ନୂଆଦିଲ୍ଲୀ, ୨୯/୦୧ : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପ୍ରାଇଭେଟ୍ ଚାର୍ଟର ବିମାନ ଲିୟରଜେଟ୍-୪୫ର ଦୁର୍ଘଟଣାରେ ଦେଶ କେବଳ ଜଣେ ବରିଷ୍ଠ ନେତାଙ୍କୁ ହରାଇ ନାହିଁ, ବରଂ ଭାରତୀୟ କର୍ପୋରେଟ୍ ଆଭିଏସନ୍ ର ଦୁଇ ଜଣ ପ୍ରଶିକ୍ଷିତ ପାଇଲଟ୍ ମଧ୍ୟ ଜୀବନ ହରାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର କକପିଟ୍ ରେ ଥିଲେ ପାଇଲଟ୍-ଇନ୍-କମାଣ୍ଡ ସୁମିତ କପୁର ଓ ୨୫ ବର୍ଷୀୟା ସହ-ପାଇଲଟ୍ ଶାମ୍ଭବୀ ପାଠକ । ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ପିଙ୍କି ମାଲୀ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତେବେ ବିମାନ ଦୁର୍ଘଟଣା ପୂର୍ବରୁ ମୁଖ୍ୟ ପାଇଲଟ୍ ସୁମିତ କପୁର ମେଡେ କଲ୍ କରିନଥିଲେ । କିନ୍ତୁ ତାଙ୍କ ସହ ଥିବା କ୍ୟାପ୍ଟେନ୍ ଶାମ୍ଭବୀ ପାଠକଙ୍କ ଶେଷ ଶବ୍ଦ ଥିଲା ‘ଓଃ ଶିଟ୍... ଓଃ ଶିଟ୍’

ଦୁର୍ଘଟଣାର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍ ବୁଧବାର ସକାଳ ୬.୩୬ରେ ଶାମ୍ଭବୀ ମୁମ୍ବାଇରୁ ନିଜ ଜେଜେମା’ ମୀରା ପାଠକଙ୍କୁ ହ୍ୱାଟ୍ସଆପ୍ ରେ ମେସେଜ୍ ପଠାଇଥିଲେ ‘ଗୁଡ୍ ମର୍ନିଙ୍ଗ୍ ଦଦ୍ଦା’ । ଏହା ପରେ ସେ ବିମାନକୁ ଚାଲିଗଲେ । ଜେଜେମା’ କହିଛନ୍ତି, ଶାମ୍ଭବୀଙ୍କ ଗ୍ୱାଲିୟର ସ୍ଥିତ ଘରେ ଏବେ ବି ତାଙ୍କ ପିଲାଦିନର ଅନେକ ଫଟୋ ଅଛି, ଯେଉଁଥିରେ ସେ ଫାଇଟର୍ ପ୍ଲେନ୍ ମଡେଲ ସହ ଖେଳୁଥିଲେ । ବଡ଼ ହୋଇ ସେ ଉଡ୍ଡୟନକୁ କ୍ୟାରିଅର୍ କଲେ । ପରିବାର ତାଙ୍କୁ ସ୍ନେହରେ ‘ଚିନି’ ଡାକୁଥିଲେ । ସକାଳ ୧୧ଟାରେ ତାଙ୍କ ପରିବାର ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଲେ ।

ଉଡ୍ଡୟନ ଉଦ୍ୟୋଗ ସହ ସଂଶ୍ଳିଷ୍ଟ ଲୋକଙ୍କ ଅନୁସାରେ, ଟେକ୍ନୋଲୋଜିରେ ଶାମ୍ଭବୀଙ୍କର ଭଲ ଜ୍ଞାନ ଥିଲା । ଲମ୍ବା ଦୂରତା ଉଡ଼ାଣ ଲାଗି ସେ ପ୍ରଶିକ୍ଷଣ ନେଉଥିଲେ । ତାଙ୍କ କ୍ୟାରିଅର୍ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲା । କର୍ପୋରେଟ୍ ଓ ଚାର୍ଟର ଆଭିଏସନ୍ରେ ପରିଚୟ ସୃଷ୍ଟି କରୁଥିବା ଦେଶର ନୂଆ ମହିଳା ପାଇଲଟ୍ଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ । ତାଙ୍କ ବାପା ଜଣେ ଆର୍ମି ଅଫିସର୍ । ଗ୍ୱାଲିୟର୍ର ଏୟାରଫୋର୍ସ ସ୍କୁଲରୁ ଅଧ୍ୟୟନ ପରେ ସେ ଉଡ୍ଡୟନ କ୍ଷେତ୍ରକୁ ଚୟନ କରିଥିଲେ । ମୁମ୍ବାଇ ୟୁନିଭର୍ସିଟିରୁ ଏରୋନଟିକ୍ସ/ଆଭିଏସନ୍ରେ ଅଧ୍ୟୟନ ପରେ ନ୍ୟୁଜିଲ୍ୟାଣ୍ଡରୁ କମର୍ସିଆଲ ପାଇଲଟ୍ ଟ୍ରେନିଂ ନେଇଥିଲେ । ତାଙ୍କ ପାଖରେ କମର୍ସିଆଲ ପାଇଲଟ୍ ଲାଇସେନ୍ସ (ସିପିଏଲ୍) ସହିତ ଫ୍ଲାଇଟ୍ ଇନଷ୍ଟ୍ରକ୍ଟର ରେଟିଂ (ଏ) ମଧ୍ୟ ଥିଲା । ମଧ୍ୟପ୍ରଦେଶ ଫ୍ଲାଇଙ୍ଗ୍ କ୍ଲବରୁ ଆସିଷ୍ଟାଣ୍ଟ୍ ଫ୍ଲାଇଙ୍ଗ୍ ଇନଷ୍ଟ୍ରକ୍ଟର ରୂପେ ସେ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ଭିଏସ୍ଆର୍ ଆଭିଏସନ୍ ପାଇଁ ଲିୟରଜେଟ୍ ଭଳି ବିଜ୍ନେସ ଜେଟ୍ ଉଡ଼ାଇଲେ । ଅଗଷ୍ଟ ୨୦୨୨ରେ ସେ କର୍ପୋରେଟ୍ ଚାର୍ଟର ଅପରେସନ୍ରେ ସାମିଲ ଥିଲେ । ଶାମ୍ଭବୀ ପାଠକ ଓ ସୁମିତ କପୁର ଭାରତୀୟ କର୍ପୋରେଟ୍ ଆଭିଏସନ୍ର ଦୁଇଟି ପିଢ଼ିକୁ ପ୍ରତିନିଧିତ୍ୱ କରୁଥିଲେ । ଗୋଟିଏ ପଟେ ଯୁବ ମହିଳା ପାଇଲଟ୍ ଯିଏ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରୁଥିଲେ । ଅନ୍ୟପକ୍ଷେ, ଅନୁଭବୀ କମାଣ୍ଡର ଯିଏ ଚାର୍ଟର ଉଡ଼ାଣର ଦାୟିତ୍ୱ ତୁଲାଇଥିଲେ।

ଏହି ଖବରଟିକୁ ପଢନ୍ତୁ- ଅଜିତ୍ ପାୱାରଙ୍କ ମୃତ୍ୟୁ ପରେ କ'ଣ ହେବ ଏନସିପି ଭାଗ୍ୟ ? ପତ୍ନୀ ସମ୍ଭାଳିବେ ଦାୟିତ୍ଵ ନା ଶରଦଙ୍କ ଦଳ ସହ ବିଲୟ...