ଭୁବନେଶ୍ୱର ୧୨/୦୬: ଯଦି ଆପଣଙ୍କ ଆଖପାଖରେ ଏମିତି ବ୍ୟକ୍ତି ରହିଥାନ୍ତି, ଯେଉଁମାନେ ଟଙ୍କା ଖର୍ଚ୍ଚ କରିବାକୁ ଭଲ ପାଆନ୍ତିନାହିଁ । ତେବେ ସେମାନଙ୍କୁ କୃପଣ ଭାବିବା ଭୁଲ୍ । କାରଣ ସେମାନେ କ୍ରେମେଟୋଫୋବିଆର ଶିକାର ହୋଇଥାଇପାରନ୍ତି । ଏହା ଏମିତି ଏକ ସ୍ଥିତି, ଯେଉଁଠାରେ ବ୍ୟକ୍ତିକୁ ଟଙ୍କା ଖର୍ଚ୍ଚ କରିବା ସମୟରେ ଚିନ୍ତା ବଢିଥାଏ । ଫଳରେ ସେ କମ୍ ଟଙ୍କା ଖର୍ଚ୍ଚ କରିବାକୁ ଚାହିଁଥାଏ ।

ଏହା ଏକ ମନୋବୈଜ୍ଞାନିକ ସ୍ଥିତି । କ୍ରୋମେଟୋଫୋବିଆ(ଧନଭୀତି ବା ଧନାତଙ୍କ) ହେଉଛି ଟଙ୍କା କିମ୍ବା ଟଙ୍କା ସମ୍ବନ୍ଧୀୟ କାରବାର ପ୍ରତି ଅସ୍ୱାଭାବିକ ଭୟ । ଦୋକାନକୁ ଯାଇ କିଛି କିଣିବା ବେଳେ ଅସ୍ୱସ୍ଥ ଲାଗୁଛି କି? ଜରୁରୀ ପ୍ରୟୋଜନ ଥିଲେ ମଧ୍ୟ ଟଙ୍କା ଖର୍ଚ୍ଚ କରିବାକୁ ମନ ବଳାଉନାହିଁ କି? ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇବା, ନିବେଶ କରିବା କିମ୍ବା ଦୈନନ୍ଦିନ ଖର୍ଚ୍ଚ ବିଷୟରେ ଚିନ୍ତା କଲେ ଭୟ ଓ ଉଦ୍ବେଗ ବଢିଯାଉଛି? ଯଦି ଏପରି ହେଉଛି, ତେବେ ଏହା କେବଳ କୃପଣତା ବା ସଞ୍ଚୟ ପ୍ରବଣତା ନୁହେଁ । ଏହା କ୍ରେମେଟୋଫୋବିଆ ବା ଟଙ୍କା ପ୍ରତି ଥିବା ଅସ୍ୱାଭାବିକ ଭୟର ଲକ୍ଷଣ ହୋଇପାରେ ।

କ୍ରେମେଟୋଲୋଜି କ’ଣ?

କ୍ରେମେଟୋଫୋବିଆ ହେଉଛି ଧନ, ଆର୍ଥିକ କାରବାର କିମ୍ବା ଟଙ୍କା ଖର୍ଚ୍ଚ ପ୍ରତି ଅତ୍ୟଧିକ ଏବଂ ଅଯୁକ୍ତିସଙ୍ଗତ ଭୟ ।ଏହି ଭୟ ଏତେ ପ୍ରବଳ ହୋଇପାରେ ଯେ ବ୍ୟକ୍ତି ଆବଶ୍ୟକ ଖର୍ଚ୍ଚକୁ ମଧ୍ୟ ଏଡାଇବାକୁ ପ୍ରୟାସ କରୁଥାଏ । ସାଧାରଣ ଭାବେ ଟଙ୍କା ସଞ୍ଚୟ କରିବା ଏକ ଭଲ ଅଭ୍ୟାସ । କିନ୍ତୁ ଯେତେବେଳେ ଖର୍ଚ୍ଚ କରିବାର ଭୟ ବ୍ୟକ୍ତିର ସ୍ୱାସ୍ଥ୍ୟ, ସମ୍ପର୍କ ଓ ଜୀବନକୁ ପ୍ରଭାବିତ କରିବା ଆରମ୍ଭ କରେ, ସେତେବେଳେ ଏହା ଏକ ମାନସିକ ସମସ୍ୟାର ରୂପ ନେଇପାରେ ।

କାହିଁକି ହୁଏ ଭୟ?

କ୍ରେମେଟୋଫୋବିଆର କାରଣ ବ୍ୟକ୍ତିବିଶେଷରେ ଭିନ୍ନ ହୋଇପାରେ ଯଥା: ପୂର୍ବରୁ ଆର୍ଥିକ କ୍ଷତିର ଅନୁଭବ, ଋଣଗ୍ରସ୍ତତା କିମ୍ବା ଦେବାଳିଆ ହେବାର ଭୟ, ଶୈଶବରେ ଆର୍ଥିକ ଅନିଶ୍ଚିତତା, ଅତ୍ୟଧିକ ଭାବପ୍ରବଣ ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତକୁ ଅସୁରକ୍ଷାବୋଧ । ଏସବୁ କାରଣ ଟଙ୍କା ସମ୍ପର୍କୀତ ନିଷ୍ପତ୍ତିକୁ ଭୟର ଉତ୍ସରେ ପରିଣତ କରିପାରେ ।

​​​​​​​

ଲକ୍ଷଣ :

କ୍ରେମେଟୋଫୋବିଆ ପୀଡିତ ବ୍ୟକ୍ତିଠାରେ ଯେଉଁସବୁ ଲକ୍ଷଣ ଦେଖା ଦେଇପାରେ । ସେଗୁଡିକ ହେଲା ଜରୁରି ପ୍ରୟୋଜନ ଥିଲେ ମଧ୍ୟ ଟଙ୍କା ଖର୍ଚ୍ଚ କରିବାରେ ଦ୍ୱିଧା, ଆର୍ଥିକ ନିଷ୍ପତ୍ତି ନେବା ସମୟରେ ଅତ୍ୟଧିକ ଚିନ୍ତା, ବ୍ୟାଙ୍କ, ନିବେଶ କିମ୍ବା ଅର୍ଥନୈତିକ ଆଲୋଚନାକୁ ଏଡାଇବା, ଟଙ୍କା ଖର୍ଚ୍ଚ ହେଲେ ଆପରାଧବୋଧରେ ଘାଣ୍ଟି ହେବା ଏବଂ ଭବିଷ୍ୟତର ଆର୍ଥିକ ସଙ୍କଟକୁ ନେଇ ସବୁବେଳେ ଚିନ୍ତିତ ରହିବା ।

କଣ ସମସ୍ୟା ସୃଷ୍ଟି ହୋଇପାରେ?

ଏହି ଭୟ କେବଳ ଆର୍ଥିକ ଜୀବନକୁ ନୁହେଁ, ଶାରୀରିକ ଓ ସାମାଜିକ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ । ଅନେକ ଲୋକ ଚିକିତ୍ସା, ପୌଷ୍ଟିକ ଖାଦ୍ୟ କିମ୍ବା ଆବଶ୍ୟକ ଶିକ୍ଷା ଖର୍ଚ୍ଚକୁ ମଧ୍ୟ ଏଡ଼ାଇଥାନ୍ତି । ଫଳରେ ଦୀର୍ଘମିଆଦୀରେ ଜୀବନର ମାନ ଖରାପ ହୋଇପାରେ । ପରିବାରରେ ମତଭେଦ ଓ ସମ୍ପର୍କରେ ତିକ୍ତତା ମଧ୍ୟ ସୃଷ୍ଟି ହୋଇପାରେ ।

 

ଏଥିରୁ ମୁକ୍ତିର ଉପାୟ :

କ୍ରେମେଟୋଫେବିଆ ଏକ ବାସ୍ତବ ମନୋବୈଜ୍ଞାନିକ ସମସ୍ୟା । ଏହାକୁ ଲୁଚାଇ ରଖିବା ପରିବର୍ତ୍ତେ ସ୍ୱୀକାର କରିବା ପ୍ରଥମ ପଦକ୍ଷେପ । ନିଜ ଭୟର କାରଣ ଚିହ୍ନଟ କରନ୍ତୁ, ଆର୍ଥିକ ଯୋଜନା ପ୍ରସ୍ତୁତ କରନ୍ତୁ । ଛୋଟ ଛୋଟ ଖର୍ଚ୍ଚରୁ ଆରମ୍ଭ କରନ୍ତୁ । ବିଶ୍ୱସ୍ତ ଆର୍ଥିକ ପରାମର୍ଶଦାତାଙ୍କ ସହ ଆଲୋଚନା କରନ୍ତୁ । ଆବଶ୍ୟକ ପଡିଲେ ମନୋବିଜ୍ଞାନୀ କିମ୍ବା ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହାୟତା ନିଅନ୍ତୁ ।

ଆହୁରି ପଢ଼ନ୍ତୁ...Reverse Aging Drug : ଚିକିତ୍ସା ବିଜ୍ଞାନର ଯୁଗାନ୍ତକାରୀ ପଦକ୍ଷେପ, ବୟସ-ରୋଧୀ ଔଷଧର ପ୍ରଥମ ମାନବ ପରୀକ୍ଷଣ

ସଞ୍ଚୟ ଏକ ଭଲ ଅଭ୍ୟାସ । କିନ୍ତୁ ଭୟ କାରଣରୁ ଆବଶ୍ୟକ ଖର୍ଚ୍ଚକୁ ଏଡାଇବା ସମାଧାନ ନୁହେଁ । ଟଙ୍କା ଜୀବନକୁ ସୁରକ୍ଷିତ ଓ ସୁବିଧାଜନକ କରିବାର ଏକ ଉପକରଣ, ଭୟର କାରଣ ନୁହେଁ । ଯଦି ଟଙ୍କା ଖର୍ଚ୍ଚ କରିବାର ଚିନ୍ତା ଆପଣଙ୍କୁ ଅସ୍ୱାଭାବିକ ଭାବେ ଚିନ୍ତିତ କରୁଛି, ତେବେ ତାହାକୁ ହାଲ୍କା ଭାବେ ନିଅନ୍ତୁନାହିଁ । ବରଂ ସଠିକ୍ ସହାୟତା ଓ ସଚେତନତା ମାଧ୍ୟମରେ ଭୟକୁ ଦୂର କରାଯାଇପାରେ ।