କଟକ,୦୫/୦୧: ପ୍ରାଥମିକ ଓ ହାଇସ୍କୁଲ୍‌ ସ୍ତରରେ ପଠାଣି  ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା  (ପିଏମ୍‌ଏସ୍‌ଟି)-୨୦୨୪ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା  ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ  ହେବ । ଏହି ପରୀକ୍ଷାରେ ଷଷ୍ଠ ଓ ନବମ  ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ  ହିଁ କେବଳ ଭାଗ ନେଇପାରିବେ ବୋଲି  ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।  

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଆବେଦନର  ସମୟ ସୀମା ଧାର୍ଯ୍ୟ କରାଯାଇଛି । ଷଷ୍ଠ  ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଆବେଦନ  ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଜରିଆରେ  କରାଯିବ । ସେହିପରି ନବମ ଶ୍ରେଣୀର  ଛାତ୍ରଛାତ୍ରୀଙ୍କର ଆବେଦନ ବିଦ୍ୟାଳୟର  ପ୍ରଧାନ ଶିକ୍ଷକଙ୍କ ଦ୍ୱାରା କରାଯିବା ଲାଗି  ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି  କରାଯାଇଛି । ଅନ୍‌ଲାଇନ୍‌ରେ ହେବାକୁ  ଥିବା ଏହି ଆବେଦନ କିମ୍ବା ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ଦେବାକୁ  ପଡ଼ିବ ନାହିଁ । ଫର୍ମ ପୂରଣ ଶେଷ ହେବା  ପରେ ପରୀକ୍ଷା ସମୟ ନିର୍ଘଣ୍ଟ ସମ୍ପର୍କରେ  ଖୁବ୍‌ ଶୀଘ୍ର ଅବଗତ କରାଇ ଦିଆଯିବ  ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।