ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ଥାନାରେ ଦେଲେ ଏତଲା

ପାଟଣାଗଡ ୬/୬: ଗ୍ରାମାଞ୍ଚଳରେ ନିମ୍ନମାନର ରାସ୍ତାକାମ ହୋଇଥିବା ଅଭିଯୋଗ ନେଇ ପାଟଣାଗଡ ବ୍ଲକ୍ର ଜେଇଙ୍କୁ ବିଧାୟକ ସରୋଜ ମେହେର ଉଠବସ କରାଇବା ଘଟଣା ଏବେ ତୀବ୍ର ରୂପେ ନେବାରେ ଲାଗିଛି ।
ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ପାଟଣାଗଡ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରିବେ । ଏପଟେ ବିଧାୟକ କ୍ଷମା ମାଗି ସାରିଲେଣି । ତଥାପି ମାମଲା ଥଣ୍ଡା ପଡିବା ପରି ଲାଗୁନି । କାରଣ ଅନ୍ଯପଟେ ବିଧାୟକ ଉଠବସ କରିଥିବା କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ଏହି ଘଟଣାରେ ବିଧାୟକଙ୍କୁ ଗିରଫ କରିବା ପାଇଁ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

କନିଷ୍ଠଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ପାଟଣାଗଡ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି । ତାଙ୍କ ସ୍ବାମୀ ଜୟକାନ୍ତ ଶବରଙ୍କୁ ବିଧାୟକ ନିର୍ଯାତନା ଦେବା ସହ ଜାତିଆଣ ଆକ୍ଷେପ କରିଛନ୍ତି ବୋଲି ସେ ଅଭିଯୋଗ କରିବା ସହ ବିଧାୟକଙ୍କ ଗିରଫ ଦାବି କରିଛନ୍ତି ।

କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଗତକାଲି ତାଙ୍କ ସ୍ୱାମୀ ଜୟକାନ୍ତ ଶବର ଘରେ ଥିଲେ। ଦିନ ପ୍ରାୟ ୩.୧୫ ମିନିଟ୍ରେ ବିଧାୟକ ସରୋଜ ମେହେର ଓ ତାଙ୍କ ସମର୍ଥକମାନେ ତାଙ୍କୁ ଜବରଦସ୍ତ ଘରୁ ଡାକି ନେଇଥିଲେ। କିନ୍ତୁ ସେଦିନ ସେ ଆଉ ଘରକୁ ଫେରି ନଥିଲେ। ବିଧାୟକ ତାଙ୍କ ସ୍ୱାମୀଙ୍କୁ ଅପହରଣ କରି ନେଇଥିଲେ। ସେଠାରେ ତାଙ୍କୁ ଜାତିଆଣ ଆକ୍ଷେପ କରି ୧୦୦ ଥର ଉଠ୍ବସ୍ କରାଇଥିଲେ। ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା କଥା ସେ ଟିଭିରୁ ଦେଖିବା ପରେ ଜାଣିଲେ ବୋଲି ତାଙ୍କ ଏତଲାରେ ଦର୍ଶାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀ ଘରକୁ ଫେରିନାହାଁନ୍ତି । ସେ ବିଧାୟକଙ୍କୁ ଗିରଫ କରିବା ପାଇଁ ମଧ୍ଯ ଦାବି କରିଛନ୍ତି ।
ପାଟଣାଗଡ ବିଧାୟକ ସରୋଜ ମେହେର ସିଧାସଳଖ ଶୁଣାଇଦେଇଥିଲେ ଫଇସଲା। ଲୋକଙ୍କ ସମ୍ମୁଖରେ ୧୦୦ ଥର ଉଠବସ ହେବାକୁ କହିଥିଲେ। ନଚେତ ଲୋକ ଅଧିକାରୀଙ୍କୁ ପିଟିବେ ବୋଲି ମଧ୍ୟ କହିଥିଲେ। ଉକ୍ତ ଅଧିକାରୀ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀ ସମ୍ପ୍ରଦାୟ ଏବେ ଏହାକୁ ନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ ବିଭିନ୍ନ ମହଲରୁ ଏ ଘଟଣାକୁ ନିନ୍ଦା କରାଯାଇଛି।
ଅଧିକ ପଢନ୍ତୁ ପାଟଣାଗଡ ବିଧାୟକ ଯନ୍ତ୍ରୀଙ୍କୁ ଉଠବସ କରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ