ମୋଦି ବାୟୁସେନାର ଟଙ୍କା ଚୋରାଇ ଅନିଲ ଅମ୍ବାନୀଙ୍କୁ ଦେଇଛନ୍ତି: ରାହୁଲ

ନୂଆଦିଲ୍ଲୀ,୩।୩: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଫେଲ ବିମାନ ସମ୍ପର୍କିତ ବୟାନକୁ ନେଇ ଗତକାଲି ତାଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ମୋଦିଙ୍କ କାରଣରୁ ଏହି ଯୁଦ୍ଧ ବିମାନ ଯୋଗାଣରେ ବିଳମ୍ବ ହୋଇଛି। ଏଭଳି ସ୍ଥିତି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭଳି ବାହାଦୁର ପାଇଲଟ ପୁରୁଣା ବିମାନ ଚଳାଇ ନିଜର ଜୀବନକୁ ବିପଦରେ ପକାଇଥିଲେ। ଏହାପରେ ରାହୁଲ ଟ୍ବିଟ୍ କରି ଲେଖିଥିଲେ‘ ପ୍ରିୟ ପ୍ରଧାନମନ୍ତ୍ରୀ, କ’ଣ ଆପଣଙ୍କୁ କିଛି ଲାଜ ସରମ ନାହିଁ? ଆପଣ ୩୦ ହଜାର କୋଟି ଚୋରି କରି ଅନିଲ ଅମ୍ବାନୀଙ୍କୁ ଦେଲେ। ରାଫେଲ ବିମାନ ବିଳମ୍ବରେ ଆସିବା ପାଇଁ କେବଳ ଆପଣ ହିଁ ଦାୟୀ।
ଗତ ଶନିବାର ରାଞ୍ଚିର ମୋରହାବାଦୀ ପଡିଆରେ ଏକ ରାଲିରେ ଯୋଗ ଦେଇ ରାହୁଲ କହିଥିଲେ ଏଥର ମୋତେ ଗୋଟେ କଥା ବୁଝାଅ, ଏତେ ସବୁ ଚୋରଙ୍କ ନାଁ ମୋଦି କାହିଁକି। ଲଲିତ ମୋଦି, ନିରବ ମୋଦି ଓ ଏବେ ନରେନ୍ଦ୍ର ମୋଦି। ଅଛେ ଦିନର ସ୍ଲୋଗାନ ବଦଳି ଯାଇଚି। ଏବେ କୁହାଯାଉଛି ଚୌକିଦାର ଚୋର ହେ। ସବୁ ଚୌକିଦାରକୁ ବଦନାମ କରିଦେଇଛନ୍ତି। ଚୌକିଦାରଙ୍କ କଥା ହେଲେ କେବଳ ନରେନ୍ଦ୍ର ମୋଦିଙ୍କ କଥା ପଡେ ବୋଲି କହିଛନ୍ତି ରାହୁଲ। ଏଠାରେ ଉଲ୍ଳେଖନୀୟ ଯେ ମୋଦି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଏବେ ଆମକୁ ରାଫେଲର ଅନୁପସ୍ଥିତି ଅନୁଭବ ହେଉଛି। ରାଫେଲ ଥିଲେ ସ୍ଥିତି ଭିନ୍ନ ହୋଇଥାନ୍ତା। ମୋଦିଙ୍କ ଏହି ମନ୍ତବ୍ୟ ପରେ ରାହୁଲ ତାଙ୍କୁ ଟାର୍ଗେଟ କରି ଏହା କହିଛନ୍ତି।