ମୋଗାଦିଶୁ, ୧୧/୦୨ : ଟେକଅଫ୍ କରିବାର କିଛି ମିନିଟ୍ ପରେ ସମୁଦ୍ର ଭିତରେ ଖସି ପଡ଼ିଲା ବିମାନ। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଜୀବନ। ସୋମାଲିଆ ରାଜଧାନୀ ମୋଗାଦିଶୁରେ ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା କ୍ଷଣି ହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଷ୍ଟାରସ୍କାଏ ଏୟାରଲାଇନର ଏହି ବିମାନ ଟେକ୍ଅଫ୍ କରିବାର କିଛି ମିନିଟ୍ ପରେ ସମୁଦ୍ର ଭିତରେ ଖସିପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ସେଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ଷ୍ଟାରସ୍କାଏ ଏୟାରଲାଇନର ଏକ ବିମାନ ୫୦ ଯାତ୍ରୀ ଏବଂ ୫ କ୍ର୍ୟୁ ସଦସ୍ୟଙ୍କୁ ନେଇ ମୋଗାଦିଶୁରେ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଉଚ୍ଚକୁ ଉଠିବା ସମୟରେ ସେଥିରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା । ଫଳରେ ପାଇଲଟ ବିମାନକୁ ନିୟନ୍ତ୍ରଣ କରିପାରି ନଥିଲେ। ବିମାନଟି ମୋଗାଦିଶୁ ତଟ ନିକଟରେ ସମୁଦ୍ରରେ ଖସିପଡ଼ିଥିଲା। ଲହଡ଼ି ଧକ୍କାରେ ବିମାନଟି ଧିରେ ଧିରେ କୂଳରେ ଲାଗିଥିଲା । ବିମାନର ଡେଣା ଭାଙ୍ଗି ଅଲଗା ହୋଇଯାଇଥିଲା । ତେବେ କମ୍ ଉଚ୍ଚତାରେ ଉଡ଼ୁଥିବାରୁ ଏବଂ ପାଣିରେ ବିମାନଟି ଖସିଥିବାରୁ ସୌଭାଗ୍ୟବଶତଃ କାହାରି ଜୀବନହାନି ହୋଇନାହିଁ। ରେସ୍କ୍ୟୁ ଟିମ୍ ସେଠାରେ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ତେ ପ୍ରଶଂସା କରୁଛନ୍ତି।
ଏହି ଖବରଟିକୁ ପଢନ୍ତୁ- "ଆମେରିକା ଆମକୁ ଟଏଲେଟ୍ ପେପର ପରି ବ୍ୟବହାର କରିଥିଲା ଏବଂ ପରେ ପ୍ରତ୍ୟାଖ୍ୟାନ କରିଥିଲା", ବିଷ ଓଗାଳିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ…