ପୁରୀ,୨୯/୦୬: ଶନିବାର ମଧ୍ୟାହ୍ନରେ ଶରଧାବାଲିରେ ତିନି ରଥ ପହଞ୍ଚିଲା  ପରେ ହଟିଛି ଟ୍ରାଫିକ କଟକଣା । ଭୁବନେଶ୍ୱର ପଟୁ ଆସୁଥିବା ପାସ୍‌ଧାରୀ ଓ ବିନା  ପାସ୍‌ଧାରୀ କାର ସିଧାସଳଖ ହରେକୃଷ୍ଣପୁର ଛକରୁ ଅଠରନଳା ଦେଇ ଜେଲରୋଡ  ପାର୍କିଂ, ମାର୍କେଟ ଛକ ପୌର ପାଳିକା ପାର୍କିଂରେ ରହିପାରିବ । ସେହିଭଳି ଶ୍ରୀସେତୁ ଦେଇ ଆସୁଥିବା ଯାନଗୁଡ଼ିକ ଜେବିପିସିରେ ପାର୍କିଂ କରିବେ । ସେଠାରୁ ସେମାନେ ବଡ଼ଦାଣ୍ଡକୁ  ଆସି ଶରଧାବାଲି ଅଭିମୁଖେ ଯାଇ ପାରିବେ ।

ସେହିପରି ଦୁଇ ଚକିଆ ଯାନଗୁଡ଼ିକ ମଧ୍ୟ  ଉପରୋକ୍ତ ସ୍ଥାନରେ ପାର୍କିଂ କରିବେ । ଠାକୁର ଆଡ଼ପମଣ୍ଡପକୁ ବିଜେ ପର୍ଯ୍ୟନ୍ତ ଟ୍ରାଫିକ  କଟକଣା ବଳବତ୍ତର ରହିବ । ମାତ୍ର ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ପରେ  କଟକଣା ପରିବର୍ତ୍ତନ ହୋଇପାରେ ବୋଲି କହିଛନ୍ତି ଟ୍ରାଫିକ ଡିଏସ୍‌ପି ରାଜକୁମାର  ପରିଡ଼ା । 

ସେହିପରି ରବିବାର ସକାଳେ ପୁରୀ ପୌରପାଳିକା ବସ୍‌ଷ୍ଟାଣ୍ଡକୁ ଭୁବନେଶ୍ୱର, କଟକ, ବ୍ରହ୍ମଗିରି ଓ କୋଣାର୍କ ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍‌ ଚଳାଚଳ  କରିବ ବୋଲି ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।  ରଥଯାତ୍ରା ଲାଗି ବସ୍‌, କାର ଓ ବାଇକ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଥିଲା ।