ପାଖାପାଖି ୭୦ କୋଟି ଲୋକ ଏବଂ ଘରୋଇ ସଂସ୍ଥାର ବ୍ୟକ୍ତିଗତ ତଥ୍ୟ ଚୋରାଇଥିବା ବ୍ୟକ୍ତି ଗିରଫ, ‘ଇନ୍ସପାୟାର୍ ୱେବ୍’ରେ କରୁଥିଲା ବିକ୍ରି…

ନୂଆଦିଲ୍ଲୀ : ତେଲେଙ୍ଗାନାର ହାଇଦ୍ରାବାଦର ଉପକଣ୍ଠ ଅଂଚଳ ସାଇବରାବାଦରେ ୨୪ ରାଜ୍ୟ ଏବଂ ୮ ମହାନଗରର ୬୬.୯ କୋଟି ଲୋକ ଏବଂ ଘରୋଇ ସଂଗଠନର ବ୍ୟକ୍ତିଗତ ତଥା ଗୋପନୀୟ ତଥ୍ୟ ଚୋରି କରିବା ଏବଂ ସେଗୁଡିକୁ ବିକ୍ରୟ କରିବା ଅଭିୟୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଶନିବାର ସାଇବରାବାଦ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି ।
ପୋଲିସ ଏକ ପ୍ରେସ ବିବୃତ୍ତିରେ କହିଛି ଯେ, ଅଭିଯୁକ୍ତ ବିନୟ ଭରଦ୍ୱାଜଙ୍କଠାରୁ ଶିକ୍ଷା-ପ୍ରଯୁକ୍ତିବିଦ୍ୟା ସଂଗଠନର ଛାତ୍ରଙ୍କ ତଥ୍ୟ ଗ୍ରହଣ କରାଯାଇଛି । ବିବୃତ୍ତି ଅନୁଯାୟୀ, ଏଥିରେ ଜିଏସ୍ଟି, ବିଭିନ୍ନ ରାଜ୍ୟର ସଡକ ପରିବହନ ସଂଗଠନ, ପ୍ରମୁଖ ଇ-କମର୍ସ ପୋର୍ଟାଲ, ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଫିଣ୍ଟେକ୍ କମ୍ପାନୀ ଭଳି ପ୍ରମୁଖ ସଂଗଠନର ଗ୍ରାହକ ତଥ୍ୟ ମଧ୍ୟ ନିଜ ପାଖରେ ରଖିଥିଲା । ଅଭିଯୁକ୍ତ ବିନୟ ଭରଦ୍ୱାଜଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି ।
ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ପାଖରେ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟରେ ପ୍ରତିରକ୍ଷା କର୍ମଚାରୀ, ସରକାରୀ କର୍ମଚାରୀ, ପ୍ୟାନ କାର୍ଡଧାରୀ, ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ର, ବରିଷ୍ଠ ନାଗରିକ, ଦିଲ୍ଲୀର ବିଦ୍ୟୁତ୍ ଉପଭୋକ୍ତା, ଡି-ମ୍ୟାଟ୍ ଆକାଉଣ୍ଟ ଧାରକ, ବିଭିନ୍ନ ବ୍ୟକ୍ତିବିଶେଷ, NEET ଛାତ୍ର, ଧନୀ ବ୍ୟକ୍ତି, ବୀମା ଧାରକ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ଧାରକଙ୍କ ତଥ୍ୟ ଏବଂ ମୋବାଇଲ୍ ନମ୍ବର ସାମିଲ ହୋଇଛି । ପୋଲିସ ଦୁଇଟି ମୋବାଇଲ୍ ଫୋନ୍ ଏବଂ ଦୁଇଟି ଲାପଟପ୍ ଜବତ କରିଛି । ଅଭିଯୁକ୍ତ ହରିୟାଣାର ଫରିଦାବାଦର ଏକ ୱେବସାଇଟ୍ ‘ଇନ୍ସପାୟାର୍ ୱେବ୍’ ମାଧ୍ୟମରେ କାର୍ଯ୍ୟ କରୁଥିଲା ଏବଂ ‘କ୍ଲାଉଡ୍ ଡ୍ରାଇଭ୍ ଲିଙ୍କ୍’ ମାଧ୍ୟମରେ ଗ୍ରାହକଙ୍କୁ ତଥ୍ୟ ବିକ୍ରି କରୁଥିଲା ।