୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।
ମୀନ: ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜନ୍ମ ଶନି ଏବଂ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ବୃହସ୍ପତି ଯୋଗୁ ମୀନ ରାଶିର ସବୁ ବର୍ଗର ବ୍ୟକ୍ତିମାନଙ୍କର ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବ୍ୟବସାୟୀମାନେ ଆର୍ଥିକ ସମସ୍ୟା ଦେଇ ଗତି କରିବେ ଏବଂ ବ୍ୟବସାୟରେ ପ୍ରଚୁର କ୍ଷତି ସହିବେ । ପରିବହନ ବ୍ୟବସାୟରେ ଥିବା ବ୍ୟକ୍ତିମାନଙ୍କର ବ୍ୟବସାୟରେ ବିପର୍ଯ୍ୟୟ ଘଟିବ ଏବଂ କର୍ମଚାରୀ ସମସ୍ୟା ଉତ୍କଟ ହେବ । କର୍ମଜୀବୀମାନେ କର୍ମ କ୍ଷେତ୍ରରେ ଅପଦସ୍ଥ ହେବେ ଏବଂ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ ।
ସହକର୍ମୀଙ୍କ ବିରୋଧର ଶିକାର ହେବେ ଏବଂ ସମସ୍ତ କର୍ମ ସେମାନଙ୍କ ପାଇଁ କଣ୍ଟକ ସଦୃଶ ମନେ ହେବ । ନିଯୁକ୍ତି ଆଶାୟୀମାନଙ୍କର ନିଯୁକ୍ତି ଆଶା ମଉଳି ଯିବ ଏବଂ ବାରମ୍ବାର ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅସଫଳ ହେବେ । ଶିକ୍ଷାର୍ଥୀମାନଙ୍କର ଶିକ୍ଷା ପ୍ରତି ଅନାଦର ଭାବ ପ୍ରକାଶ ପାଇବ ଏବଂ ସେମାନେ ଅସ୍ଥିରମନା ହେବେ । ଅବିବାହିତ ପୁଅଝିଅମାନଙ୍କର ବିବାହ କର୍ମରେ ବିଘ୍ନ ଘଟିବ ଏବଂ ପୂର୍ବରୁ ଠିକ୍ ହୋଇଥିବା ବିବାହ ଭଗ୍ନ ହେବ । ପ୍ରେମରେ ଥିବା ପୁଅଝିଅଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବ ଏବଂ ବିଚ୍ଛେଦ ହୋଇପାରେ ।
କ୍ରୀଡ଼ାବିତ୍ମାନେ କ୍ରୀଡ଼ାରେ ଅସମ୍ମାନିତ ହେବେ ଏବଂ ଗୃହିଣୀମାନେ ପାରିବାରିକ ସମସ୍ୟା, ଆର୍ଥିକ ସମସ୍ୟା ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବେ । ଜୁନ ମାନ ୧ ତାରିଖ ପରେ ଓ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃହସ୍ପତି ପଞ୍ଚମ ହେଉଥିବାରୁ ମୀନ ରାଶିର ସବୁ ବର୍ଗର ବ୍ୟକ୍ତିମାନେ କିଛିଟା ଶୁଭଫଳ ପାଇବେ । ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୯, ଆରାଧନା : ମା’ ତାରା ।