କେନ୍ଦୁଝର ସଦର,୨୭/୧୨ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ କୁସପଦା ଗ୍ରାମଠାରୁ ମହାଦେଇପୁର, କେମ୍ପସଡ଼ା, କବିତ୍ରା ପର୍ଯ୍ୟନ୍ତ ୫କିମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦୂରବସ୍ଥା କହିଲେ ନ ସରେ। ଉକ୍ତ ରାସ୍ତାଟି ଜିଲ୍ଲାପାଳ କାର୍ଯ୍ୟଳୟଠାରୁ ୫କିଲୋମିଟର ହୋଇଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟଳୟଠାରୁ ମାତ୍ର ୧କିଲୋମିଟର ଦୂରରେ ଅବସ୍ଥିତ ଏହି ରାସ୍ତାରୁ ଏବେ ପିଚୁ ଉଠି ଅନେକ ସ୍ଥାନରେ ମେଣ୍ଟାଲ ଗୁଡ଼ିକ ବାହାରକୁ ବାହାରି ମୁନିଆଁ ହୋଇ ବାହାରି ପଡ଼ିଛି ।

ମେଣ୍ଟାଲ ଗୁଡ଼ିକ ଉପରେ ଉପରେ ହିଁ ଗଡୁଛି । ଲୋକେ ଯାତାୟତ କରିବାରେ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି। ବାଇକ୍, ସାଇକେଲ ବାରମ୍ବାର ପମ୍ପଚର ହେଉଛି ତ କୌଣସି ଚାରି ଚକିଆ ଯାନ ହେଉ ବା ବସ୍ ଚଳାଚଳ ସମୟରେ ମେଣ୍ଟାଲ ଗୁଡ଼ିକ ଚକରୁ ଛିଟିକି ବିପଦ ସାଜୁଛି । ଆଉ ବିକଳ୍ପ ରାସ୍ତା ନ ଥିବାରୁ ଲୋକେ ବାଧ୍ୟ ହୋଇ ଜୀବନ ବିକଳରେ ଉକ୍ତ ରାସ୍ତା ଉପରେ ଯିବା ଆସିବା କରୁଛନ୍ତି । ଏହି ରାସ୍ତା ଉପରେ ଆଖପାଖ ଅଞ୍ଚଳର ଶହଶହ ଛୋଟ ଗାଡ଼ି ଚାଲୁଛି । ଛାତ୍ରଛାତ୍ରୀ ପ୍ରତିଦିନ ବିଦ୍ୟାଳୟ କଲେଜ ଯିବା ଆସିବା କରୁଥିବାରୁ ରାସ୍ତାର ମେଣ୍ଟାଲ ପାଇଁ ଅବିଭାବକ ମହଲ ଚିନ୍ତା ଘାରିଛି । ରାସ୍ତାରେ ପଡ଼ି ଅନେକ ଲୋକ ଖଣ୍ଡିଆ ଖାବରା ହେଉଛନ୍ତି । ଜିଲ୍ଲାରେ ହଜାର ହଜାର କୋଟି ଟଙ୍କା ଖଣିଜ ପାଣ୍ଠିରେ ଗଚ୍ଛିତ ଥିବାବେଳେ ଲୋକେ ମେଣ୍ଟାଲ ଗଦା ଉପରେ ଚାଲିବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।