ମୁମ୍ବାଇ, ୨୯/୦୧ : ବାରାମତୀରେ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ମହାରାଷ୍ଟ୍ର ରାଜନୀତିର ଦିଗ ବଦଳାଇ ଦେଇଛି । ରାଜ୍ୟ ରାଜନୀତିରେ ଏକ ପ୍ରଭାବଶାଳୀ ନେତା ଭାବେ ପରିଚିତ ଅଜିତଙ୍କ ମୃତ୍ୟୁ ପରେ ଏବେ ବଡ଼ ପ୍ରଶ୍ନ ହେଉଛି ତାଙ୍କ ଦଳ ଏନ୍ସିପିର ଭବିଷ୍ୟତ କ’ଣ ହେବ? ପାୱାର ପରିବାରର ରାଜନୀତି କେଉଁ ଦିଗରେ ଅଗ୍ରସର ହେବ ? ଅଜିତଙ୍କ ଏନ୍ସିପି ଦାଦା ଶରଦ ପାୱାରଙ୍କ ଏନ୍ସିପି ସହ ମିଶିବ ନା ଅଜିତଙ୍କ ପରିବାରର କେହି ଏନ୍ସିପି ମଙ୍ଗ ଧରିବେ? ୨୦୨୩ରେ ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରି ଅଜିତ ପାୱାର ଦଳର ନାମ ଏବଂ ଚିହ୍ନ ସହ ଅଧିକାଂଶ ବିଧାୟକଙ୍କୁ ନିଜ ପକ୍ଷକୁ ଆଣିଥିଲେ । ବିଦ୍ରୋହ ପରେ ଅଜିତ ଗୋଷ୍ଠୀ ଏନ୍ସିପିର ସର୍ବେସର୍ବା ଥିଲେ ଅଜିତ ପାୱାର । ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ସବୁଠୁ ଅଧିକ ଚର୍ଚ୍ଚା ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ନେଇ ହେଉଛି।
ପତ୍ନୀ ସୁନେତ୍ରାଙ୍କୁ ମିଳିବ କି ଗୁରୁଦାୟିତ୍ଵ?
ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ, ସୁନେତ୍ରାଙ୍କୁ ଅଜିତଙ୍କ ସ୍ଥାନରେ ରାଜ୍ୟର ଉପମୁଖମନ୍ତ୍ରୀ କରାଯାଇପାରେ । ଦେଖିବାକୁ ଗଲେ ରାଜନୀତିରେ ସୁନେତ୍ରା ସେତେ ପରିପକ୍ୱ ନୁହନ୍ତି । ସୁନେତ୍ରା ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଥିବା ବେଳେ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ରାଜ୍ୟସଭାକୁ ଯାଇଥିଲେ । ସେହିପରି ଅଜିତଙ୍କ ଉତ୍ତରାଧିକାରୀ ଦୌଡ଼ରେ ତାଙ୍କର ଦୁଇ ପୁଅ ପାର୍ଥ ଏବଂ ଜୟ ବି ଅଛନ୍ତି । ପାର୍ଥ ୨୦୧୯ ଲୋକସଭା ନିର୍ବାଚନରେ ମାବଲ ସଂସଦୀୟ ଆସନରୁ ଲଢ଼ି ପରାଜିତ ହୋଇଥିଲେ । ଜୟ ପାୱାର ପାରିବାରିକ ବ୍ୟବସାୟ ସମ୍ଭାଳନ୍ତି । ଏମାନଙ୍କ ବ୍ୟତୀତ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ, ସୁନୀଲ ତଟକରେ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ପ୍ରମୁଖଙ୍କ ମଧ୍ୟରୁ କାହାକୁ ଦଳର ବାଗ୍ଡୋର ଦିଆଯାଇପାରେ ବୋଲି ଚର୍ଚ୍ଚା ଚାଲିଛି ।
ଶରଦଙ୍କ ଦଳ ସହ ହେବକି ବିଲୟ ?
ଆଉ କେତେକ ବିଶେଷଜ୍ଞଙ୍କ ମତରେ ଅଜିତଙ୍କ ମୃତ୍ୟୁ ପରେ ଏନ୍ସିପିର ଦୁଇ ଗୋଷ୍ଠୀ ଏକାଠି ହୋଇପାରନ୍ତି । ଅର୍ଥାତ୍ ଶରଦ ପାୱାରଙ୍କ ଦଳ ସହିତ ଏନ୍ସିପିର ବିଲୟ ହୋଇପାରେ । ନିକଟରେ ଅନୁଷ୍ଠିତ ପୁନେ ଏବଂ ପିମ୍ପରି-ଚିଞ୍ଚିୱାଡ଼ ମହା ନଗରପାଳିକା ନିର୍ବାଚନରେ ଦୁଇ ଗୋଷ୍ଠୀ ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ । ତେବେ ବିଲୟ ସଂପର୍କରେ ନିଷ୍ପତ୍ତି କିଏ ନେବେ ତାହା ମଧ୍ୟ ବର୍ତ୍ତମାନ ସମୟରେ ଏକ ବଡ଼ ପ୍ରଶ୍ନ ହୋଇଛି । ହେଲେ ଅଜିତ ଗୋଷ୍ଠୀ ଏନ୍ସିପିର ଭବିଷ୍ୟତ ବାବଦରେ କେବଳ ଏନ୍ସିପି ନୁହେଁ ବରଂ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ବି ନିଷ୍ପତ୍ତି ନେବ । କାରଣ ଅଜିତ ମେଣ୍ଟରେ ହାତ ମିଳାଇ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲେ । ଅଜିତ ଗୋଷ୍ଠୀ ନିକଟରେ ଏବେ ୪୧ ବିଧାୟକ ରହିଛନ୍ତି । ତେଣୁ ଅଜିତଙ୍କ ଏନ୍ସିପି ଶରଦ ପାୱାରଙ୍କ ସହ ମିଶୁ ବୋଲି ବିଜେପି ଚାହିଁ ନ ପାରେ । ସେହିପରି ଅଜିତଙ୍କ ମୃତ୍ୟୁ ପରେ ଏନ୍ସିପି କୋଟାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରେ କାହାକୁ ବସାଯିବ ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଚାହିଁବେନି ଯେ ଅଜିତ ଗୋଷ୍ଠୀର ୪୧ ବିଧାୟକ ବିଜେପି ଛାଡ଼ି ଶରଦଙ୍କ ଏନ୍ସିପି ମୁହାଁ ହୁଅନ୍ତୁ । ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ସବୁପ୍ରକାର ଚେଷ୍ଟା କରିବ ।
ଏହି ଖବରଟିକୁ ପଢନ୍ତୁ- ପୁତୁରା ଅଜିତ ପାୱାରଙ୍କ ମୃତ୍ୟୁ ପରେ ଶରଦ ପାୱାରଙ୍କ ପ୍ରତିକ୍ରିୟା: ଏହା ଦୁର୍ଘଟଣା,କୌଣସି ପ୍ରକାର ରାଜନୀତି ନହେଉ ...