କଂଗ୍ରେସ ସହିତ ୧୯ ବିରୋଧୀ ଦଳ ସଂସଦ ଭବନର ଉଦଘାଟନ ସମାରୋହକୁ କଲେ ବହିଷ୍କାର

ନୂଆଦିଲ୍ଲୀ,୨୪।୫: କଂଗ୍ରେସ ସହିତ ୧୯ ବିରୋଧି ଦଳ ନୂତନ ସଂସଦ ଭବନର ଉଦଘାଟନ ସମାରୋହକୁ ବହିଷ୍କାର କରିବାର ଘୋଷଣା କରିଛନ୍ତି। ଏ ସମସ୍ତେ ଏକ ମିଳିତ ବୟାନ ଜାରି କରିଛନ୍ତି। ବୟାନରେ କୁହାଯାଇଛି, ଲୋକତନ୍ତ୍ରର ଆତ୍ମାକୁ ସଂସଦ ଦ୍ବାରା ନିଷ୍କାସିତ କରି ଦିଆଯାଇଛି। ଆମ ପାଇଁ ଏହି ବିଲ୍ଡିଂର କୌଣସି ମୂଲ୍ୟ ନାହିଁ। ତେଣୁ ଆମେ ନୂଆ ସଂସଦ ଭବନର ଉଦଘାଟନ ବହିଷ୍କାର କରିବାର ନିଷ୍ପତ୍ତି ନେଇଛୁ। ଆମେ ଏହି ନିରଙ୍କୁଶ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରଙ୍କ ବିରୋଧରେ ଲଢେଇ ଜାରି ରଖିବୁ।

କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ଓ ଟିଏମ୍ସି ସହିତ ମୋଟ ୧୯ ବିରୋଧି ଦଳ ଏହି କାର୍ଯ୍ୟକ୍ରମକୁ ବହିଷ୍କାର କରିଛନ୍ତି। ବିରୋଧି ଦଳର କହିବା ଅନୁସାରେ, ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦି ନିଜେ ଉଦଘାଟନ କରିବା ସମ୍ବିଧାନିକ ମୂଲ୍ୟର ଅପମାନ ଓ ଲୋକତନ୍ତ୍ର ଉପରେ ଆକ୍ରମଣ। ସମ୍ବିଧାନର ଧାରା ୧୯ ଅନୁସାରେ, ରାଷ୍ଟ୍ରପତି କେବଳ ଭାରତରେ ରାଜ୍ୟର ମୁଖ୍ୟ ହୋଇଥାନ୍ତି ତାହା ନୁହେଁ ସଂସଦର ମଧ୍ୟ ଅଭିନ୍ନ ଅଙ୍ଗ। ସେ ସଂସଦର ଅଧିବେଶନ ଡାକିଥାନ୍ତି ଓ ସମ୍ବୋଧିତ କରିଥାନ୍ତି। ସଂକ୍ଷେପରେ କୁହାଗଲେ, ରାଷ୍ଟ୍ରପତିଙ୍କ ବିନା ସଂସଦର କାର୍ଯ୍ୟ କରିହୁଏନି। ତଥାପି ପ୍ରଧାନମନ୍ତ୍ରୀ ତାଙ୍କ ବିନା ନୂତନ ସଂସଦ ଭବନ ଉଦଘାଟନ କରିବାର ନିଷ୍ପତ୍ତି ନେଲେ। ଏହା ଅଶୋଭନୀୟ କାର୍ଯ୍ୟ ରାଷ୍ଟ୍ରପତିଙ୍କ ଉଚ୍ଚପଦର ଅପମାନ ଅଟେ ଓ ସମ୍ବିଧାନିକ ପୀଠ ଓ ଭାବନାର ଉଲଂଘନ।
ବୟାନରେ କୁହାଯାଇଛି ଯେ, ସଂସଦକୁ ଲଗାତାର ଭିତରୁ ଫମ୍ପା କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅଣସମ୍ବିଧାନିକ କାର୍ଯ୍ୟ କୌଣସି ନୂଆ କଥା ନୁହେଁ। ନୂତନ ସଂସଦ ଭବନ କରୋନା ମହାମାରୀ ବେଳେ ତିଆରି କାମ ଆରମ୍ଭ ହୋଇଥିଲା। ଏଥିରେ ଅନେକ ଅର୍ଥ ଖର୍ଚ୍ଚ ହୋଇଛି। ନୂତନ ସଂସଦ ଭବନ ତିଆରି ନେଇ ସରକାର ଭାରତର କୌଣସି ଲୋକ କିମ୍ବା ସାଂସଦଙ୍କଠାରୁ କୌଣସି ପରାମର୍ଶ ମଧ୍ୟ ନେଇନଥିଲେ।