କଶୃପଡ଼ା,୨୦।୫: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବିଦ୍ୟୁତ୍ କାଟ୍ । ମନଇଚ୍ଛା ବିଜୁଳି କାଟୁଛି ବିଦ୍ୟୁତ୍ ସରବରାହ ସଂସ୍ଥା । ଏନେଇ ବାରମ୍ବାର ଲୋକଙ୍କ ଅଭିଯୋଗ ସତ୍ତ୍ଵେ କେସିଙ୍ଗା ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ସୁଧାର ଆସୁନି । ଯାହାକୁ ନେଇ କେସିଙ୍ଗା ବ୍ଲକ୍ କଶୃପଡା ଗାଁର ଶତାଧିକ ଲୋକେ ମଙ୍ଗଳବାର କେସିଙ୍ଗା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଜଣାଇଛନ୍ତି ।ହେଲେ ଅଫିସ୍ରେ କୌଣସି ଅଧିକାରୀ ନଥିବାରୁ ଶେଷରେ କାର୍ଯ୍ୟାଳୟ ଘେରାଉ କରିଥିଲେ । ସମାସ୍ୟା ସମାଧାନ ନ ହେବା ଯାଏଁ ଧାରଣାରୁ ଉଠିବୁ ନାହିଁ ବୋଲି କହିଥିଲେ । କଶୃପଡା ଗ୍ରାମବାସୀ କେସିଙ୍ଗା ବିଦ୍ୟୁତ୍ ବିଭାଗ ଏସଡିଓଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ଅଧିକାରୀ ନର୍ଲା ଏସଡିଓଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇଛନ୍ତି ।
ସୂଚନା ଥାଉକି, ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ପାଓ୍ବାରକଟ୍ ନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ମାତ୍ର କଶୃପଡା ଅଞ୍ଚଳରେ କିଛି ଦିନ ହେଲା ବିଜୁଳିକାଟ୍ ଜାରି ରହିଛି । ପ୍ରତିଦିନ ୨ରୁ ୩ଘଣ୍ଟା ବିଦ୍ୟୁତ୍ ଠିକ୍ ଭାବେ ରହୁନାହିଁ । ଫଳରେ ଅସହ୍ୟ ଗୁଳୁଗୁଳିରେ ଭାଜି ହେଉଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚରମରେ ଥିବାବେଳେ ବିନା କୌଣସି କାରଣରେ ବିଦ୍ୟୁତ୍ କାଟ୍ ଯୋଗୁଁ ପିଲାଙ୍କ ଠାରୁ ବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଓ୍ବର କଟ୍ ପାଇଁ ଅଞ୍ଚଳର ଅନେକ ସ୍ଥାନରେ ଅନଲାଇନ ସେବା ମଧ୍ୟ ଠପ୍ ହେଉଛି । ଏନେଇ ଗ୍ରାମବାସୀ ବାରମ୍ବାର କେସିଙ୍ଗା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ ସେମାନେ ଫୋନ୍ ଉଠାଉନଥିବା କହିଛନ୍ତି । ଆଜି ଅତିଷ୍ଟ ହୋଇ କେସିଙ୍ଗା ବିଦ୍ୟୁତ୍ ବିଭାଗର କାର୍ଯ୍ୟାଳୟ ପହଞ୍ଚି ଘେରାଉ କରିଥିଲେ । ବିଦ୍ୟୁତ୍ ବିଭାଗ ଯଥାଶୀଘ୍ର ପାଓ୍ବାରକଟ୍ ସାମସ୍ୟା ସମାଧାନ ନକଲେ ଆନ୍ଦୋଳ ହେବ ବୋଲି କଶୃପଡା ଚେତାବନୀ ଦେଇଛନ୍ତି ।