ପୁରୀ, ୧୫/୧୦: ଦୀପାବଳି ପାଳନ ତାରିଖ ଦ୍ୱନ୍ଦ୍ୱ ଦୂର କଲା ମୁକ୍ତି ପଣ୍ଡିତ ମହାସଭା । ୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ ବୋଲି ପ୍ରେସମିଟ୍‌ରେ ସ୍ପଷ୍ଟ କରିଛି ମୁକ୍ତି ପଣ୍ଡିତ ମହାସଭା । ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ ଏବଂ ଦୀପାବଳି ପାଳନ କରାଯିବ । ଅନ୍ୟପଟେ ୨୧ ତାରିଖରେ ଦୀପାବଳି ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର ବିରୋଧୀ ହେବ ବୋଲି ମୁଣ୍ଡପ ପକ୍ଷରୁ କୁହାଯାଇଛି । 


ମୁକ୍ତି ମଣ୍ଡପ ପଣ୍ଡିତ ସଭା ସ୍ବୀକୃତ ପଞ୍ଜିକାରେ ଗୁରୁତର ତ୍ରୁଟି ପାଇଁ ଦୀପଦାନ ଏବଂ ପୟାଶ୍ରାଦ୍ଧ ପ୍ରଭାବିତ ନହେଉ । ଆଗାମୀ ୨୦.୧୦.୨୦୨୫ କିମ୍ବା ୨୧.୧୦.୨୦୨୫ ପାଳନ ହେବ, ଏଇ ଦ୍ଵନ୍ଦର ସ୍ରଷ୍ଟା ସ୍ବୟଂ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଏଥିରେ ଦ୍ବିରୁକ୍ତି ନାହିଁ । ଅମାବାସ୍ୟାର ବ୍ୟାପ୍ତି ଦୁଇ ଦିନ ସଂଧ୍ୟା ବା ସୂର୍ଯ୍ୟଙ୍କ ଅସ୍ତ ପରେ ଅନ୍ୟୁନ ଏକ ଦଣ୍ଡ ବା ୨୪ ମିନିଟ୍ ରହିଲେ ଦ୍ବିତୀୟ ଦିନ ପାଳନ ପୟା ବା ଦୀପଦାନ ଶ୍ରାଦ୍ଧ ଓ ଵଡଵଡୁଆ ଡାକ ପାଇଁ "ଗଦାଧର ପଦ୍ଧତି"ର ୪୬୫ ପୃଷ୍ଠା ଓ "ପଣ୍ଡିତ ସର୍ବସ୍ବ " ର ୨୧୯ ପୃଷ୍ଠାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟାରେ ଦୀପଦାନ ଶ୍ରାଦ୍ଧ ପାଳନ କଲେ ପିତୃପୁରୁଷ ଅସୁଖୀ ହୋଇଥାନ୍ତି ବୋଲି ମଧ୍ୟ ସେଥିରେ ଉଲ୍ଲେଖ ରହିଛି। ତିଥି ସର୍ବଦା ନିରପେକ୍ଷ ଯୋଗୁଁ ଏହାର ବ୍ୟାପ୍ତି ସାରା ଭାରତରେ ସମାନ ରହିଥିବା ବେଳେ ସ୍ଥାନୀୟ ସମୟ ଅନୁଯାୟୀ ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତରେ ତାରତମ୍ୟ ରହୁଥିବାରୁ ସେଇ ଆଧାରରେ ପର୍ବପର୍ବାଣୀ ଆଦି ନିର୍ଣ୍ଣୟ କରାଯାଏ। 


ଚଳିତ ବର୍ଷ କାର୍ତ୍ତିକ ଅମାବାସ୍ୟାର ବ୍ୟାପ୍ତି ସାରା ଭାରତରେ ୨୦.୧୦.୨୦୨୫ ଅପରାହ୍ନ ୩.୪୫ ମିନିଟରୁ ୨୧.୧୦.୨୦୨୫ ସଂଧ୍ୟା ୫.୫୫ ମିନିଟ୍ ପର୍ଯ୍ୟନ୍ତ ରହିଥିବା ବେଳେ ପୁରୀର ସୂର୍ଯ୍ୟ ଅସ୍ତ ୨୧.୧୦.୨୦୨୫ରେ ୫.୧୬ ମିନିଟରେ ହେଉଥିବା ପାଞ୍ଜିରେ ଉଲ୍ଲେଖ ରହିଛି । ତେଣୁ ସୂର୍ଯ୍ୟ ଅସ୍ତ ପରେ ୩୯ ମିନିଟ୍ ଅମାବାସ୍ୟା ତିଥି ରହୁଛି। ଯାହାକି ଏକ ଦଣ୍ଡ ଠାରୁ ୧୫ ମିନିଟ୍ ଅଧିକ । ମାତ୍ର ମୁକ୍ତି ମଣ୍ଡପ ପଣ୍ଡିତ ସଭା ସ୍ବୀକୃତ ପଞ୍ଜିକାରେ ଅମାବାସ୍ୟା ତିଥିର ବ୍ୟାପ୍ତି ୫.୩୦ ପର୍ଯ୍ୟନ୍ତ ରହୁଥିବା ଦର୍ଶାଯାଇଛି । ଏହି ତ୍ରୁଟି ପାଇଁ ଦୀପଦାନ ବା ପୟାଶ୍ରାଦ୍ଧ ସମାନ ପଞ୍ଜିକାରେ ୨୦.୧୦.୨୦୨୫ରେ ପାଳନ ପାଇଁ ଦର୍ଶାଯାଇଛି। କିନ୍ତୁ ରାଜ୍ୟର ସମସ୍ତ ଅଗ୍ରଣୀ ପଞ୍ଜିକାରେ ୨୧.୧୦.୨୦୨୫ ତାରିଖରେ ପାଳନ ପାଇଁ ଦର୍ଶାଯାଇଛି । ଏହି ଗାଣିତିକ ତ୍ରୁଟି ପାଇଁ ପଣ୍ଡିତ ସଭା ସମ୍ପୂର୍ଣ୍ଣ ଦାୟୀ ହୋଇଥିବାବେଳେ ଏକ ତ୍ରୁଟିପୂର୍ଣ୍ଣ ପର୍ବ ପାଳନ ପାଇଁ ତ୍ରୁଟି ଯୁକ୍ତ ଦିନ ତାଙ୍କ ଦ୍ଵାରା ସ୍ଵୀକୃତ ପଞ୍ଜିକାରେ ଦର୍ଶାଯାଇଛି। ପୂର୍ବରୁ ସରସ୍ଵତୀ ପୂଜା ଦିନ ନିର୍ଦ୍ଧାରଣ ମଧ୍ୟ ତ୍ରୁଟି ଯୁକ୍ତ ଥିବାରୁ ସେଦିନ ଏକ ରିକ୍ତା ତିଥି (ଚତୁର୍ଥୀ)ରେ ଶ୍ରୀଜଗନ୍ନାଥଙ୍କ ରଥ ଅନୁକୂଳ ହୋଇଥିଲା। ଯାହାର ପ୍ରଭାବରେ ଗତ ରଥଯାତ୍ରାରେ ଅନେକ ଅଘଟଣ ହୋଇ ଏକାଧିକ ଭକ୍ତଙ୍କ ମୃତ୍ୟୁ ହୋଇଥିଲା।


ଅପରପକ୍ଷରେ ଯେଉଁ ତିଥିରେ ସୂର୍ଯ୍ୟ ଉଦୟ ହୁଅନ୍ତି ସେଇ ପର୍ବ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ ହେବାର ବିଧି ରହିଛି। ସେଥିପାଇଁ ୨୧.୧୦.୨୦୨୫ ତାରିଖରେ ଶ୍ରୀମନ୍ଦିରରେ ଅମାବାସ୍ୟା ପାଳନ ହେଵ ଏବଂ ସେହିଦିନ ମଧ୍ୟ ସରକାରୀ ଛୁଟି ରହିଛି । ୨୦.୧୦.୨୦୨୫ ତାରିଖରେ ଶ୍ୟାମାକାଳୀ ପୂଜାରେ କୌଣସି ଦ୍ବିରୁକ୍ତି ନାହିଁ । ଓଡ଼ିଶାର ଜନସାଧାରଣ ଅଦିନରେ ପୟା ବା ଦୀପଦାନ ଶ୍ରାଦ୍ଧ ଓ ବଡବଡୁଆ ଡାକ ମାଧ୍ୟମରେ ପିତୃପୁରୁଷଙ୍କୁ ବିଦାୟ ଦେଲେ ସେମାନେ ଅସୁଖି ହେବେ । ତେଣୁ ଶାସ୍ତ୍ରୀୟ ବିଧାନରେ ୨୧.୧୦.୨୦୨୫ ତାରିଖରେ ତାହା ପାଳନ କରନ୍ତୁ। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ୨୧.୨୦.୨୦୨୫ ତାରିଖରେ ଏହା ପାଳନ ହେବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି।