ନୂଆଦିଲ୍ଲୀ,୧୯।୭: ଭାରତୀୟ ପାଇଲଟ୍ ସଂଘ ((Federation of Indian Pilots – FIP) ପକ୍ଷରୁ ଦ ଓ୍ବାଲ ଷ୍ଟ୍ରୀଟ୍ ଜର୍ଣ୍ଣାଲ ଓ ରଏଟର୍ସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ପଦକ୍ଷେପ ୧୨ ଜୁନ୍ରେ ହୋଇଥିବା ଏୟାର ଇଣ୍ଡିଆ ଦୁର୍ଘଟଣାକୁ ନେଇ ତାଙ୍କ ରିପୋର୍ଟ ପରେ ଗ୍ରହଣ କରାଯାଇଛି, ଯେଉଁଥିରେ ପାଇଲଟଙ୍କ ଭୁଲ ଥିଲା କିମ୍ବା କକପିଟ୍ରେ କନଫ୍ୟୁଜନ୍ ଯୋଗୁଁ ଦୁର୍ଘଟଣାର ସମ୍ଭାବିତ କାରଣ କୁହାଯାଇଥିଲା। ଫେଡେରେସନ୍ ଅଭିଯୋଗ କରିଛି ଏହି ମିଡିଆ ରିପୋର୍ଟରେ ଦୁର୍ଘଟଣାର କୌଣସି ଉପଯୁକ୍ତ ପ୍ରମାଣ ନାହିଁ। ଏଥିରେ ପାଇଲଟ୍ଙ୍କୁ ଦୋଷୀ କୁହାଯାଇଥିଲା, ଯାହାକି ସମ୍ପୂର୍ଣ୍ଣ ଭାବରେ ଭୁଲ ଓ ଭ୍ରାମକ।
ଏଫ୍ଆଇପି ପକ୍ଷରୁ ପଠାଯାଇଥିବା ଆଇନଗତ ନୋଟିସ୍ରେ ଏହି ମିଡିଆ ସଂସ୍ଥାକୁ ଔପଚାରିକ କ୍ଷମା ମଗାଯାଇଛି ଓ ଏହାର ରିପୋର୍ଟିଂକୁ ‘ସିଲେକ୍ଟିଭ ଓ ଅନ୍ଭେରିଫାଏଡ୍’ ବୋଲି କୁହାଯାଇଛି। ଏଫ୍ଆଇପିର ବୟାନରେ କୁହାଯାଇଛି ଏଭଳି ଭାବରେ ରିପୋର୍ଟ ଦାୟିତ୍ବହୀନ, ବିଶେଷ ଭାବରେ ଯେତେବେଳେ ଏବେ ଯାଞ୍ଚ ଜାରି ରହିଛି।

ନୋଟିସ୍ରେ କୁହାଯାଇଛି, ଆମେ ରେକର୍ଡରେ ରଖିବାକୁ ଚାହୁଁଛୁ ଯେ, ଏଭଳି ଚର୍ଚ୍ଚା ଉପରେ ଆଧାରିତ କଣ୍ଟେଣ୍ଟ ପ୍ରକାଶ କରିବା ଖୁବ୍ ଦାୟିତ୍ବହୀନ ଓ ଏଥିରେ ମୃତ ପାଇଲଟ୍ଙ୍କ ପ୍ରତିଷ୍ଠାକୁ ଗଭୀର ଓ ଅପୂରଣୀୟ କ୍ଷତି ହୋଇଛି, ଯିଏକି ଏବେ ନିଜକୁ ବଞ୍ଚାଇ ପାରିବେନି। ରଏଟର୍ସ ଶୋକାକୂଳ ପରିବାକୁ ଅନାବଶ୍ୟକୀୟ ପୀଡା ଦେଇଛି ଓ ପାଇଲଟ୍ ସମୁଦାୟର ମନୋବଳକୁ କମ୍ କର ଦିଆଯାଇଛି, ଯାହାକି ଅତ୍ୟାଧିକ ଚାପ ଓ ସାର୍ବଜନୀକ ଦାୟିତ୍ବ ଭିତରେ କାମ କରିଥାଏ। ଏଫ୍ଆଇପି କହିଛି, ଏହି ଦୁର୍ଘଟଣାରେ ବହୁ ପରିମାଣରେ ଲୋକଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଛି। ଏହି ସମୟରେ ଭାରତୀୟ ବିମାନ ଉଦ୍ୟୋଗର ସୁରକ୍ଷାକୁ ନେଇ ଚିନ୍ତା କିମ୍ବା ଭୟ ସୃଷ୍ଟି କରିହେବନି। ବିଶେଷ ଭାବରେ ବିନା କୌଣସି ତଥ୍ୟର ସୂଚନାରେ ଏଭଳି କରାଯାଇଛି। ଏଏଆଇବି ପକ୍ଷରୁ ଜାରି ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନର ଇଞ୍ଜିନର ଫୁଏଲ କଣ୍ଟେ୍ରାଲ ସ୍ବିଚ୍ କ୍ରାସ୍ ହେବାର ଠିକ୍ ପୂର୍ବରୁ ‘ରନ୍’ରୁ ‘କଟୃଫ୍’ ହୋଇଯାଇଥିଲା। ଫଳରେ ଦୁଇଟି ଇଞ୍ଜିନରେ ଇନ୍ଧନ ଯୋଗାଣ ବନ୍ଦ ହୋଇଥିଲା। ରିପୋର୍ଟରେ କୁହାଯାଇଥିଲା ଦୁଇ ପାଲଇଟଙ୍କ ଭିତରେ ସ୍ବିଚ୍କୁ ନେଇ ଆଲୋଚନା ହୋଇଥିଲା।