ପୁରୀ, ୧୮/୦୫: ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଚିକେନ୍ ଭକ୍ଷଣ କରୁଛି ଯୁବକ । ଏହାକୁ ଦେଖି ଯୁବକଙ୍କୁ ଘେରିଗଲେ ଲୋକେ । ଯୁବକର ପରିଚୟ ଜଣା ପଡ଼ିନଥିଲେ ହେଁ ଭାଇରାଲ୍ ଭିଡିଓରେ ଯୁବକଙ୍କ କାର୍ଯ୍ୟକଳାପ ଦେଖି ଲୋକେ ଉତ୍ତ୍ୟକ୍ତ ହୋଇଥିଲେ । ଖାଦ୍ୟ ଫିଙ୍ଗି ଦେବା ସହ ଯୁବକକୁ ମାଡ଼ ମାରି ପରିକ୍ରମା ମାର୍ଗ ବେଢ଼ା ଭିତରୁ ବିଦା କରିବାକୁ ଉପସ୍ଥିତ ଲୋକେ ମତ ରଖୁଥିବା ଶୁଣିବାକୁ ମିଳିଛି ।
ହାଫ୍ ପ୍ୟାଣ୍ଟ୍ ଓ ଟି-ସାର୍ଟ ପିନ୍ଧିଥିବା ଯୁବକଙ୍କ ବେକରେ ଏକ ବ୍ୟାଗ ପଡ଼ିଛି । ରାତି ସମୟ ହୋଇଥିବା ବେଳେ ସେ ଆମିଷ ଆଣି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ବସି ଖାଉଥିଲେ । ଏହି ସମୟରେ ଭକ୍ତଙ୍କ ବେଶ ଚଳପ୍ରଚଳ ମଧ୍ୟ ରହିଥିଲା । ଲୋକଙ୍କ ଧମକ ଶୁଣି ଯୁବକ ଜଣକ ଉପସ୍ଥାନରୁ ଚାଲି ଯାଇଥିଲେ । ଏହି ସମୟରେ ପରିକ୍ରମା ମାର୍ଗ ସୁରକ୍ଷାରେ ମୁତୟନ ଏକାଧିକ ସିକ୍ୟୁରିଟି ଗାର୍ଡଙ୍କ ଉପସ୍ଥିତି ମଧ୍ୟ ନଜର ଆସିଥିଲା ।
ପରିକ୍ରମା ମାର୍ଗ ଭିତରେ ଯୁବକ ଜଣଙ୍କ ଆମିଷ ଆଣି ଭକ୍ଷଣ କରୁଥିବା ବେଳେ ଏହାର ତଦାରଖ ନିମନ୍ତେ ମୁତୟନ ପୁଲିସ ଓ ସିକ୍ୟୁରିଟି ଗାର୍ଡମାନେ କ’ଣ କରୁଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିକ୍ରମା ମାର୍ଗର ଆଧ୍ୟାତ୍ମିକ ପରିବେଶକୁ ଏଭଳି ନଷ୍ଟ କରିବା ବୁଦ୍ଧିଜୀବୀଙ୍କୁ ତାଜୁବ୍ କରିଛି । ପରିକ୍ରମା ମାର୍ଗରେ ପ୍ରବେଶ ନିମନ୍ତେ ପ୍ରାୟ ୧୦ଟି ସ୍ଥାନରେ ଗେଟ୍ କରାଯାଇଥିବା ବେଳେ ସୁରକ୍ଷା ନିମନ୍ତେ ୫୦ରୁ ଅଧିକ କର୍ମଚାରୀ ଓ ପୁଲିସଙ୍କୁ ମୁତୟନ କରାଯାଉଛି । ଦାୟିତ୍ୱହୀନତା ଯୋଗୁ ପରିକ୍ରମା ମାର୍ଗର ଶୁଦ୍ଧତା ନଷ୍ଟ ହୋଇଛି । ପରିକ୍ରମା ମାର୍ଗରେ ସରକାର ଅନ୍ନ ମଣ୍ଡପ, ଯଜ୍ଞ ମଣ୍ଡପ, ନାମ ମଣ୍ଡପ ପ୍ରଭୃତି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ସୁରକ୍ଷାରେ ଦାୟିତ୍ୱହୀନତା ଆଗାମୀ ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପରେ ଏହାର ସୁରକ୍ଷା ଓ ସଫେଇ ବ୍ୟବସ୍ଥାକୁ ଉତ୍ତମ ରଖିବାକୁ ସରକାର ପ୍ରତି ବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ପରିକ୍ରମା ମାର୍ଗରେ ଥିବା ଗେଟ୍ର ପ୍ରବେଶ ସ୍ଥଳ ସମେତ ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଦେଖିବାକୁ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ନାହାନ୍ତି । ଫଳରେ ଜଣେ ଯୁବକ ଏଠାରେ ବସି ଅମିଷ ଭକ୍ଷଣ କରିପାରିଲା ବୋଲି ଅଭିଯୋଗ ହୋଇଛି । ତେବେ ଏହା କେଉଁ ଦିନର ସ୍ପଷ୍ଟ ହୋଇନି । ଏଥିପାଇଁ ପ୍ରଶାସନିକ ଦାୟିତ୍ୱହୀନତାକୁ ଦାୟୀ କରାଯାଇଛି ।