ପ୍ରମୁଖ ଖବର
  • ଆଜି ୪ ରାଜ୍ୟରେ ଭୋଟ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
  • ||

ବଂଶବାଦକୁ ପ୍ରଶୟ ଦେଉଛି ବିଜେଡି: ଧର୍ମେନ୍ଦ୍ର

ଭୁବନେଶ୍ୱର,୪ା୪(ବ୍ୟୁରୋ): ଚିଟ୍‌ଫଣ୍ଡ ପ୍ରସଙ୍ଗରେ ପୁଣି ବିଜେଡି ସରକାରଙ୍କୁ ଘେରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କୁ ନିଶାନା କରି ଅଭିଯୋଗ କରିଛନ୍ତି, ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ବିଜେଡି ବଂଶବାଦର ସାହାରା ନେଉଛି । ଚିଟ୍‌ଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପୁଅମାନଙ୍କୁ ପରିବାର ଆଧାରରେ ଟିକେଟ ଦେଇଛି । ଏହି ବଂଶବାଦର ପ୍ରଥାକୁ ଦେଶରୁ ହଟାଇବାକୁ ପଡି଼ବ । ଏଥିପାଇଁ ନରେନ୍ଦ୍ର ମୋଦୀଙ୍କୁ ଚୌକିଦାର କରିବାକୁ ସେ ଓଡି଼ଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲା ପ୍ରଜାରିଗୁଡା, ଝରିଗାଁ, ଡାବୁଗାଁ, ନୂଆପଡାର ଖରିଆରେ ଆଜି ବିଜେପିର ବିଜୟ ସଂକଳ୍ପ ସଭା ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ଓଡ଼ିଶା-କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିଲେ, ୫ ବର୍ଷ ଭିତରେ ସବୁ ଗରିବଙ୍କୁ ଜମିପଟ୍ଟା ଓ ପକ୍କା ଘର ଦିଆଯିବ । ଅଙ୍ଗନବାଡି କର୍ମୀଙ୍କୁ ମାସିକ ୧୫ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା ମିଳିବ ।

ସେ କହିଛନ୍ତି, ଓଡ଼ିଶାରେ ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ସ୍ଥିତି ସଙ୍ଗୀନ । ୧୯ ବର୍ଷ ଧରି ଏମାନେ ଅବହେଳିତ ହୋଇ ଆସୁଛନ୍ତି । ବିଜେଡି ସରକାର ଆଦିବାସୀ ବିରୋଧୀ । ଆଦିବାସୀଙ୍କୁ ପଟ୍ଟା ଓ ଘରଡିହ ମିଳୁନି । ସେପଟେ କୋରାପୁଟର କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଆଦିବାସୀ ସମ୍ପ୍ରଦାୟର ଟେକ ରଖିଛନ୍ତି ମୋଦି ସରକାର । କଟକର ଚା’ବିକାଳି ଡି ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ଦେଇ ମୋଦି ଓଡି଼ଶାର ସମ୍ମାନ ବଢ଼ାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୨ ମସିହାରୁ ଶୁଭ ଦେଇଛନ୍ତି । ହେଲେ ଏଯାଏଁ ଡ୍ୟାମ ତିଆରି ହୋଇପାରିଲାନି । ବିଜେପି କ୍ଷମତାକୁ ଆସିଲେ, ଏକ ଲକ୍ଷ କୋଟି ଟଙ୍କାର ଫାଣ୍ଠି ନବରଙ୍ଗପୁରକୁ ଦିଆଯିବ । ଏଥିରେ ଇନ୍ଦ୍ରାବତୀ ନଦୀ ଜଳକୁ ନବରଙ୍ଗପୁରକୁ ପହଞ୍ଚାଇବାର ବ୍ୟବସ୍ଥା କରାଯିବ । ଏହି ପାଣ୍ଠିରେ ଗରିବଙ୍କ ପାଇଁ ଅତ୍ୟାଧୁନିକ ମେଡିକାଲ ପ୍ରତିଷ୍ଠା ହେବ । ପଛୁଆ ଅଞ୍ଚଳର ବିକାଶ ହେବ ।

ସେ ଆହୁରି କହିଛନ୍ତି, ମୋଦି ସରକାର ନବରଙ୍ଗପୁରକୁ ରେଳ ଲାଇନ୍‌ ପାଇଁ ଅନୁମତି ଦେଲେ । ମାତ୍ର ରାଜ୍ୟ ସରକାର ଜମି ଅଧିଗ୍ରହଣ କରାଇ ଦେଉନାହାନ୍ତି । ସେପଟେ ରାଜ୍ୟ ସରକାର ଓଡି଼ଶାରେ ଆୟୁଷ୍ମାନ ଯୋଜନା ଲାଗୁ କଲେନି କି ପିଏମ୍‌ କିଷାନ ପାଇଁ ତାଲିକା ପଠାଇ ନାହାନ୍ତି । ବିଭିନ୍ନ ଯୋଜନା ପାଇଁ କେନ୍ଦ୍ର ୧ ଲକ୍ଷ ୩୬ ହଜାର କୋଟିର ପାଣ୍ଠି ଓଡି଼ଶାକୁ ପଠାଇଛି । ହେଲେ, ରାଜ୍ୟ ସରକାର ଇର୍ଷା ପରାୟଣ ହୋଇ ପାଣ୍ଠିର ବନିଯୋଗ କରୁନଥିବା ସେ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.