ପାଟନା, ୩।୬: ଦେଶର ଜଣାଶୁଣା ତଥା ଲୋକପ୍ରିୟ ଶିକ୍ଷାବିତ୍ ଖାନ୍ ସାର୍ଙ୍କ ପାଟନାସ୍ଥିତ କୋଚିଂ ସେଣ୍ଟରରେ କୌଣସି ଗୁଳିକାଣ୍ଡ ହୋଇନାହିଁ । ଖାନ୍ ସାର୍ଙ୍କ ବଦଳିଥିବା ବୟାନରୁ ଏହା ସ୍ପଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପାଟନାର ମୁସଲ୍ଲହପୁର ହାଟ ନିକଟରେ ଥିବା ଖାନ୍ ସାର୍ଙ୍କ କୋଚିଂ ସଂସ୍ଥାନ ବାହାରେ ପ୍ରବଳ ଗୁଳିଚାଳନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ପ୍ରାରମ୍ଭରେ ଗଣମାଧ୍ୟମ ସହ ଆଲୋଚନା ବେଳେ ନିଜେ ଖାନ୍ ସାର୍ ଏହି ଘଟଣାକୁ ସ୍ୱୀକାର କରିବା ସହ ଏକ ପ୍ରତିଦ୍ୱନ୍ଦ୍ୱୀ କୋଚିଂ ସେଣ୍ଟର ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣିଥିଲେ । ମାତ୍ର ଏବେ ସେ ନିଜ ବୟାନରୁ ଓହରି ଯାଇଥିବା ଦେଖିବାକୁ ମିଳିଛି ।
ରାତିର ଉତ୍ତେଜନା ଓ ବଦଳିଥିବା ବୟାନ:
ସୂଚନା ଅନୁଯାୟୀ, ଖାନ୍ ସାର୍ କହିଛନ୍ତି, "ଆମର ଜଣେ ସୁରକ୍ଷା ଗାର୍ଡଙ୍କ ସହ ମାରପିଟ୍ କରାଯାଇଛି । ଗାର୍ଡ ମତେ ଯେପରି ସୂଚନା ଦେଇଥିଲେ, ମୁଁ ଗଣମାଧ୍ୟମକୁ ସେହିଭଳି କହିଥିଲି ।" କହିରଖୁ ଯେ, ପୂର୍ବରୁ ଖାନ୍ ସାର୍ ଦାବି କରିଥିଲେ କେବଳ ମାରପିଟ୍ ନୁହେଁ ବରଂ କୋଚିଂ ସେଣ୍ଟର ଉପରକୁ ପ୍ରାୟ ୮ ରୁ ୧୦ ରାଉଣ୍ଡ ଗୁଳି ଚାଲାଯାଇଛି ଏବଂ ସେ ନିଜ ଆଖିରେ ଏହା ଦେଖିଛନ୍ତି । ଏବେ ସେ ନିଜ କଥା ବଦଳାଇ କହିଛନ୍ତି ଯେ ସେହି ସମୟରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ଥିବାରୁ ଏବଂ କିଛି ବୁଝାପଡ଼ୁ ନଥିବାରୁ ସେ ତରବରିଆ ଭାବେ ସେଭଳି ବୟାନ ଦେଇଦେଇଥିଲେ ।
ପୁଲିସର ପ୍ରତିକ୍ରିୟା ଓ ତଦନ୍ତ:
ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ, ଏହି ଆକ୍ରମଣରେ କେବଳ ଜଣେ ସୁରକ୍ଷା ଗାର୍ଡ ଆହତ ହୋଇଛନ୍ତି ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଏନଆଇ ନ୍ୟୁଜ୍ ଏଜେନ୍ସି ସହ କଥା ହେବା ବେଳେ ଏସପି କାର୍ତ୍ତିକେୟ କେ. ଶର୍ମା କହିଛନ୍ତି, "ଏହା ଏକ ଶାରୀରିକ ଆକ୍ରମଣର ମାମଲା । ଗାର୍ଡଙ୍କୁ ଆଘାତ ଲାଗିଥିବା ଜଣାପଡ଼ିଛି । ପୁଲିସ ବର୍ତ୍ତମାନ ସ୍ଥାନୀୟ ଲୋକ ଓ ସୁରକ୍ଷାକର୍ମୀଙ୍କ ବୟାନ ରେକର୍ଡ କରି ଆଗକୁ ତଦନ୍ତ ଚଳାଇଛି ।" ଘଟଣା ପରେ ପାଟନା ଏସଏସପି, ଏସପି ଏବଂ ପୁଲିସର ଏକାଧିକ ସ୍ପେଶାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଣ୍ଟରରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ପୁଲିସକୁ ହସ୍ତାନ୍ତର କରାଯାଇଛି ।
ପାଟନାରେ 'ଖାନ୍ ଗ୍ଲୋବାଲ ଷ୍ଟଡିଜ୍' ବନ୍ଦ:
ଏହି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାନ୍ ଗ୍ଲୋବାଲ ଷ୍ଟଡିଜ୍ କୋଚିଂ ସେଣ୍ଟରକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଘଟଣା ପରଠାରୁ ସେଠାରେ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଅନ୍ୟପଟେ ନିଜ ପ୍ରିୟ ଶିକ୍ଷକ ଓ କୋଚିଂ ସେଣ୍ଟରର ସୁରକ୍ଷାକୁ ନେଇ ଚିନ୍ତିତ ଥିବା ହଜାର ହଜାର ଛାତ୍ରଛାତ୍ରୀ ସଂସ୍ଥାନ ବାହାରେ ଭିଡ଼ ଜମାଇଛନ୍ତି ।
କମ୍ ଫିସ୍ ଓ ସଫଳତା ସାଜିଲା କି ଶତ୍ରୁ ?
ବୟାନ ବଦଳାଇବା ପୂର୍ବରୁ ଖାନ୍ ସାର୍ ଏହି ସାରା ଘଟଣା ପଛରେ ତାଙ୍କ କୋଚିଂ ସେଣ୍ଟରର ସ୍ୱଳ୍ପ ଫିସ୍ ଓ ସଫଳତାକୁ ଦାୟୀ କରିଥିଲେ । ସେ କହିଥିଲେ, "ମୁଖ୍ୟ ସମସ୍ୟା ହେଉଛି ଆମେ ଏତେ କମ୍ ପଇସାରେ ଗରିବ ପିଲାମାନଙ୍କୁ କାହିଁକି ପଢ଼ାଉଛୁ ଏବଂ ଆମ ସେଣ୍ଟରରୁ ଏତେ ଭଲ ରେଜଲ୍ଟ କାହିଁକି ଆସୁଛି । ଯେତେବେଳେ ହଜାର ହଜାର ସଂଖ୍ୟାରେ ପିଲା ସଫଳ ହେଉଛନ୍ତି, ସେତେବେଳେ କିଛି ଅସାମାଜିକ ତତ୍ତ୍ୱ ନିଜ ପାଇଁ ବିପଦ ମନେ କରୁଛନ୍ତି । ସେମାନେ ଭାବୁଛନ୍ତି ଗୁଣ୍ଡାଗର୍ଦ୍ଦି କରି ଆମକୁ ଦବାଇ ଦେବେ ।"ବଦମାସମାନେ ଅଫିସ ଭିତରେ ପଶି ଭଙ୍ଗାରୁଜା ମଧ୍ୟ କରିଥିବା ସେ ଅଭିଯୋଗ କରିଥିଲେ ଏବଂ ପ୍ରଶାସନ ନିକଟରେ ସୁରକ୍ଷା ଦାବି କରିଥିଲେ । ବର୍ତ୍ତମାନ ପୁଲିସ ମାମଲାର ଗମ୍ଭୀରତାକୁ ଦେଖି ସମସ୍ତ ଦିଗରୁ ତଦନ୍ତ କରୁଛି ।
ଆହୁରି ପଢ଼ନ୍ତୁ... ଏଲନିନୋ ନୁହେଁ ଆସୁଛି ସୁପର ଏଲନିନୋ, ଜୁନ୍ ଓ ଅଗଷ୍ଟ ମଧ୍ୟରେ ହେବ ସୃଷ୍ଟି