ପୁରୀ, ୧୮/୦୫: ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଚିକେନ୍‌ ଭକ୍ଷଣ କରୁଛି ଯୁବକ ।  ଏହାକୁ ଦେଖି ଯୁବକଙ୍କୁ ଘେରିଗଲେ ଲୋକେ ।  ଯୁବକର ପରିଚୟ ଜଣା ପଡ଼ିନଥିଲେ ହେଁ  ଭାଇରାଲ୍‌ ଭିଡିଓରେ ଯୁବକଙ୍କ କାର୍ଯ୍ୟକଳାପ ଦେଖି ଲୋକେ ଉତ୍ତ୍ୟକ୍ତ  ହୋଇଥିଲେ । ଖାଦ୍ୟ ଫିଙ୍ଗି ଦେବା ସହ  ଯୁବକକୁ ମାଡ଼ ମାରି ପରିକ୍ରମା ମାର୍ଗ ବେଢ଼ା  ଭିତରୁ ବିଦା କରିବାକୁ ଉପସ୍ଥିତ ଲୋକେ ମତ ରଖୁଥିବା ଶୁଣିବାକୁ ମିଳିଛି । 

ହାଫ୍‌ ପ୍ୟାଣ୍ଟ୍‌ ଓ ଟି-ସାର୍ଟ ପିନ୍ଧିଥିବା ଯୁବକଙ୍କ ବେକରେ ଏକ ବ୍ୟାଗ  ପଡ଼ିଛି । ରାତି ସମୟ ହୋଇଥିବା ବେଳେ ସେ  ଆମିଷ ଆଣି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ  ବସି ଖାଉଥିଲେ । ଏହି ସମୟରେ ଭକ୍ତଙ୍କ  ବେଶ ଚଳପ୍ରଚଳ ମଧ୍ୟ ରହିଥିଲା । ଲୋକଙ୍କ  ଧମକ ଶୁଣି ଯୁବକ ଜଣକ ଉପସ୍ଥାନରୁ ଚାଲି  ଯାଇଥିଲେ । ଏହି ସମୟରେ ପରିକ୍ରମା ମାର୍ଗ  ସୁରକ୍ଷାରେ ମୁତୟନ ଏକାଧିକ ସିକ୍ୟୁରିଟି ଗାର୍ଡଙ୍କ ଉପସ୍ଥିତି ମଧ୍ୟ ନଜର ଆସିଥିଲା । 

ପରିକ୍ରମା ମାର୍ଗ ଭିତରେ ଯୁବକ ଜଣଙ୍କ  ଆମିଷ ଆଣି ଭକ୍ଷଣ କରୁଥିବା ବେଳେ  ଏହାର ତଦାରଖ ନିମନ୍ତେ ମୁତୟନ ପୁଲିସ  ଓ ସିକ୍ୟୁରିଟି ଗାର୍ଡମାନେ କ’ଣ କରୁଥିଲେ  ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିକ୍ରମା  ମାର୍ଗର ଆଧ୍ୟାତ୍ମିକ ପରିବେଶକୁ ଏଭଳି ନଷ୍ଟ  କରିବା ବୁଦ୍ଧିଜୀବୀଙ୍କୁ ତାଜୁବ୍‌ କରିଛି । ପରିକ୍ରମା  ମାର୍ଗରେ ପ୍ରବେଶ ନିମନ୍ତେ ପ୍ରାୟ ୧୦ଟି ସ୍ଥାନରେ  ଗେଟ୍‌ କରାଯାଇଥିବା ବେଳେ ସୁରକ୍ଷା ନିମନ୍ତେ  ୫୦ରୁ ଅଧିକ କର୍ମଚାରୀ ଓ ପୁଲିସଙ୍କୁ ମୁତୟନ  କରାଯାଉଛି । ଦାୟିତ୍ୱହୀନତା ଯୋଗୁ ପରିକ୍ରମା  ମାର୍ଗର ଶୁଦ୍ଧତା ନଷ୍ଟ ହୋଇଛି । ପରିକ୍ରମା  ମାର୍ଗରେ ସରକାର ଅନ୍ନ ମଣ୍ଡପ, ଯଜ୍ଞ ମଣ୍ଡପ,  ନାମ ମଣ୍ଡପ ପ୍ରଭୃତି କରିବାକୁ ଲକ୍ଷ୍ୟ ରଖିଥିବା  ବେଳେ ସୁରକ୍ଷାରେ ଦାୟିତ୍ୱହୀନତା ଆଗାମୀ  ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପରେ  ଏହାର ସୁରକ୍ଷା ଓ ସଫେଇ ବ୍ୟବସ୍ଥାକୁ ଉତ୍ତମ  ରଖିବାକୁ ସରକାର ପ୍ରତି ବର୍ଷ କୋଟି କୋଟି  ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ପରିକ୍ରମା ମାର୍ଗରେ  ଥିବା ଗେଟ୍‌ର ପ୍ରବେଶ ସ୍ଥଳ ସମେତ ଅନ୍ୟ  ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଦେଖିବାକୁ ପର୍ଯ୍ୟାପ୍ତ  ସୁରକ୍ଷା କର୍ମୀ ନାହାନ୍ତି । ଫଳରେ ଜଣେ ଯୁବକ  ଏଠାରେ ବସି ଅମିଷ ଭକ୍ଷଣ କରିପାରିଲା  ବୋଲି ଅଭିଯୋଗ ହୋଇଛି । ତେବେ ଏହା  କେଉଁ ଦିନର ସ୍ପଷ୍ଟ ହୋଇନି । ଏଥିପାଇଁ  ପ୍ରଶାସନିକ ଦାୟିତ୍ୱହୀନତାକୁ ଦାୟୀ କରାଯାଇଛି ।