ନୟାଗଡ଼,୨୬/୦୧: ବହୁଚଚ୍ଚିତ ପରୀ ହତ୍ୟାକାଣ୍ଡକୁ ଆଧାର କରି ନିର୍ମାଣ କରାଯାଇଥିବା ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରିଛନ୍ତି ପରୀର ମାଆ । ଏହି ଚଳଚ୍ଚିତ୍ରକୁ ରିଲିଜ୍ ନ କରିବାକୁ ସେ ସଂସ୍କୃତି ମନ୍ତ୍ରୀ ଓ ଆଇନ୍ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏ ନେଇ ସେ ରବିବାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ଦୁଇ ମନ୍ତ୍ରୀଙ୍କୁ ଭେଟି ସେ ତାଙ୍କ ଦାବି ଜଣାଇବେ ବୋଲି କହିଛନ୍ତି । ସେ କହିଛନ୍ତି ଚଳଚ୍ଚିତ୍ରରେ ସ୍ଥାନ ପାଇଥିବା ସମସ୍ତ ଘଟଣାବଳୀ ସମ୍ପୂର୍ଣ୍ଣ ମିଛ । ଏଥିରେ କୌଣସି ସତ୍ୟତା ନାହିଁ । ତେଣୁ ଏହି ଚଳଚ୍ଚିତ୍ରକୁ ତୁରନ୍ତ ବନ୍ଦ କରାଯାଉ । ପରୀ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ପରୀକୁ ବଳାତ୍କାର କରାଯାଇଥିବା ଚଳଚ୍ଚିତ୍ରରେ ସ୍ଥାନ ଦିଆଯାଇଛି । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ବେଳେ ମିଛରେ କିପରି ଦୁଷ୍କର୍ମ କଥା ରଖାଯାଇଥିବା କହି ସେ ଚଳଚ୍ଚିତ୍ରକୁ ବିରୋଧ କରିଛନ୍ତି ।
ସୂଚନାରୁ ପ୍ରକାଶ, ୨୦୨୦ ମସିହା ଡିସେମ୍ବର ୪ତାରିଖରେ ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇଥିଲା । ସରକାର ଏହି ଘଟଣାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚ ହସ୍ତାନ୍ତର କରିଥିଲେ । ତଦନ୍ତର ୧୮ ଦିନ ପରେ ଅଭିଯୁକ୍ତକୁ କ୍ରାଇମ୍ବ୍ରାଞ୍ଚ୍ ପୁଲିସ୍ ଧରି କୋର୍ଟଚାଲାଣ କରିଥିଲା । ଏହି ଘଟଣାକୁ ନେଇ ଏବେ ‘ପରୀ’ ଚଳଚ୍ଚିତ୍ର ରିଲିଜ୍ ହେବାକୁ ଯାଉଛି । ଲୁଚି ଯାଇଥିବା ଏହି ଘଟଣା ପୁଣି ଲୋକଙ୍କ ମନରେ ଉଙ୍କି ମାରିବ ବୋଲି କୁହାଯାଉଛି । ପରୀର ମା କହିଛନ୍ତି ଚଳଚ୍ଚିତ୍ରରେ ପରୀର ହତ୍ୟାକାଣ୍ଡ ଘଟଣାକୁ ଲୁଚାଇ ବଳାତ୍କାର ଘଟଣା ସ୍ଥାନ ଦେଇ ଆମକୁ ଅପମାନିତ କରାଯାଉଛି । ତେଣୁ ଏହାକୁ ରିଲିଜ୍ ନକରିବାକୁ ସେ ଅନୁରୋଧ କରିଛନ୍ତି ।