କଟକ,୧୮/୦୧: ପ୍ରାଥମିକ  ଓ ହାଇସ୍କୁଲ୍‌ ସ୍ତରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା  (ପିଏମ୍‌ଏସ୍‌ଟି)-୨୦୨୪ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)  ପକ୍ଷରୁ ଆବେଦନ ଶେଷ ତାରିଖକୁ  ଘୁଞ୍ଚାଇ ଦିଆଯାଇଛି । 

ଚଳିତ ମାସ ୧୭  ତାରିଖ ପର୍ଯ୍ୟନ୍ତ ଆବେଦନର ସମୟ  ସୀମା ଧାର୍ଯ୍ୟ କରାଯାଇଥିବା ବେଳେ  ବୋର୍ଡ ପକ୍ଷରୁ ଜାନୁଆରୀ ୨୨ତାରିଖ ପର୍ଯ୍ୟନ୍ତ ଘୁଞ୍ଚଇ ଦିଆଯାଇଛି ବୋଲି  ବୋର୍ଡ ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତିରେ  ସୂଚନା ଦିଆଯାଇଛି । ଏହି ପରୀକ୍ଷାରେ  ଷଷ୍ଠ ଓ ନବମ ଶ୍ରେଣୀରେ ଅଧ୍ୟୟନ  କରୁଥିବା ଛାତ୍ରଛାତ୍ରୀ ହିଁ କେବଳ  ଭାଗ ନେଇପାରିବେ ବୋଲି ବୋର୍ଡ  ପକ୍ଷରୁ ସୂଚନା ଦିଆଯାଇଛି । ଷଷ୍ଠ  ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଆବେଦନ  ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଜରିଆରେ  କରାଯିବ । 

ସେହିପରି ନବମ ଶ୍ରେଣୀର  ଛାତ୍ରଛାତ୍ରୀଙ୍କର ଆବେଦନ ବିଦ୍ୟାଳୟର  ପ୍ରଧାନ ଶିକ୍ଷକଙ୍କ ଦ୍ୱାରା କରାଯିବା ଲାଗି  ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି  କରାଯାଇଛି । ଅନ୍‌ଲାଇନ୍‌ରେ ହେବାକୁ  ଥିବା ଏହି ଆବେଦନ କିମ୍ବା ପରୀକ୍ଷା ଲାଗି  ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ଦେବାକୁ  ପଡ଼ିବ ନାହିଁ । ଫର୍ମ ପୂରଣ ଶେଷ ହେବା  ପରେ ପରୀକ୍ଷା ସମୟ ନିର୍ଘଣ୍ଟ ସମ୍ପର୍କରେ  ଖୁବ୍‌ ଶୀଘ୍ର ଅବଗତ କରାଇ ଦିଆଯିବ  ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।