ଭୁବନେଶ୍ୱର ୧୩/୦୬: ଏଲନିନୋ ନୁହେଁ ଆସୁଛି ସୁପର ଏଲନିନୋ। ସତର୍କ କରାଇ ଦେଇଛି ଜାତିସଂଘ। ଏକ ଶକ୍ତିଶାଳୀ ଏଲ ନିନୋ ସାରା ବିଶ୍ବର ପାଣିପାଗ ଚକ୍ରକୁ ଗଡ଼ବଡ଼ କରିପାରେ ବୋଲି ସତର୍କ କରାଇ ଦେଇଛି ବିଶ୍ବ ପାଣିପାଗ ସଂଗଠନ, WMO। କହିଛି ଯେ ଏଲ ନିନୋ ସୃଷ୍ଟି ହେବା ନେଇ ଅନୁକୂଳ ସ୍ଥିତି ସୃଷ୍ଟି ହେଉଛି। ଯାହାର ପ୍ରଭାବରେ ଏହି ବର୍ଷ ସାରା ବିଶ୍ୱରେ ଅତି ଖରାପ ପାଗ ଅନୁଭୂତ ହେବ। ଜଳବାୟୁ ପରିବର୍ତ୍ତନକୁ ଗୁରୁତର କରିପାରେ ଏହି ଶକ୍ତିଶାଳୀ ଏଲନିନୋ।
ବିଶ୍ୱ ପାଣିପାଗ ସଂଗଠନ କହିଛି ଯେ ଜୁନ୍ ଏବଂ ଅଗଷ୍ଟ ମଧ୍ୟରେ ଏଲ ନିନୋ ସୃଷ୍ଟି ହେବା ନେଇ ୮୦ ପ୍ରତିଶତ ସମ୍ଭାବନା ରହିଛି। ଏହା ଅତି କମରେ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ବର୍ଷ ଏକ ଶକ୍ତିଶାଳୀ ଏଲ୍ ନିନୋ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହା କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ କିମ୍ବା କିଛି ସ୍ଥାନରେ ମରୁଡ଼ି ସ୍ଥିତି ସୃଷ୍ଟି କରିପାରେ। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିପାରେ। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହକୁ ଦୁର୍ବଳ କରିପାରେ। ତେଣୁ ଜୁନରୁ ସେପ୍ଟେମ୍ବର ମଧ୍ୟରେ ହେଉଥିବା ବୃଷ୍ଟିପାତରେ ହ୍ରାସ ଘଟିପାରେ। ଭାରତ ସହ ସାରା ବିଶ୍ବରେ ୩ ମାସ ପାଇଁ ମରୁଡି ସ୍ଥିତି ଦେଖାଦେଇପାରେ। ଏହାର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି।
ଆହୁରି ପଢ଼ନ୍ତୁ...AI Race : ଏଆଇ ଦୌଡ଼ରେ ଆଗୁଆ କ୍ଷୁଦ୍ର ରାଷ୍ଟ୍ର, ପ୍ରଥମରେ ୟୁଏଇ, ପଛରେ ଆମେରିକା