ରଙ୍ଗ ପରିବର୍ତ୍ତେ ନିଆଁରେ ହୋଲି ଖେଳନ୍ତି ଏଠାକାର ଲୋକ, ଏପରି ପରମ୍ପରା ପଛରେ ରହିଛି ଅଜବ ଯୁକ୍ତି

ମୋଲକର୍ଣ୍ଣେମ ୧୮।୩: ହୋଲି ଖେଳ ବିଭିନ୍ନ ରଙ୍ଗ ଓ ଭଗୁରେ ଧୁମଧାମରେ ଖେଳାଯାଉଥିବା ଦେଖିଥିବେ। ହେଲେ ନିଆଁରେ ଖେଳୁଥିବା କେବେ ଦେଖିଛନ୍ତି। ଦକ୍ଷିଣ ଗୋଆ କ୍ୟୁପେମ ଅନ୍ତର୍ଗତ ମୋଲକର୍ଣ୍ଣେମରେ ଏପରି ଅବଜ ପରମ୍ପରା ରହିଛି। ସେଠିକାର ଏପରି ହୋଲି ପ୍ରଥା ଶହଶହ ବର୍ଷରୁ ରହିଆସିଛି ଏବଂ ଲୋକମାନେ ଏହାତୁ ବର୍ତ୍ତମାନ ଯାଏ ମଧ୍ୟ ପାଳନ କରୁଛନ୍ତି। ଏହି ସ୍ଥାନର ମୂଳନିବାସୀ ଗୋଣକରମାନେ ଶହଶହ ବର୍ଷରୁ ପ୍ରଥାକୁ ଜୀବିତ ରଖିଛନ୍ତି। କେବେଳ ସେହି ସ୍ଥାନ ନୁହେଁ ସାରା ଦେଶରେ ହୋଲି ଅବସରରେ ଏହା ଅଦ୍ୱିତୀୟ ଉତ୍ସବ।
ଏଠାରେ ନିଆଁ ହୋଲି ପାଳନର ବିଧି ମଧ୍ୟ ରହିଛି। ଏହି ଅନୁସାରେ ଲୋକେ ବନଦେବତାମାନଙ୍କୁ ହୋଲି ପୂର୍ବ ସନ୍ଧ୍ୟାରେ ପୂଜାର୍ଚ୍ଚନା କରନ୍ତି ଓ ପରେ ଗଛ ଡାଳ ଧରି ମନ୍ଦିରକୁ ଏକ ଚକ୍ରରେ ପରିକ୍ରମା କରନ୍ତି। ଲୋକେ ହାତରେ ଆଣିଥିବା ବୃକ୍ଷ ଡାଳ ରୋପଣ କରିବା ସହିତ ଅଗ୍ନି ନୃତ୍ୟରେ ଅଂଶଗ୍ରହଣ କରନ୍ତି। ଗ୍ରାମବାସୀ ନିଆଁରେ ସ୍ନାନ କରନ୍ତି ଓ ନିଜର ଭକ୍ତି ଓ ନିଷ୍ଠା ପ୍ରଦର୍ଶନ ଲାଗି ନଡିଆ ଭାଙ୍ଗନ୍ତି। ଚଳିତବର୍ଷ ଏହି ଉତ୍ସବ ଗୁରୁବାର ରାତି ପ୍ରାୟ ଗୋଟାଏ ୨୦ ମିନିଟରେ ଆରମ୍ଭ ହୋଇ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଚାଲିଥିଲା।
ଉତ୍ସବର ପ୍ରଥମ ପର୍ଯ୍ୟାୟ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିଲା। ଲୋକେ ଭକ୍ତିରେ ଭଗବାନଙ୍କ ଆଶିର୍ବାଦ କାମନା କରିଥିଲେ। ଏହି ଉତ୍ସବରେ ଅଂଶଗ୍ରହଣ କରିବା ଲାଗି ଲୋକେ ଶିବରାତ୍ରି ଦିନରୁ ମଦ୍ୟ, ମତ୍ସ୍ୟାହାର ତ୍ୟାଗ କରି ସାତ୍ୱିକ୍ ଭକ୍ଷଣ ପୂର୍ବକ ନିଷ୍ଠାର ସହ ରହନ୍ତି। ଏହି ଉତ୍ସବରେ ଅଂଶଗ୍ରହଣକାରୀଙ୍କୁ ଗାଡେ ବୋଲି କୁହାଯାଏ ଓ ସେମାନେ ଉତ୍ସବ ପୂର୍ବର ୨୪ ଘଣ୍ଟା ଧରି ରୋଷେଇ ହୋଇଥିବା ଖାଦ୍ୟ ତ୍ୟାଗ କରନ୍ତି। ଏହି ଉତ୍ସବରେ ଗାଡେମାନେ ହିଁ ମୁଖ୍ୟ ସେମାନେ ନିଷ୍ଠାର ସହ ନୀତିନିୟମ ପାଳନ କରନ୍ତି। ଏଥିରେ ସାମାନ୍ୟ ତ୍ରୁଟି ହେଲେ ସେମାନଙ୍କୁ ଦୁର୍ଭାଗ୍ୟ ଭୋଗ କରିବାକୁ ପଡେ ବୋଲି ଲୋକ ବିଶ୍ୱାସ ରହିଛି।