ଶାହାଜାହାନପୁର, ୨୭/୧୦ : ନାଲି ପାଣି କଲା ବାଇଆ। ହାତରେ ପ୍ଲାଷ୍ଟର, ମୁଣ୍ଡରେ ବ୍ୟାଣ୍ଡେଜ୍... ୟୁରିନ୍ ବ୍ୟାଗ୍ ଧରି ମଦ ଦୋକାନରେ ପହଞ୍ଚିଗଲେ ରୋଗୀ । ୟୁପିର ଶାହାଜାହାନପୁରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏଠାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀ, ଡାକ୍ତରଙ୍କୁ ଚକ୍‌ମା ଦେଇ ମଦ କିଣିବା ପାଇଁ ଚାଲି ଯାଇଥିଲେ। ମଦ କିଣି ପିଇବା ପରେ ପୁଣି ହସ୍ପିଟାଲ ଆସି ଚୁପଚାପ୍ ବେଡ୍‌ରେ ଶୋଇ ଯାଇଥିଲେ। ଏହି ଘଟଣା ବେଳର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। 

ସୂଚନାନୁଯାୟୀ, ନିଗୋହି ଥାନା ଅଞ୍ଚଳର ବିପିନ ନାମକ ଜଣେ ବ୍ୟକ୍ତିଙ୍କର ୨ ଦିନ ତଳେ ଦୁର୍ଘଟଣା ହୋଇଥିଲା। ସେ ରାଜକୀୟ ମେଡିକାଲ କଲେଜର ତୃତୀୟ ମହଲାରେ ଥିବା ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ତାଙ୍କୁ ମଦ ନିଶା ଏମିତି ଘାରିଥିଲା ଯେ, ସେ ହାତ ଓ ମୁଣ୍ଡରେ ବ୍ୟାଣ୍ଡେଜ୍ ଭିଡି ସିଧା ମଦ ଦୋକାନକୁ ଚାଲି ଯାଇଥିଲେ। ସେଠାରୁ ମଦ କିଣି ପିଇଥିଲେ। ବଳକା ମଦକୁ ଏକ ବୋତଲରେ ରଖି ପୁଣି ମେଡିକାଲ ଚାଲି ଆସିଥିଲେ ଏବଂ ଚୁପଚାପ୍ ବେଡ୍‌ରେ ଶୋଇ ଯାଇଥିଲେ। ବିପିନଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ବିପିନଙ୍କ ମାଆଙ୍କ କହିବା ଅନୁଯାୟୀ, କ୍ୟାନସରରେ ବିପିନଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇସାରିଛି। ତାଙ୍କ ମୁଣ୍ଡ ଏବେ କାମ କରୁନି।