ପରଭେଜ୍ ମୁଶାରଫ୍ଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହେଲେନି ପାକିସ୍ତାନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାମୁଖ୍ୟ ଜେନେରାଲ ପରଭେଜ ମୁଶାରଫଙ୍କୁ ତାଙ୍କ ସମ୍ପର୍କୀୟ ଏବଂ ଅନେକ ସେବାନିବୃତ ଏବଂ କାର୍ଯ୍ୟରତ ସେନା ଅଧିକାରୀଙ୍କ ଉପସ୍ଥିତିରେ ମଙ୍ଗଳବାର ଏକ ସୈନ୍ୟ କବରସ୍ଥାନରେ ସମ୍ମାନର ସହ କବର ଦିଆଯାଇଛି । ପୂର୍ବତନ ରାଷ୍ଟ୍ରପତିଙ୍କ ନାମାଜ-ଇ-ଜନାଜା (ଅନ୍ତିମ ସଂସ୍କାର ନମାଜ) ଅପରାହ୍ନରେ ମଲିର କ୍ୟାଣ୍ଟନମେଣ୍ଟର ଗୁଲମୋହର ପୋଲୋ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା । ତେବେ ଏଥିରେ ରାଷ୍ଟ୍ରପତି ଆରିଫ ଅଲଭି ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଯୋଗ ଦେଇ ନଥିଲେ । ତେବେ ଅନ୍ତିମ ସଂସ୍କାରରେ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ ସାହିର ଶମଶାଦ ମିର୍ଜା ଏବଂ ପୂର୍ବତନ ସେନା ମୁଖ୍ୟ କମର ଜାଭେଦ୍ ବାଜୱା, ଆଶଫାକ ପରଭେଜ କାୟାନି ଏବଂ ଅସଲମ ବେଗ ଯୋଗ ଦେଇଥିଲେ ।
ପୂର୍ବତନ ଆଇଏସଆଇ ମୁଖ୍ୟ ଜେନେରାଲ ଶୁଜା ପାଶା ଏବଂ ଜେନେରାଲ ଜହିରୁଲ ଇସଲାମ ଏବଂ ଅନେକ ଅବସରପ୍ରାପ୍ତ ସାମରିକ ଅଧିକାରୀ ମଧ୍ୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ମୁତାହିଦା କୌମି ମୁଭମେଣ୍ଟ ପାକିସ୍ତାନ ନେତା ଖାଲିଦ ମକବୁଲ ସିଦ୍ଦିକି, ଡକ୍ଟର ଫାରୁକ୍ ସତ୍ତାର, ପାକିସ୍ତାନୀ ମୁସଲିମ ଲିଗ୍-ନୱାଜ ନେତା ଆମୀର ମୁକାମ, ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ତଥା ସିନ୍ଧର ପୂର୍ବତନ ରାଜ୍ୟପାଳ ଇମ୍ରାନ ଇସମାଇଲ, ପୂର୍ବତନ କେନ୍ଦ୍ର ସୂଚନା ମନ୍ତ୍ରୀ ଜାଭେଦ୍ ଜବର ମଧ୍ୟ ଥିଲେ ।

ସୂଚନାଥାଉକି, ଯେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନା ମୁଖ୍ୟ ପରଭେଜ ମୁଶାରଫ ୧୧ ଅଗଷ୍ଟ ୧୯୪୩ରେ ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ୧୯୪୭ ରେ ଭାରତ ବିଭାଜନର କିଛି ଦିନ ପୂର୍ବରୁ ତାଙ୍କ ପରିବାର ପାକିସ୍ତାନ ଯିବାକୁ ସ୍ଥିର କରିଥିଲେ । ତାଙ୍କ ପିତା ପାକିସ୍ତାନ ସରକାରରେ କାମ କରିଛନ୍ତି ।
୧୯୯୮ ମସିହାରେ ପରଭେଜ ମୁଶରଫ ଜେନେରାଲ ହୋଇଥିଲେ । ସେ ଭାରତ ବିରୋଧରେ କାର୍ଗିଲ ଭଳି ଯୁଦ୍ଧ ପାଇଁ ଷଡଯନ୍ତ୍ର କରିଥିଲେ । ହେଲେ ଭାରତର ସାହସୀ ସୈନିକମାନେ ସେମାନଙ୍କର ପ୍ରତ୍ୟେକ ପଦକ୍ଷେପକୁ ପଣ୍ଡ କରିଦେଇଥିଲେ । ଜେନେରାଲ ମୁଶାରଫ ତାଙ୍କ ଜୀବନୀ ‘ଇନ୍ ଦ ଲାଇନ୍ ଅଫ୍ ଫାୟାର୍ – ଅ ମେମାୟର୍’ରେ ଲେଖିଛନ୍ତି ଯେ ସେ କାର୍ଗିଲଙ୍କୁ କାବୁ କରିବାକୁ ଶପଥ ନେଇଥିଲେ କିନ୍ତୁ ନୱାଜ ସରିଫଙ୍କ ଯୋଗୁଁ ସେ ଏହା କରିପାରି ନଥିଲେ ।
୧୯୯୯ ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନକୁ ଶାସନ କରୁଥିବା ଜେନେରାଲ ମୁଶାରଫଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ କରାଯାଇଥିଲା ଏବଂ ସମ୍ବିଧାନ ସ୍ଥଗିତ ରଖିବା ପାଇଁ ୨୦୧୯ ରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ପରେ ତାଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ ରଖାଯାଇଥିଲା । ୨୦୨୦ ମସିହାରେ, ଲାହୋର ହାଇକୋର୍ଟ ମୁଶାରଫଙ୍କ ବିରୋଧରେ ନୱାଜ ସରିଫ ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟକୁ ଅସାମ୍ବିଧାନିକ ଘୋଷଣା କରିଥିଲେ ।
୧୯୯୮ ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱାଜ ସରିଫ ପରଭେଜ ମୁଶରଫଙ୍କୁ ସେନା ମୁଖ୍ୟ କରିଥିଲେ । ମାତ୍ର ଗୋଟିଏ ବର୍ଷ ପରେ ୧୯୯୯ ରେ ଜେନେରାଲ ମୁଶାରଫ ନୱାଜ ସରିଫଙ୍କୁ ପରାସ୍ତ କରି ପାକିସ୍ତାନର ଏକଛତ୍ରବାଦୀ ଶାସକ ହୋଇଥିଲେ । ସେ କ୍ଷମତା ଗ୍ରହଣ କରିବା ମାତ୍ରେ ନୱାଜ ସରିଫଙ୍କୁ ତାଙ୍କ ପରିବାର ସହିତ ପାକିସ୍ତାନ ଛାଡିବାକୁ ପଡିଲା ।