭଳି ସିକ୍ୟୁରିଟାଇଜଡ୍‌ ହୋଲୋଗ୍ରାମ୍‌ ଭିତ୍ତିକ କାଗଜରେ ଦିଆଯିବ ।
ଗାଡ଼ି ସହିତ ପରମିଟ୍‌, ଫିଟ୍‌ନେସ୍‌ ଏବଂ ଲର୍ନିଂ ଲାଇସେନ୍ସର କାଗଜପତ୍ର ଦେବାକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଗୋଟିଏ ପଟେ ଏହି କାଗଜପତ୍ରକୁ ହାଇକୋର୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲାବେଳେ ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ଏହି କାଗଜପତ୍ର ଗାଡି଼ ସହିତ ଦିଆଯିବା ବାଧ୍ୟତାମୂଳକ ହେବ ନାହିଁ ବୋଲି କହିଥିଲେ । ଏହାସତ୍ତେ୍ୱ ପ୍ରତ୍ୟେକ ଆରଟିଓଙ୍କ କାର୍ଯ୍ୟାଳୟରେ ଏଭଳି ଡକ୍ୟୁମେଣ୍ଟ କାଗଜପ୍ରିଣ୍ଟିଂ କରି ଦିଆଯାଉଥିଲା । ତେବେ ଏଭଳି ପେପର ଡକ୍ୟୁମେଣ୍ଟ ବନ୍ଦ କରିବା ନେଇ ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା । ରାଜ୍ୟ ସରକାର କମିସନରଙ୍କ ଏହି ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି । ବର୍ଷକୁ ଏହି କାଗଜପତ୍ର ନାଁରେ ପ୍ରାୟ ୨୬ କୋଟି ଟଙ୍କା ଆଦାୟ କରାଯାଉଥିଲା ।
୨୦୦୬ ସେପ୍ଟେମ୍ବରରେ ରାଜ୍ୟ ସରକାର ପରିବହନ ବିଭାଗରେ ଇ-ଗର୍ଭନାନ୍ସ ଆରମ୍ଭ କରିଥିଲେ । ଏଥିପାଇଁ ବିଶ୍ୱସ୍ତରୀୟ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଯେଉଁଥିରେ ଭାଗନେଇ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀ ଏହି ଟେଣ୍ଡର ହାତେଇବାରେ ସକ୍ଷମ ହୋଇଥିଲା । ଏହି କମ୍ପାନୀ ଇ-ଗଭର୍ଣ୍ଣାନ୍ସ ଦାୟିତ୍ୱ ନେବା ସମୟରେ ରାଜ୍ୟ ସରକାରଙ୍କ ସହ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଗାଡି କିଣାବିକା ସମୟରେ ଯେଉଁ ଚିପ୍‌ସ ଦିଆଯିବ ତାହା ସହ ପେପର ଡକ୍ୟୁମେଣ୍ଟ ମଧ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଅର୍ଥାତ ଚିପ୍‌ସ୍‌ ସହ ଜଣେ ଗାଡି କ୍ରେତାଙ୍କୁ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‌ (ଆର୍‌ସି), ପରମିଟ୍‌, ଫିଟ୍‌ନେସ୍‌, ଡିଏଲ୍‌, ଲର୍ନିଂ ଲାଇସେନ୍ସ ଲାଗି କାଗଜର ରେକର୍ଡପତ୍ର ଦିଆଯାଇଥାଏ ।
ତେବେ ଏହାକୁ ସିକ୍ୟୁରିଟାଇଜଡ୍‌ ହୋଲୋଗ୍ରାମ୍‌ ଭିତ୍ତିକ କାଗଜରେ କରିବାକୁ କୁହାଯାଇଥିଲା । କିନ୍ତୁ କିଛିଦିନ ପରେ ପରମିଟ୍‌, ଫିଟ୍‌ନେସ୍‌, ଲର୍ନିଂ ଲାଇସେନ୍ସ ଭଳି ଡକ୍ୟୁମେଣ୍ଟ ବିନା ସିକ୍ୟୁରାଟାଇଜଡ୍‌ ପେପରରେ ଆଦାୟ କରାଗଲା । ୨୦୦୭ ମସିହାରେ ଚିପ୍‌ସ୍‌ ସହ ଏହି ପେପରର ବ୍ୟବହାରକୁ ବିରୋଧ କରି ହାଇକୋର୍ଟରେ ବସ୍‌ ମାଲିକ ସଂଘ ଏକ ମାମଲା ରୁଜୁ କରିଥିଲେ । ଏଥିରେ ବସ୍‌ ମାଲିକ ସଂଘ ପକ୍ଷରୁ ଦର୍ଶାଯାଇଥିଲା ଯେ, ସେମାନେ ଚିପସ୍‌ ନେଉଛନ୍ତି । ଏହାପରେ ଆଉ ପେପର୍‌ ଡକ୍ୟୁମେଣ୍ଟ କ’ଣ ପାଇଁ ନେବେ । ଏଥିପାଇଁ ସେମାନଙ୍କୁ ଅଯଥା ଅଧିକ ଅର୍ଥ ଦେବାକୁ ପଡୁଛି । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଚିପସ୍‌ ଦେବା ପରେ ପେପର୍‌ ଡକ୍ୟୁମେଣ୍ଟର କୌଣସି ଆବଶ୍ୟକତା ନଥିବା ଉପଲ୍‌ବଧି କରି ରାଜ୍ୟ ସରକାର ଏହାକୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜ୍ୟ ସରକାର ଗାଡ଼ି ମାଲିକଙ୍କୁ ଚିପସ୍‌ ସହ ପେପର୍‌ ଡକ୍ୟୁମେଣ୍ଟ ଦିଆଯିବା ବାଧ୍ୟତାମୂଳକ ନୁହେଁ ବୋଲି ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ ଏହାସତ୍ତେ୍ୱ ଏହି କମ୍ପାନୀ ପକ୍ଷରୁ ଗାଡି ମାଲିକଙ୍କୁ ପେପର ଡକ୍ୟୁମେଣ୍ଟ ନାମରେ ଅର୍ଥ ଆଦାୟ କରାଯାଉଥିଲା । ଏକ ଆକଳନରୁ ଜଣାପଡ଼ିଛି ଯେ, ବର୍ଷକୁ ରାଜ୍ୟରେ ୭ ଲକ୍ଷ ଲର୍ନିଂ ଲାଇସେନ୍ସ ପାଇଁ ଆବେଦନ ହେଉଛି । ସେହିପରି ସାଢେ ୪ ଲକ୍ଷ ଫିଟ୍‌ନେସ୍‌ ଏବଂ ଦେଢ଼ ଲକ୍ଷ ପରମିଟ୍‌ ପାଇଁ ଆବେଦନ ହେଉଛି । ପ୍ରତି କାଗଜ ଲାଗି ଜଣେ ବ୍ୟକ୍ତିଙ୍କୁ ୨୦ ଟଙ୍କା ଦେବାକୁ ହେଲେ ମୋଟ୍‌ ୧୩ ଲକ୍ଷ କାଗଜ ଲାଗି ବର୍ଷକୁ ୨୬ କୋଟି ଟଙ୍କା ଆଦାୟ କରାଯାଉଥିଲା । ରାଜ୍ୟ ସରକାରଙ୍କ ଏହି ନୂଆ ନିଷ୍ପତ୍ତି ଫଳରେ ସାଧାରଣ ଲୋକେ ଅର୍ଥ ଶୋଷଣରୁ ବଞ୍ଚିତ ହେବେ ।

ସମ୍ବନ୍ଧିତ ଖବର